ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ
ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ କେମିତି କାମ କରୁଛନ୍ତି, ତାହା ବନ୍ଦ କୋଠରି ଭିତରେ ସୀମିତ ରହେ; କିନ୍ତୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଏହି ପରମ୍ପରାକୁ ଭାଙ୍ଗି ଏକ ନୂଆ ପରୀକ୍ଷା ଆରମ୍ଭ କରିଛନ୍ତି। ସେ ସାର୍ବଜନୀନ ଭାବେ ନିଜର, ନିଜ ମନ୍ତ୍ରିମଣ୍ଡଳର ଏବଂ ଏପରି କି ନିଜ ପୁଅ ଲୋକେଶଙ୍କ କାର୍ଯ୍ୟଦକ୍ଷତାର ମୂଲ୍ୟାୟନ କରି ସେମାନଙ୍କୁ ମାନ୍ୟତା ପ୍ରଦାନ କରିଛନ୍ତି। ଯେଉଁ ସମୟରେ ଅଧିକାଂଶ ସରକାର ନିଜର ଦୁର୍ବଳତା ଲୁଚାଇବାକୁ ଚେଷ୍ଟା କରନ୍ତି, ସେତେବେଳେ ଚନ୍ଦ୍ରବାବୁ ନାଇଡୁ ତାଙ୍କ ମନ୍ତ୍ରୀମାନଙ୍କ କାମକୁ ପରଖି ଲୋକଙ୍କ ଆଗରେ ରଖିବା ନିଶ୍ଚିତ ଭାବେ ଏକ ସାହସିକ ପଦକ୍ଷେପ।
ପ୍ରକାଶିତ ଏହି ରିପୋର୍ଟ କାର୍ଡରେ ମୁଖ୍ୟତଃ ‘ଇ-ଫାଇଲ୍’ ବା ଇଲେକ୍ଟ୍ରୋନିକ୍ ଫାଇଲଗୁଡ଼ିକୁ କେତେ ଶୀଘ୍ର ଫଇସଲା କରାଯାଉଛି, ତାହା ଉପରେ ଗୁରୁତ୍ୱ ଦିଆଯାଇଛି। କୌତୂହଳର ବିଷୟ ହେଲା, ସବୁଠାରୁ ଅଧିକ ଫାଇଲ୍ର ସମାଧାନ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନାଇଡୁ ନିଜକୁ ଏହି ତାଲିକାର ଷଷ୍ଠ ସ୍ଥାନରେ ରଖିଛନ୍ତି। ତାଙ୍କ ପୁଅ ତଥା ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳୁଥିବା ମନ୍ତ୍ରୀ ଲୋକେଶ ନବମ ସ୍ଥାନରେ ଥିବାବେଳେ ଉପ-ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଆହୁରି ତଳେ ରହିଛନ୍ତି। ନିଜକୁ କିମ୍ବା ନିଜ ପରିବାରକୁ ଏକ ନମ୍ବର ସ୍ଥାନରେ ନ ରଖି ନାଇଡୁ ଏହି ବାର୍ତ୍ତା ଦେବାକୁ ଚାହିଁଛନ୍ତି ଯେ ଏହି ପ୍ରକ୍ରିୟା କେବଳ ଲୋକଦେଖାଣିଆ ନୁହେଁ, ବରଂ ସମସ୍ତଙ୍କ ପାଇଁ ନିୟମ ସମାନ। ପଚସ୍ତରି ବର୍ଷ ବୟସରେ ମଧ୍ୟ ଜଣେ କର୍ପୋରେଟ୍ ସିଇଓଙ୍କ ଭଳି ଶାସନ ଚଳାଇବା ଏବଂ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରିବାରେ ନାଇଡୁଙ୍କର ଏହି ଶୈଳୀ ପ୍ରଶଂସନୀୟ।
