ଭୁବନେଶ୍ୱର – ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି କରାଯାଇଛି। ଆସନ୍ତା ସୋମବାର ଦିନ ୧୨ଟା ଯାଏଁ ଇଣ୍ଟରନେଟ୍ କଟକଣାକୁ ବଳବତ୍ତର ରଖାଯିବା ନେଇ ଜିଲାପାଳ ସୂଚନା ଦେଇଛନ୍ତି । ପ୍ରକାଶଯୋଗ୍ୟ ଏମ୍ ଭି ୨୬ ଗାଁ ଓ ରାଖେଲଗୁଡା ଗାଁ ରେ ଉତ୍ତେଜନା ଲାଗିରହିଥିବାରୁ ଏହାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି।
ସ୍ଥିତି ସୁଧାର ଆସୁଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ଗତ ସୋମବାରରୁ ଲାଗିଥିବା ବିଏନ୍ ଏସ ଧାରା ୧୬୩ ହଟାଯାଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ତ ଯୋଗୁଁ ମୋଟ ୩ କୋଟି ୮୦ ଲକ୍ଷ ଟଙ୍କା କ୍ଷୟକ୍ଷତିର ଆକଳନ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି । ଗାଁରେ ନିଆଁ ଲାଗିଯିବା ଫଳରେ ଶତାଧିକ ଘର ନିଆଁରେ ପୋଡ଼ି ଛାରଖାର ହୋଇଯାଇଥିଲା। ଯାହା ଫଳରେ ଲୋକମାନେ ଅନ୍ଧାର ରେ ବସବାସ କରୁଥିଲେ । ରବିବାର ଗାଁ ରେ ମଧ୍ୟ ବିଦ୍ୟୁତ ସଂଯୋଗ ଓ ଜଳଯୋଗାଣ ସ୍ଵାଭାବିକ ହୋଇଛି । ହିଂସାକାଣ୍ତ ଘଟାଇଥିବା ମୋଟ ୬ ଜଣକୁ ଗିରଫ କରାଯାଇଥିବା ଜିଲାପାଳ କହିଛନ୍ତି।
ସୂଚନାଯୋଗ୍ୟ ମାଲକାନଗିରି ଜିଲା ପୋଟେରୁ ନଦୀ ଡୁଡାମେଟଲା ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିିଳିବା ଘଟଣାକୁ ନେଇ ଗତକାଲି ରାଖେଲଗୁଡ଼ା ଓ ଏମ୍ଭି-୨୬ ଗାଁ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଏଠାରେ ଏବେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା । ମୁଣ୍ଡବିହୀନ ମୃତଦେୟରେ ଏକ ମାଟି ନିର୍ମିତ ମୁଣ୍ଡ ଲଗାଇ ଅନ୍ତିମ ସଂସ୍କାର କରାଯାଇଥିଲା । ମହିଳାଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଏମଭି ୨୬ ଗଁାର ସୁଖରଞ୍ଜନ ମଣ୍ଡଳକୁ ପୁଲିସ ଗିରଫ କରିଥିଲା ।
ପରେ ମହିଳାଙ୍କ ମୁଣ୍ଡକୁ ନଦୀରୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ଉତ୍ତେଜନା ଥମିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ଇଣ୍ଟରନେଟ୍ରେ କଟକଣା ଜାରି କରାଯାଇଛି ।



