ରୋହିଙ୍ଗ୍ୟା ସ୍ଥାନାନ୍ତରଣ ନେଇ ଜାତିସଂଘର ଚେତାବନୀ

ନୂଆଦିଲ୍ଲୀ: ୨୩ ହଜାର ରୋହିଙ୍ଗ୍ୟାଙ୍କୁ ଘୂର୍ଣ୍ଣିବାତ୍ୟାପ୍ରବଣ ଏକ ଜନଶୂନ୍ୟ ଦ୍ୱୀପକୁ ସ୍ଥାନାନ୍ତରିତ କରିବାରେ ବାଂଲାଦେଶ ଆଗେଇଲେ ଏହା ଏକ ନୂଆ ସମସ୍ୟା ସୃଷ୍ଟି କରିବ ବୋଲି ଜାତିସଂଘ ଚେତାବନୀ ଦେଇଛି। ମ୍ୟାଁମାର୍ ଉପରେ ଜାତିସଂଘର ସ୍ୱତନ୍ତ୍ର କଥାବାର୍ତ୍ତାକାରୀ ୟାଙ୍ଘି ଲି ଗତକାଲି ଜେନେଭାରେ ମାନବାଧିକାର ପରିଷଦରେ କହିଛନ୍ତି, ସେହି ଜନଶୂନ୍ୟ ଦ୍ୱୀପରେ କେହି ଯେ ମାନବ ବସବାସ କରିପାରିବ, ସେନେଇ ସେ ସନ୍ଦେହ ପ୍ରକାଶ କରୁଛନ୍ତି। ଶରଣାର୍ଥୀମାନଙ୍କ ସମ୍ମତି ନ ନେଇ ଓ ଠିକ୍ ଭାବେ ଯୋଜନା ନ କରି ସେମାନଙ୍କୁ ସ୍ଥାନାନ୍ତରିତ କରାଗଲେ ତାହା ବାଂଲାଦେଶରେ ନୂଆ ସଙ୍କଟ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ରୋହିଙ୍ଗ୍ୟା ଶରଣାର୍ଥୀମାନେ ସେହି ଦ୍ୱୀପରେ ଅସହାୟ ଅବସ୍ଥାରେ ରହିଯିବେ ବୋଲି କୁହାଯାଇଛି। ବର୍ଷାଦିନେ ସେଠାରେ ବାରମ୍ବାର ଘୂର୍ଣ୍ଣିବାତ୍ୟା ଆସିବା ସହ ସମଗ୍ର ଦ୍ୱୀପ କାଦୁଅରେ ଭରିଯାଉଥିବାର ମଧ୍ୟ କୁହାଯାଉଛି। କିନ୍ତୁ ବାଂଲାଦେଶ ସରକାରଙ୍କ କହିବା ଅନୁସାରେ ସେମାନଙ୍କ ସ୍ଥାନାନ୍ତରିତ କରିବା ଦ୍ୱାରା ଶରଣାର୍ଥୀ ଶିବିର ଉପରୁ ଚାପ ହ୍ରାସ ପାଇବ। ୭ ଲକ୍ଷରୁ ଊର୍ଦ୍ଧ୍ବ ରୋହିଙ୍ଗ୍ୟା ବାଂଲାଦେଶର ଶିବିରଗୁଡ଼ିକରେ ରହିଛନ୍ତି।