ତେବେ ଏହି ବ୍ୟବସ୍ଥାକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ମଧ୍ୟ ଉଠୁଛି। କେବଳ ଫାଇଲକୁ ଜଲଦି ସାରିଦେଲେ ଯେ ଜଣେ ଭଲ ମନ୍ତ୍ରୀ ହୋଇଯିବେ, ତାହା ଭାବିବା ଭୁଲ। ଶାସନ ବ୍ୟବସ୍ଥାରେ ‘ବେଗ’ ଅପେକ୍ଷା ‘ଗୁଣବତ୍ତା’ ଅଧିକ ଜରୁରୀ। ଗୃହ, ଅର୍ଥ କିମ୍ବା ପରିବେଶ ଭଳି ସମ୍ବେଦନଶୀଳ ବିଭାଗରେ ତରବରିଆ ନିଷ୍ପତ୍ତି ନେବା ବିପଜ୍ଜନକ ହୋଇପାରେ। ଜଣେ ମନ୍ତ୍ରୀ ଏକ ଫାଇଲକୁ ତୁରନ୍ତ ଅନୁମୋଦନ କରିପାରନ୍ତି; କିନ୍ତୁ ଯଦି ସେ ଲୋକଙ୍କ ସହ ମିଶୁନାହାନ୍ତି କିମ୍ବା ଦୀର୍ଘମିଆଦୀ ଯୋଜନା କରୁନାହାନ୍ତି, ତେବେ ସେହି ଦକ୍ଷତାର କୌଣସି ମୂଲ୍ୟ ନାହିଁ।
ଏହାର ଏକ ରାଜନୈତିକ ଦିଗ ମଧ୍ୟ ରହିଛି। ଏକ ମେଣ୍ଟ ସରକାରରେ ସହଯୋଗୀ ଦଳର ନେତାମାନଙ୍କୁ ନିମ୍ନ ମାନ୍ୟତା ମିଳିଲେ ଅସନ୍ତୋଷ ସୃଷ୍ଟି ହେବାର ଆଶଙ୍କା ଥାଏ। ତେବେ ନାଇଡୁ ଯୁକ୍ତି ବାଢ଼ନ୍ତି ଯେ ଏହା ଦ୍ୱାରା ପ୍ରତିଯୋଗିତା ବଢିବ ଏବଂ ‘ପ୍ରଶାସନିକ ଶୃଙ୍ଖଳା’ ଆସିବ। ସରକାରୀ ବାବୁ ଓ ମନ୍ତ୍ରୀମାନେ ଜାଣିବେ ଯେ ଫାଇଲ୍ ଚାପି ରଖିଲେ ଚଳିବ ନାହିଁ। ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ପାଇଁ ନାଇଡୁଙ୍କ ପରଖରୁ ଶିଖିବା ଭଳି ଅନେକ କଥା ରହିଛି। ସରକାରୀ ଅଫିସରେ ଫାଇଲ୍ ପଡିରହିବା ଏକ ବଡ଼ ରୋଗ। ଯଦି ନିୟମିତ ବ୍ୟବଧାନରେ କାମର ସମୀକ୍ଷା କରାଯାଏ, ତେବେ ପ୍ରଶାସନ ଅଧିକ କ୍ରିୟାଶୀଳ ହେବ। ଆନ୍ଧ୍ରପ୍ରଦେଶର ଏହି ପରୀକ୍ଷା ଯଦି ସଫଳ ହୁଏ, ତେବେ ଓଡ଼ିଶା ଭଳି ଅନ୍ୟ ରାଜ୍ୟରେ ମଧ୍ୟ ଶାସନ ବ୍ୟବସ୍ଥାରେ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇପାରେ। ଗଣତନ୍ତ୍ରରେ ଜନପ୍ରତିନିଧିମାନେ ନିଜ କାମ ପାଇଁ ଜନତାଙ୍କ ନିକଟରେ ଉତ୍ତରଦାୟୀ ରହିବା ନିହାତି ଆବଶ୍ୟକ।



