ବିନିକା : ସୁବର୍ଣପୁର ଜିଲାର ବିନିକା-ରାମପୁର ୧୨୬(ଏ) ଜାତୀୟ ରାଜପଥରେ ଯାତ୍ରୀଙ୍କୁ ନେଇ ବସଟି ଯାଉଥିବା ବେଳେ ସିଂଘିଯୁବା ନିକଟରେ ଥିବା ଏକ ବ୍ରିଜ ତଳକୁ ହଠାତ ଖସି ପଡିଥିଲା । ଫଳରେ ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଗୁରୁତର ଆହାତ ହୋଇଥିବା ବେଳେ ୩୫ ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।
ଆଜି ଚାରିଆଡ଼େ ପ୍ରବଳ କୁହୁଡ଼ି ହୋଇଥିବା ବେଳେ ଜୟଭୋଲେ ନାମକ ଏକ ନାଇଟ କୋଚ ଘରୋଇ ଯାତ୍ରୀବାହୀ ବସ ଭୁବନେଶ୍ଵରରୁ ବରଗଡ ଜିଲାର ଦିପ୍ତିପୁର ଅଭିମୁଖେ ଯାଉଥିବା ବେଳେ ସିଂଘିଯୁବା ନିକଟରେ ଡ୍ରାଇଭରର ଆଖି ଲାଗିବାରୁ ବସ ବ୍ରିଜ ତଳକୁ ଖସି ଦୁର୍ଘଟଣା ଘଟିଛି । ଏଥିରେ ଗୁରୁତର ଓ ଆହାତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀମାନେ ଉପସ୍ଥିତ ସ୍ଥାନୀୟ ଲୋକଙ୍କ ସହାୟତାରେ ଘଟଣା ସ୍ଥଳରୁ ଉଦ୍ଧାର କରି ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ଖବର ପାଇ ଘଟଣା ସ୍ଥଳକୁ ସୁବର୍ଣପୁର ଜିଲାପାଳ ନୃପରାଜ ସାହୁ ଏବଂ ଜିଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକଙ୍କ ସମେତ ବିନିକା ବିଡିଓ ମଣ୍ଟୁ ଖମାରୀ ଓ ଏନଏସି କାର୍ୟ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ଭୋଇ ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଗୁରୁତର ଓ ଆହାତ ମାନଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଦୁର୍ଘଟଣାରେ ବସ ଚୁରମାର ହୋଇଯାଇଛି।



