ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର କାରଣ ହୋଇଛି । ଶନିବାର ପଦ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନର ଚାଷୀ ଜିଲାପାଳଙ୍କ ଗୋଡ଼ ତଳେ ଧାନ ବସ୍ତା ପକାଇ ମୁଣ୍ଡିଆ ମାରିବା ସହ ତୁରନ୍ତ ସମସ୍ତ ଧାନ କିଣିବାକୁ ନେହୁରା ହେବା ଚର୍ଚ୍ଚାର ବିଷୟ ହୋଇଛି । ଚଳିତ ବର୍ଷ ପଦ୍ମପୁର ଉପଖଣ୍ଡରେ ୯୨ଟି ଖରିଫ ଧାନ କ୍ରୟ କେନ୍ଦ୍ର ଖୋଲାଯାଇଛି; କିନ୍ତୁ ୪୨ କେନ୍ଦ୍ରରେ ଧାନକିଣା ଆରମ୍ଭ ହୋଇନାହିଁ । ବିଭିନ୍ନ ମଣ୍ଡିରେ ୩ ଲକ୍ଷ ବସ୍ତା ଧାନ ପଡ଼ିରହିଥିଲାବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ହଜାର ବସ୍ତା ଧାନକିଣା ହୋଇଛି ।
ଅପରପକ୍ଷରେ ଧାନ ବିକ୍ରି ପାଇଁ ୭୦ % ଚାଷୀଙ୍କ ଟୋକନ ଆସିନାହିଁ। ଯେଉଁମାନଙ୍କର ଆସିଛି ତାହା ଜମି ତୁଳନାରେ ବହୁତ କମ୍ । ଏହି ପରିପ୍ରେକ୍ଷୀରେ ଧାନ କିଣା ଦାବିରେ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବାରମ୍ବାର ଆନ୍ଦୋଳନ କଲେ ମଧ୍ୟ କିଛି ସମାଧାନ ହେଉନାହିଁ। ଶନିବାର କେତେକ ଚାଷୀ ପଦ୍ମପୁର ଗସ୍ତରେ ଯାଇଥିବା ବରଗଡ଼ ଜିଲାପାଳ ଆଦିତ୍ୟ ଗୋଏଲଙ୍କ ଗୋଡ଼ ତଳେ ଧାନ ବସ୍ତା ପକାଇ ସମସ୍ତ ଧାନ କିଣିନେବାକୁ ଅନୁରୋଧ ପୂର୍ବକ ମୁଣ୍ଡିଆ ମାରି ଗୁହାରି କରିଥିଲେ।
ରାଜ୍ୟ ସରକାର ତୁରନ୍ତ ଧାନ କିଣା ନେଇ ପଦକ୍ଷେପ ଗ୍ରହଣ ନକଲେ ସୋମବାର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ଗଦାଇ ଧାରଣା ଦେବାକୁ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ କର୍ମକର୍ତ୍ତା ଚେତାବନୀ ଦେଇଛନ୍ତି । ଏଥିସହିତ ସୋମବାର ସୁଦ୍ଧା ଟୋକନ ନ ଆସିଲେ ସମବାୟ ସମିତି ସମ୍ମୁଖରେ ଧାନ ପକାଇବାକୁ କନସିଂହା, ଜମଲା, ସତୀଭଟା, ଲଖମରା, ସରେଇକେଲାର ଚାଷୀ ଚେତାବନୀ ଦେଇଛନ୍ତି ।



