ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା ହାତୀପଲ ଗାଁ ଗଣ୍ଡାରେ ପଶି ବ୍ୟାପକ ଉପଦ୍ରବ ଚଳାଉଛନ୍ତି । ଗୋଟେ ହାତୀ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ବିଳମ୍ବିତ ରାତିରେ ଏକ ପେଟ୍ରୋଲ ଟାଙ୍କି ଭିତରେ ପଶି ଏଣେ ତେଣେ ହେବା ଦୃଶ୍ୟ ସମ୍ପ୍ରତି ଅଞ୍ଚଳରେ ପ୍ରଘଟ ହେବାରେ ଲାଗିଛି । ନୀଳଗିରିରୁ ପଞ୍ଚଲିଙ୍ଗେଶ୍ୱର ରାସ୍ତାରେ ଥିବା ମାନଗଡ଼ ପେଟ୍ରୋଲ ଟାଙ୍କିରେ ଏହି ହାତୀଟି ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ଖାଦ୍ୟ ପାଇଁ ଦେବଗିରି ପାହାଡ଼ରୁ ଏହି ହାତୀଟି ବିଲ ରାସ୍ତା ଅତିକ୍ରମ କରିବା ପରେ ପେଟ୍ରୋଲ ଟାଙ୍କିରେ ପହଞ୍ଚିଥିଲା । ରାତିରେ ଟାଙ୍କି କର୍ମଚାରୀମାନେ ହାତୀକୁ ଦେଖି ଭୟଭୀତ ହେବା ସହ ସମସ୍ତେ ଭିତରେ ଲୁଚି ରହିଥିଲେ । କିଛି ସମୟ ଏହି ହାତୀଟି ଏଣେ ତେଣେ ହେବା ପରେ ପୁନଶ୍ଚ ଜଙ୍ଗଲ ଆଡ଼କୁ ପଳାଇଥିଲା । ପଞ୍ଚଲିଙ୍ଗେଶ୍ୱର, ମାନଗଡ଼, ଖୁଲିଆ, ଢ଼ୋଲପୁର, ବାଉଁଶବଣିଆ ପ୍ରଭୃତି ଅଞ୍ଚଳରେ ହାତୀଙ୍କ ଚଳପ୍ରଚଳ ନୂଆ ନଥିଲେ ମଧ୍ୟ ପେଟ୍ରୋଲ ଟାଙ୍କି ଭିତରେ ହାତୀର ଅଚାନକ ପ୍ରବେଶ ସମ୍ପ୍ରତି ଅଞ୍ଚଳରେ ବେଶ୍ ଚର୍ଚ୍ଚା ହୋଇଛି ।


