ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର ଲାଲଚନ୍ଦଙ୍କର। ପରୋପକାର ଥିଲା ଜୀବନର ବ୍ରତ। ଦୁଃଖୀରଙ୍କୀ, ଅଭାବଗ୍ରସ୍ତ, ନିପୀଡ଼ିତ ଲୋକ, ଯିଏ ବି ତାଙ୍କର ସାହାଯ୍ୟ ପ୍ରାର୍ଥୀ ହେଉଥିଲେ ମୁକ୍ତହସ୍ତରେ ଦାନ କରୁଥିଲେ। ଏପରି କି ଅନୁଷ୍ଠାନର ଉନ୍ନୟନମୂଳକ କାର୍ଯ୍ୟ ପାଇଁ ମଧ୍ୟ ଅକୁଣ୍ଠିତ ଚିତ୍ତରେ ସାହାଯ୍ୟ ଦେଉଥିଲେ। ପଞ୍ଜାବର ଏକ କନ୍ୟା ଗୁରୁକୁଳକୁ ବିପୁଳ ଅର୍ଥରାଶି ଦାନ କରିଥିଲେ। ଗୁରୁକୁଳାଶ୍ରମ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ନିବେଦନ କରାଯାଇଥିଲା। ଏହା ପଢ଼ି ଲାଲଚନ୍ଦ ସହାୟତା ଦେଇଥିଲେ। ମୋଟା ଅଙ୍କର ଅର୍ଥ ଦେଇ ଥିବାରୁ କୃତଜ୍ଞତା ଜ୍ଞାପନ ଉେଦ୍ଦଶ୍ୟରେ ତାଙ୍କର ଗୃହକୁ ଯିବାପାଇଁ ପ୍ରଧାନ ଆଚାର୍ଯ୍ୟ ଉଚିତ ମଣିଥିଲେ। ଲାଲଚନ୍ଦଙ୍କ ବାସଭବନରେ ପହଞ୍ଚି ଦୀର୍ଘ ସମୟ ପର୍ଯ୍ୟନ୍ତ ଦ୍ବାର ଖଟ୍ଖଟ୍ କରିଥିଲେ ମଧ୍ୟ କେହି ଦ୍ବାର ଖୋଲି ନଥିଲେ। ଶେଷରେ ଆଉଜା ହୋଇଥିବା କବାଟ ଖୋଲି ଗୃହ ଭିତରକୁ ପ୍ରବେଶ କରିଥିଲେ।
ଘର ଭିତରକୁ ପ୍ରବେଶ କଲା ପରେ ଯାହା ଦେଖିଲେ ସେଥିରେ ଚକିତ ହୋଇଯାଇଥିଲେ। ଦେଖିବାକୁ ପାଇଥିଲେ ବୟସର ଅପରାହ୍ଣରେ ପହଞ୍ଚିଥିବା, ପକ୍ବକେଶ ବିଶିଷ୍ଟ ଜଣେ ବୃଦ୍ଧ ଅନ୍ୟ ଜଣେ ବୃଦ୍ଧଙ୍କର ପାଦ ଚିପୁଛନ୍ତି। ପାଦ ଚିପୁଥିବା ବ୍ୟକ୍ତିଙ୍କୁ ଲାଲଚନ୍ଦଙ୍କର କେଉଁଠି ଦେଖା ମିଳିବ ବୋଲି ପଚାରିଥିଲେ ପ୍ରଧାନ ଆଚାର୍ଯ୍ୟ। ଉତ୍ତର ମିଳିଥିଲା ମୁଁ ନିଜେ ଲାଲଚନ୍ଦ। ଏହା ଶୁଣି ପ୍ରଧାନ ଆଚାର୍ଯ୍ୟ ନିଜ ଆଖିକୁ ବିଶ୍ବାସ କରିପାରି ନଥିଲେ। ଜୀବନର ଅପରାହ୍ଣରେ ପହଞ୍ଚିଥିବା, ସେବା ଚାହୁଁଥିବା ବ୍ୟକ୍ତିଜଣଙ୍କ ଅନ୍ୟ ଜଣେ ବୃଦ୍ଧଙ୍କର ସେବା କରିବା ଦେଖି ପ୍ରଧାନ ଆଚାର୍ଯ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଲାଲଚନ୍ଦଙ୍କୁ ପଚାରିଥିଲେ ଆପଣ ଯେଉଁ ବୃଦ୍ଧ ବ୍ୟକ୍ତିଙ୍କ ପାଦ ମଞ୍ଚାଳୁଛନ୍ତି ସେ ଜଣକ କିଏ ? ଲାଲଚନ୍ଦ ଦୀର୍ଘଶ୍ବାସ ଛାଡ଼ି ଉତ୍ତର ଦେଇଥିଲେ- ‘ସେ ମୋର ସଖା ବୋଲି ଭାବି ନିଅନ୍ତୁ। ପ୍ରକୃତରେ ସେ ମୋର ସେବକ। ବିଗତ ଚାଳିଶ ବର୍ଷ ହେଲା ନିରବଚ୍ଛିନ୍ନ ଭାବରେ ମୋର ସେବା କରି ଆସିଛି। ମୋର ଭଲ ମନ୍ଦ, ହାନିଲାଭ ଦୀର୍ଘବର୍ଷ ଧରି ବୁଝି ଆସୁଥିବା ସେବକଟି ଆଜି ଅସୁସ୍ଥ ହୋଇ ପଡ଼ିଛି। ସେ ମୋର ସେବାକାରୀ ନୁହେଁ; ସହୃଦୟ ସଖା। ଏବେ ମୁଁ ତା’ର ସେବା କରିବା ପାଳି ପଡ଼ିଛି। ଏହାକୁ ମୁଁ କିପରି ବା ଏଡ଼ାଇ ଯିବି?’ ଏହା ଶୁଣିବା ପରେ ଖାଲି ବଦାନ୍ୟତା ନୁହେଁ; ଲାଲଚନ୍ଦଙ୍କ ମହତପଣିଆ ଦେଖି ତାଙ୍କ ନିକଟରେ ଶ୍ରଦ୍ଧାରେ ମଥାନତ ହୋଇଯାଇଥିଲା ପ୍ରଧାନ ଆଚାର୍ଯ୍ୟଙ୍କର।
ଚିନ୍ତାକଳ୍ପ : ସେବକ ନୁହେଁ, ସଖା
Popular Categories



