ନୂଆଦିଲ୍ଲୀ: ହୀରା ବ୍ୟବସାୟୀ ନୀରବ ମୋଦୀ, ମେହୁଲ ଚୋକ୍ସୀ ଏବଂ ମଦ ବ୍ୟବସାୟୀ ବିଜୟ ମାଲ୍ୟା କଂଗ୍ରେସ ସରକାର ସମୟରେ ହଜାର ହଜାର କୋଟି ଟଙ୍କାର ଋଣ ନେଇଥିଲେ। ୨୦୧୪ରେ ଦେଶରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ବିଜେପି ସରକାର ଗଠନ କରିବା ପରେ ସେମାନେ ଦେଶ ଛାଡ଼ି ପଳାଇଥିଲେ। ସେମାନେ ଜାଣିଥିଲେ ଯେ ଜଣେ ନୂଆ ଏବଂ ସର୍ବଦା ସତର୍କ ରହୁଥିବା ଚୌକିଦାର କ୍ଷମତାକୁ ଆସିଛି। ତେଣୁ ସେମାନେ ଦେଶରୁ ଲୁଚି ପଳାଇଥିଲେ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଗୌତମବୁଦ୍ଧ ନଗରରେ ଏକ ନିର୍ବାଚନୀ ପ୍ରଚାରରେ ଯୋଗଦେଇ ରାଜନାଥ କଂଗ୍ରେସକୁ ସମାଲୋଚନା କରିବା ସହ ଏହି ଠକଙ୍କୁ ଋଣ ଦେଇଥିଲା ବୋଲି କହିଥିଲେ।
ବିଜେପି ସରକାର ପଳାତକମାନଙ୍କୁ ଦେଶ ଛାଡ଼ି ଚାଲିଯିବାରେ ସହାୟତା କରିଥିବା ବିରୋଧୀମାନେ ଅଭିଯୋଗ କରୁଥିବାରୁ ସେମାନଙ୍କୁ ଜବାବ ଦେବା ଲାଗି ରାଜନାଥ ଏହା କହିବା ସହ ଏନଡିଏ ସରକାର ଆର୍ଥିକ ଅପରାଧୀମାନଙ୍କୁ ଶାସ୍ତି ଦେବା ଲାଗି ସ୍ବତନ୍ତ୍ର ଆଇନ ଆଣିଛି। ରାଜନାଥ କହିଥିଲେ, ୧୯୪୭ରୁ ୨୦୦୮ ମଧ୍ୟରେ ୧୮ ଲକ୍ଷ କୋଟି ଟଙ୍କା ଋଣ ଦିଆଯାଇଛି। ୨୦୦୮ରୁ ୨୦୧୪ ମଧ୍ୟରେ କଂଗ୍ରେସ ନେତୃତ୍ଵାଧୀନ ଉପା ସରକାର କ୍ଷମତାରେ ଥିଲା। ଏହି ସମୟରେ ମଧ୍ୟରେ ୫୨ ଲକ୍ଷ କୋଟି ଟଙ୍କା ଋଣ ଦିଆଯାଇଛି। ଯେଉଁମାନେ ଦେଶର ଅର୍ଥ ଲୁଟି ନେଇଛନ୍ତି ସେମାନଙ୍କୁ ଭାରତକୁ ଅଣାଯାଇ ଦଣ୍ଡିତ କରାଯିବ।



