ସମାଜଲାଇଭ ଡେସ୍କ: ନିଜ ସ୍କୁଲର କର୍ମଚାରୀଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଜଣେ ପ୍ରଧାନଶିକ୍ଷକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଲେ କନ୍ଧମାଳ ଜିଲା ବୁଡ଼ାଗୁଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କୁମାରମଣି ମଲ୍ଲିକ।
ନିଜ ସ୍କୁଲର ଜଣେ କର୍ମଚାରୀଙ୍କ ଉପସ୍ଥାନକୁ ନିୟମିତ କରାଇବା ଏବଂ ଗତ ୨ ମାସର ଦରମା ଉଠାଇବାରେ ସହଯୋଗ କରିବା ଲାଗି କୁମାରମଣି ତାଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଟଙ୍କା ନ ଦେଲେ ଦରମା ଉଠାଇ ପାରିବ ନାହିଁ ବୋଲି ପ୍ରଧାନଶିକ୍ଷକ ଧମକ ଦେଇଥିଲେ। କୌଣସି ଉପାୟ ନ ପାଇ କର୍ମଚାରୀ ଜଣକ ଏ ସମ୍ପର୍କରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଏହା ପରେ ଯୋଜନା ଅନୁଯାୟୀ ଭିଜିଲାନ୍ସ ଅଧିକାରୀମାନେ କୁମାରମଣିଙ୍କୁ ଧରିଥିଲେ। କର୍ମଚାରୀ ଜଣକ ପ୍ରଧାନଶିକ୍ଷକଙ୍କୁ ଫୋନ ପେ ଜରିଆରେ ୪ ହଜାର ଟଙ୍କା ପଠାଇଥିଲେ। ଭିଜିଲାନ୍ସ ପ୍ରଧାନଶିକ୍ଷକଙ୍କ ଉକ୍ତ ଫୋନକୁ ଜବତ କରିଛି।
ଏହା ପରେ ଭିଜିଲାନ୍ସ ପକ୍ଷରୁ କୁମାରମଣିଙ୍କ ୩ଟି ଠିକଣାରେ ଚଢ଼ାଉ କରାଯାଇଛି। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି।



