ବିଜେପିର ୪୦ ଷ୍ଟାର ପ୍ରଚାରକ ତାଲିକାରେ ନାହାନ୍ତି ଆଡୱାଣୀ, ମାନେକା, ବରୁଣ
ନୂଆଦିଲ୍ଲୀ: ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବିଜେପି ୪୦ ଷ୍ଟାର ପ୍ରଚାରକଙ୍କ ଏକ ତାଲିକା ପ୍ରସ୍ତୁତ କରିଛି। କିନ୍ତୁ ଏଥିରେ ଦଳର ବରିଷ୍ଠ ନେତା ଲାଲକୃଷ୍ଣ ଆଡୱାଣୀଙ୍କ ସମେତ ମାନେକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀଙ୍କ ନାମ ନାହିଁ, ଯାହାକୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଛି।
ବିଜେପିର ଏହି ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ଏପରି କି ଅନେକ ଦଳିତ ନେତାଙ୍କୁ ବି ଏଥିରେ ସାମିଲ କରାଯାଇଛି। ସେହିପରି ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ, ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ, ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ, ରେଳମନ୍ତ୍ରୀ ପୀୟୁଷ ଗୋୟଲ, ସଂଖ୍ୟାଲଘୁ ମନ୍ତ୍ରୀ ମୁଖତାର ଆବାସ ନକଭୀ, ଏମପି ହେମା ମାଳିନୀଙ୍କୁ ପ୍ରଚାର ଦାୟିତ୍ବ ଦିଆଯାଇଛି।
କିନ୍ତୁ ଏହି ତାଲକାରେ ଆଡୱାଣୀ, ମୁରଲୀ ମନୋହର ଯୋଶୀଙ୍କ ସମେତ ବହୁ ବରିଷ୍ଠ ନେତାଙ୍କୁ ଅଣଦେଖା କରାଯାଇଛି। ଏହାପୂର୍ବରୁ ଦଳ ପ୍ରାର୍ଥୀ ଚୟନ ସମୟରେ ବି କେତେଜଣ ବରିଷ୍ଠ ନେତାକୁ ବାଦ୍ ଦେଇଥିଲା। ଗାନ୍ଧୀନଗର ଲୋକସଭା ଆସନରୁ ଆଶାୟୀ ଥିବା ଲାଲକୃଷ୍ଣ ଆଡୱାଣୀଙ୍କ ଟିକେଟ କଟାଯାଇଥିଲା। ଉକ୍ତ ଆସନରେ ଅମିତ ଶାହଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା। ଏବେ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ବିଜେପି ଆଗଧାଡ଼ିର ନେତାମାନଙ୍କୁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ସ୍ପଷ୍ଟ ହୋଇଛି।