ନୂଆଦିଲ୍ଲୀ: ରାସ୍ତାରେ ବାଇକ୍ ଚଳାଇବା ସମୟରେ ହାତ ଛାଡିଲେ ଏଣିକି ଷ୍ଟାର୍ଟ ବନ୍ଦ ହୋଇଯିବ। ରାସ୍ତାରେ କିଛି ଦୁଇଚକିଆ ଯାନ ଚାଳକଙ୍କ ଅବହେଳା ଯୋଗୁଁ ଘଟୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ଏଭଳି ଏକ ପ୍ରଯୁକ୍ତିବିଦ୍ୟା ଖୁବ୍ ଶୀଘ୍ର ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି। ରାସ୍ତାରେ ମୋଟର ସାଇକଲରେ ଷ୍ଟଣ୍ଟ ବା ଦୁଃସାହସିକ କାର୍ଯ୍ୟ ଫଳରେ ଦୁର୍ଘଟଣା ଘଟୁଛି। ଏଭଳି ଅବହେଳା ଯୋଗୁଁ କିଛି ନିର୍ଦ୍ଧାରିତ ଚାଳକ ନିଜ ଜୀବନ ସହ ଅନ୍ୟମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛନ୍ତି। ଏହାର ସମାଧାନ ପାଇଁ ବାଇକର ହ୍ୟାଣ୍ଡେଲରେ ଏକ ସେନ୍ସର ଲଗାଯିବ। ଯେଉଁମାନେ ହାତ ଛାଡି ବାଇକ ଚଲାଉଛନ୍ତି ବା ମୋବାଇଲ ବ୍ୟବହାର କରୁଛନ୍ତି, ସେମାନଙ୍କ ହାତ ଛାଡିବାର ମାତ୍ର ୬-୭ ସେକେଣ୍ଡ ମଧ୍ୟରେ ଗାଡିର ବେଗ କମିବା ସହ ଶେଷରେ ଷ୍ଟାର୍ଟ ବନ୍ଦ ହୋଇଯିବ।
ଟ୍ରାଫିକ୍ କଟକଣା ଓ ଜୋରିମାନା ସତ୍ତ୍ବେ ମଧ୍ୟ ଅମାନିଆଙ୍କୁ ରୋକିବା ସହଜ ହୋଇପାରୁନଥିବାରୁ ଏହି ସମାଧାନକୁ ଗୁରୁତ୍ବ ଦିଆଯାଉଛି। ସରକାରୀ ରିପୋର୍ଟ ଅନୁସାରେ ଦୁଇଚକିଆ ଯାନ ଦୁର୍ଘଟଣା ବଢିବାରେ ଲାଗିଛି। ୨୦୨୧ ମସିହାରେ ଦୁଇଚକିଆ ଯାନ ଦୁର୍ଘଟଣାରେ ୬୯,୩୮୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୩ରେ ଏହି ସଂଖ୍ୟା ବୃଦ୍ଧି ପାଇ ୭୭,୫୩୯ ହୋଇଥିଲା। ୨୦୨୩ରେ ଦୁଇଚକିଆ ଯାନ ଚାଳକଙ୍କ ବେପରୁଆ ଚାଳନା ଯୋଗୁଁ ୪୮,୧୮୧ ଜଣଙ୍କ ମୃତ୍ୟୁ ହୋଇଛି।



