ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ କାଳରୁ ଶାଖା ପ୍ରଶାଖା ମେଲାଇ କାୟାବିସ୍ତାର ପୂର୍ବକ ନିଜର ସ୍ଥିତି ଜାହିର କରୁଥିଲା। ବୃକ୍ଷଡାଳରେ ନାନା ଜାତିର ପକ୍ଷୀ ବସାବାନ୍ଧି ରହିଥିଲେ। ପକ୍ଷୀ ତଥା ପକ୍ଷୀ ଶାବକମାନଙ୍କ କଳରବରେ ସେହି ସ୍ଥାନ ସର୍ବଦା ମୁଖରିତ ଥିଲା। ପକ୍ଷୀମାନେ ଥଣ୍ଟରେ ଶୁଖିଲା କାଠିକୁଟା ଆଣି ସୁନ୍ଦର ସୁନ୍ଦର ବସା ତିଆରି କରି ରହିଥିଲେ ତନ୍ମଧ୍ୟରେ। ବର୍ଷା ଋତୁର ଆଗମନରେ ଆକାଶ କଳାବାଦଲରେ ଢ଼ାଙ୍କି ହୋଇଗଲା। ଅନବରତ ବର୍ଷା ହେଲା। ପକ୍ଷୀମାନେ ନିଜନିଜ ବସାରେ ରହିଥାନ୍ତି। ବସା ଏଭଳି ତିଆରି ହୋଇଥାଏ ଯେ ଭିଜିବାର ପ୍ରଶ୍ନ ନଥିଲା। ମାଙ୍କଡ଼ଟିଏ କୁଆଡ଼ୁ ଆସି ସେହି ଗଛ ଡାଳରେ ବସିଲା। ସମ୍ପୂର୍ଣ୍ଣ ଭିଜି ଯାଇଥିବା ମାଙ୍କଡ଼ଟି ମଝିରେ ମଝିରେ ଶରୀରରୁ ପାଣି ଝାଡ଼ୁଥାଏ। ଅତି ଦୟନୀୟ ଅବସ୍ଥାରେ ଏଣେତେଣେ ଅନାଉଥାଏ। ବୋଧହୁଏ ସୁରକ୍ଷିତ ଆଶ୍ରୟସ୍ଥଳ ଅନ୍ବେଷଣରେ ଥିଲା।
ବସାରେ ନିଶ୍ଚିତରେ ଥିବା ଏକ ପକ୍ଷୀର ନଜରରେ ଏହା ପଡ଼ିଥିଲା। ବର୍ଷା, ଥଣ୍ଡା ପବନରେ ଥରୁଥିବା ମାଙ୍କଡ଼ ପ୍ରତି ଦୟା ହେଲା। ବସାରୁ ବାହାରକୁ ଆସି ନିକଟକୁ ଯାଇ କହିଥିଲା- ଭାଇ! ତୁମ ପାଖରେ ବୁଦ୍ଧି ଅଛି। ଈଶ୍ବର ହାତ-ପାଦ ଦେଇଛନ୍ତି, ବଳ ମଧ୍ୟ ଅଛି ଶରୀରରେ। ଯଦି ତୁମେ ଆମ ଭଳି ବସା ତିଆରି କରି ରହିଥାନ୍ତ, ଆଜି ବର୍ଷା, ପବନରେ ଏଭଳି ଦୁର୍ଗତି ଭୋଗି ନଥାନ୍ତ। ଆମକୁ ଦେଖ, ତୁମଠାରୁ କେତେ କ୍ଷୁଦ୍ର ହେଲେ ଆମେ ନିଜ ଉଦ୍ୟମରେ ଛୋଟ ବସାଟିଏ ତିଆରି କରି ଅନ୍ତତଃ ବର୍ଷାପବନ ଦାଉରୁ ସୁରକ୍ଷିତ ଅଛୁ। ତୁମର ଶରୀରରେ ବଳ ଥିଲେ ବି ଅଳସୁଆପଣ ଯୋଗୁଁ ଏ କଷ୍ଟ ଭୋଗୁଛ।
ହିତ ଉଦ୍ଦେଶ୍ୟରେ ପକ୍ଷୀ ଏହା କହିଥିଲେ ମଧ୍ୟ ମାଙ୍କଡ଼କୁ ଏହା ଶ୍ରୁତିକଟୁ ବୋଧ ହୋଇଥିଲା। ପକ୍ଷୀ ଉପରେ ଭୟଙ୍କର କ୍ରୋଧିତ ହୋଇଥିଲା। ବର୍ଷା କମିଯାଇଥିଲା। ପକ୍ଷୀ ଦମ୍ପତି ଖାଦ୍ୟ ଅନ୍ବେଷଣରେ ବାହାରକୁ ଚାଲିଯାଇଥିଲେ। ଏହି ମଉକାରେ ମାଙ୍କଡ଼ ବସା ନିକଟକୁ ଯାଇ ବସାକୁ ଛିଡ଼ାଇ ଖଣ୍ଡ ଖଣ୍ଡ କରି ତଳକୁ ଫିଙ୍ଗି ଦେଇଥିଲା। ପକ୍ଷୀ ଦମ୍ପତି ଫେରି ଦେଖନ୍ତି ତ ତାଙ୍କର ବସା ଟୁକୁଡ଼ା ଟୁକୁଡ଼ା ହୋଇ ଗଛତଳେ ପଡ଼ିଛି। ଏହା ଦେଖି ବହୁତ ଦୁଃଖୀ ହୋଇଥିଲେ ପକ୍ଷୀ ଦମ୍ପତି। ଏକ ବୃଦ୍ଧ ପକ୍ଷୀ ଆଶ୍ବାସନା ଦେଇ କହିଥିଲା- ଏବେର ଆଉ କ’ଣ କରିବ? ପୁଣି ଥରେ ମେହେନତ କରି ଆପଣାର ବସା ତିଆରି କର। ହେଲେ ଏ କଥାକୁ ସର୍ବଦା ମନେ ରଖିଥିବ ଇତରଙ୍କୁ କେବେ ବି ସତ୍ ଉପଦେଶ ଦେବନାହିଁ।
ହିତକଥା ସେମାନଙ୍କୁ ବିଷ ପରି ଲାଗିଥାଏ। ଯଦି ତୁମେ ସେହି ମୂର୍ଖ, ଇତର ମାଙ୍କଡ଼କୁ ହିତଉପଦେଶ ଦେଇ ନଥାନ୍ତ ତା’ହେଲେ ତୁମର ବହୁ କଷ୍ଟରେ ତିଆରି ହୋଇଥିବା ବସା ଏଭଳି ନଷ୍ଟ ହୋଇ ନଥାନ୍ତା। ଯଥାର୍ଥରେ ମୂର୍ଖକୁ ଉପଦେଶ ଦେଲେ ଲାଭ ତ କିଛି ହୋଇ ନଥାଏ, ବରଂ ବିସ୍ତର କ୍ଷତି ହୋଇଥାଏ।



