‘ହିନ୍ଦୁଧର୍ମ ସ୍ଥାପନାର ବାର୍ତ୍ତାବହ ଆଦି ଶଙ୍କରାଚାର୍ଯ୍ୟ’

0

ଭୁବନେଶ୍ୱର : ଭାରତ ବର୍ଷରେ ହିନ୍ଦୁଧର୍ମ ସ୍ଥାପନାର ବାର୍ତ୍ତାବହ ଥିଲେ ଆଦି ଶଙ୍କରାଚାର୍ଯ୍ୟ। ସେ ଶ୍ରେଷ୍ଠ ସଂସ୍କାରକ ଥିଲେ ବୋଲି କହିଛନ୍ତି ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ, ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ।
ଶିବାନନ୍ଦ ସାଂସ୍କୃତିକ କେନ୍ଦ୍ରଠାରେ ଆଦି ଶଙ୍କର ବେଦାନ୍ତ ପ୍ରତିଷ୍ଠାନମ୍‍ ପକ୍ଷରୁ ଆଦି ଶଙ୍କରାଚାର୍ଯ୍ୟ ଜୟନ୍ତୀ ପାଳନ ଉତ୍ସବ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ରଥ କହିଲେ ଯେ, ବର୍ତ୍ତମାନ ଭାବ ଆଉ ଭକ୍ତିର ଅଭାବ ରହିଛି। ତେଣୁ ଏଦିଗରେ ସଚେତନ ହେବାର ସମୟ ଆସିଛି। ଏକ ଲକ୍ଷ୍ୟ ନେଇ ଦୃଢ଼ ମନରେ ଭକ୍ତି କଲେ ନିଶ୍ଚିତ ଅଗ୍ରଗତି ହୋଇପାରିବ ଏବଂ ଲକ୍ଷ୍ୟ ସାଧିତ ହେବ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାଭାବେ ପ୍ରଫେସର ପ୍ୟାରୀମୋହନ ପଟ୍ଟନାୟକ ଯୋଗଦେଇ ବ୍ରହ୍ମ ଏବଂ ଜ୍ଞାନ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଆତ୍ମା ଦ୍ୱାରା ପରମାତ୍ମାକୁ ଜାଣିଲେ ସଂସାରରେ ସୁଖୀ ହୋଇପାରିବ। ଏନେଇ ଲୋଭ, ମୋହରୁ ଦୂରେଇ ରହିବା ସହିତ ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖିବା ଆବଶ୍ୟକ। ଅନୁଷ୍ଠାନର ଭୁବନେଶ୍ୱର ସଭାପତି ତାରିଣୀ ଚନ୍ଦ୍ର ପାଢ଼ୀ ଯୋଗଦେଇ କହିଥିଲେ ଯେ, ଯେତେବେଳେ ସନାତନ ଧର୍ମ ଅବକ୍ଷୟମୁଖୀ ସେହି ସମୟରେ ଶଙ୍କରାଚାର୍ଯ୍ୟଙ୍କ ଆବିର୍ଭାବ ହୋଇଥିଲା ଆଉ ସେବେଠୁ ସେ ସନାତନ ଧର୍ମ ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିଥିଲେ। ପୂର୍ବତନ ଆୟକର ଆୟୁକ୍ତ କେ.ସି ଚାନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିଙ୍କ ମଧ୍ୟରେ ନରେନ୍ଦ୍ର କୁମାର ମିଶ୍ର, ପଣ୍ଡିତ ହରମୋହନ ମିଶ୍ର, ଶିବଚିଦାନନ୍ଦ ମହାରାଜ, ବଦ୍ରିନାଥ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ସଂଯୋଜକ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଦେବା ସହିତ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ସମ୍ପାଦକ ନିରଞ୍ଜନ ରଥ।

Leave A Reply