ବାରାଣସୀ: ଚଳିତ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶର ବାରାଣସୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାର୍ଥୀ ହୋଇଥିବାରୁ ଉକ୍ତ ଆସନ ଉପରେ ସମସ୍ତଙ୍କ ନଜର ରହିଛି। ଏହି ଆସନରେ କଂଗ୍ରେସ ଅଜୟ ରାୟଙ୍କୁ ପ୍ରାର୍ଥୀ କରିଥିବାବେଳେ ସମାଜବାଦୀ ପାର୍ଟିରୁ ଶାଳିନୀ ଯାଦବ ମଇଦାନକୁ ଓହ୍ଲାଇଛନ୍ତି। ତେବେ ଏହା ମଧ୍ୟରେ ଆଉ ଏକ ବିଷୟ ଚର୍ଚ୍ଚାକୁ ଆସିଛି। ମୋଦୀ ଲଢ଼ୁଥିବା ଏହି ଆସନରେ ମୋଦୀଙ୍କ ବିପକ୍ଷରେ ୫୦ ଜଣ ହଳଦୀ ଚାଷୀ ପ୍ରାର୍ଥୀ ହେବେ। ଏହି ଚାଷୀମାନେ ତେଲେଙ୍ଗାନା ରାଜ୍ୟର ନିଜାମବାଦ ଅଞ୍ଚଳର। ଶନିବାର ସେମାନେ ବାରାଣସୀରେ ପହଞ୍ଚିଥିଲେ। ନିର୍ଦ୍ଧାରିତ ସମୟ ପୂର୍ବରୁ ସେମାନେ ନାମାଙ୍କନପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି।
ତେବେ ଏ ସମ୍ପର୍କରେ ସମ୍ପୃକ୍ତ ଚାଷୀମାନେ କହିଛନ୍ତି, ଆମେ କାହାକୁ ବିରୋଧ କରୁନାହୁଁ। ଆମେ କେବଳ ଆମର ସମସ୍ୟା ଓ ଦାବି ଉପସ୍ଥାପନ କରିବା ସହିତ ଏକ ହଳଦୀ ବୋର୍ଡ ଗଠନ ଏବଂ ହଳଦୀର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୧୫ ହଜାର ଟଙ୍କା କରିବାକୁ ଚାହୁଁଛୁ।



