mission shakti banner

୪ନଂ ସ୍ଥାନ ପାଇଁ ବ୍ୟାଟସମ୍ୟାନ୍‌ ଖୋଜୁଛନ୍ତି ମନୋନୟନକାରୀ

BSKY banner  750×100

ନୂଆଦିଲ୍ଲୀ: ଇଂଲଣ୍ଡରେ ଆଉ କିଛିଦିନ ପରେ ଖେଳାଯିବ କ୍ରିକେଟ୍ ବିଶ୍ବକପ୍‌। ବିଶ୍ବକପ୍‌ ଜିତିବାକୁ ଭାରତକୁ ପ୍ରମୁଖ ଦାବିଦାର ଭାବେ ପରିଗଣିତ କରାଯାଉଥିବା ବେଳେ ଏହି ଦଳର ବ୍ୟାଟିଂ କ୍ରମରେ କିଏ ବ୍ୟାଟିଂ କରିବ ସେଥିନେଇ ଅନିଶ୍ଚିତତା ଜାରି ରହିଛି। ବର୍ତ୍ତମାନ ଖେଳାଯାଉଥିବା ଆଇପିଏଲ୍‌ରୁ ୪ନଂ ସ୍ଥାନ ପାଇଁ ବ୍ୟାଟସମ୍ୟାନ୍‌ ଖୋଜୁଛନ୍ତି ଜାତୀୟ ମନୋନୟନକାରୀ। ଭାରତୀୟ ବ୍ୟାଟିଂ କ୍ରମକୁ ଦୃଷ୍ଟି ଦେଲେ ରୋହିତ ଶର୍ମା, ଶିଖର ଧାୱନ୍‌ ଓ ବିରାଟ କୋହଲି ପ୍ରଥମ ୩ନଂ ସ୍ଥାନରେ ଖେଳିବେ। ୪ନଂ ସ୍ଥାନକୁ ନେଇ ଅନେକ ଦାବିଦର ରହିଛନ୍ତି। ଅଜିଙ୍କ୍ୟ ରାହାଣେ, ମନୀଷ ପାଣ୍ଡେ, କେଏଲ୍‌ ରାହୁଲ, ଦିନେଶ କାର୍ତ୍ତିକ ଓ ଅମ୍ବାତି ରାୟୁଡୁ ପ୍ରମୁଖ ୪ନଂ ସ୍ଥାନ ହାସଲ କରିବା ଦୌଡ଼ରେ ରହିଛନ୍ତି। ବିଶ୍ବକପ୍‌ ପୂର୍ବରୁ ଭାରତୀୟ ଦଳ ଆଉ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବ ନାହିଁ। ତେଣୁ ଆଇପିଏଲ୍‌ରୁ ୪ନଂ ସ୍ଥାନ ପାଇଁ ବ୍ୟାଟସମ୍ୟାନ୍‌ ମନୋନୟନ କରିବାକୁ ମନୋନୟନକାରୀ ବାଧ୍ୟ।

ବିଶ୍ବକପ୍‌ ନିମନ୍ତେ ଭାରତୀୟ ଦଳରେ ସ୍ଥାନ ପାଇବାକୁ ଆଇପିଏଲ୍‌ ପ୍ରଦର୍ଶନ ମାପକାଠି ନୁହେଁ ବୋଲି ଅଧିନାୟକ କୋହଲି କିଛିଦିନ ତଳେ ମତ ଦେଇଥିଲେ। ତେବେ ବର୍ତ୍ତମାନ ପରିସ୍ଥିତିରେ ଏହା ସମ୍ଭବପର ନୁହେଁ ବୋଲି ମତ ଦେଇଛନ୍ତି ପୂର୍ବତନ କ୍ରିକେଟର୍‌ ସଞ୍ଜୟ ମଞ୍ଜରେକର। ଯଦି କୌଣସି ଖେଳାଳି ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିବେ ତାଙ୍କୁ ବିଶ୍ବକପ୍‌ ନିମନ୍ତେ ଘୋଷଣା ହେବାକୁ ଦଳରେ ସାମିଲ କରିବାକୁ ପଡ଼ିବ ବୋଲି ଚର୍ଚ୍ଚା ହେଉଛି। ଏ ସଂପର୍କରେ ମତ ଦେଇ ଭାରତୀୟ ଦିନିକିଆ ଦଳର ଉପଅଧିନାୟକ ରୋହିତ ଶର୍ମା କହିଛନ୍ତି ବିଶ୍ବକପ୍‌ ନିମନ୍ତେ ଚୂଡ଼ାନ୍ତ ଦଳରେ କିଏ ସ୍ଥାନ ପାଇବ ସେ ସଂପର୍କରେ ନିଷ୍ପତ୍ତି ମନୋନୟନକାରୀ ନେବେ ସତ ହେଲେ ଏଥିରେ ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ତେଣୁ ୪ନଂରେ କିଏ ଖେଳିବ ତାହା ସମୟ ହିଁ କହିବ।

Comments are closed.