ବ୍ରହ୍ମପୁର: ଦୀର୍ଘ ୧୬ ଦିନର କସରତ ପରେ ବହୁଚର୍ଚ୍ଚିତ ବ୍ରହ୍ମପୁରର ବିଜେପି ନେତା ତଥା ରାଜ୍ୟ ବାର୍ କାଉନସିଲ ସଭ୍ୟ ପୀତବାସ ପଣ୍ଡା ହତ୍ୟା ରହସ୍ୟ ଉନ୍ମୋଚନ ହୋଇଛି। ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। ଗତ ୬ ତାରିଖରେ ଘଟିଥିବା ଏହି ହତ୍ୟା ଘଟଣାରେ ପୁଲିସ ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାଶ ଓରଫ୍ ପିଣ୍ଟୁ(୪୯), ୪୧ ନଂ ୱାର୍ଡର କର୍ପୋରେଟର ତଥା ପଣ୍ଡା କଲୋନୀର ମଳୟ ବିଷୋୟୀ(୫୮) ସମେତ ୧୨ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ବିଜିପୁର ବଡ଼ସାହିର ମଦନ ଦଳେଇ(୫୦), ବଡ଼ଗଡ଼ର ସୀମାଞ୍ଚଳ ନାୟକ ଓରଫ୍ ସୀମା(୩୦), ହିଞ୍ଜିଳିକାଟୁର ବିପିନ ସ୍ବାଇଁ(୩୫), ବନ୍ଥପଲ୍ଲୀର ଚିଣ୍ଟୁ ପ୍ରଧାନ(୨୫), ଯୋଗେନ୍ଦ୍ର ରାଉତ ଓରଫ୍ ଯୋଗୀ(୨୫) ଓ କାଳୁ ଚରଣ ଭୂୟାଁ(୩୯), ନୟାଗଡ଼ ଚାନ୍ଦପୁରର ରାଜେନ୍ଦ୍ର କୁମାର ସାହୁ(୨୩) ଏବଂ ବିହାର ରାସୁଲାର ଶିଶୁପାଳ କୁମାର ପାଶୱାନ(୨୫) ଓ ଏନଡିପିସି ଦିବାରର କୁନ୍ଦନକୁମାର(୨୨) ଅନ୍ତର୍ଭୁକ୍ତ। ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା। ହତ୍ୟାକାରୀମାନେ ଅଗ୍ରୀମ ୧୦ଲକ୍ଷ ଟଙ୍କା ନେଇଥିଲେ। ହତ୍ୟା ପରେ ବଳକା ଟଙ୍କା ନେଇଥାନ୍ତେ। ପ୍ରଥମେ ଏଥିପାଇଁ ବାହାର ରାଜ୍ୟର ସାର୍ପସୁଟରଙ୍କୁ ନିୟୋଜିତ କରାଯାଇଥିଲା। ମାତ୍ର ଏଥିରୁ ସେମାନେ ଓହରିଯିବାରୁ ଗଞ୍ଜାମର ସାର୍ପସୁଟରଙ୍କ ଦ୍ବାରା ଏହି ହତ୍ୟା କରାଯାଇଥିବା ତଦନ୍ତରୁ ଜଣାପଡିଛି। ବ୍ୟକ୍ତିଗତ ଓ ରାଜନୈତିକ ଶତ୍ରୁତାରୁ ହିଁ ଏହି ହତ୍ୟା ହୋଇଥିବା ପୁଲିସ ତଦନ୍ତରୁ ଜଣାପଡିଛି। ହତ୍ୟା ପାଇଁ ଷଡଯନ୍ତ୍ର ରଚିଥିବା ଅଭିଯୋଗରେ ବିକ୍ରମ ଓ ପିଣ୍ଟୁଙ୍କୁ ଗିରଫ କରାଯାଇଥିବା ବେଳେ ହତ୍ୟାକାରୀଙ୍କୁ ଏଠାକୁ ଆଣିବା,ସେମାନଙ୍କୁ ରଖିବା ସହ ଏଥିରେ ସହଯୋଗ କରିବାରେ ପୁଲିସ ଅନ୍ୟମାନଙ୍କୁ ଗିରଫ କରିଛି। ୧୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପୀତବାସଙ୍କୁ ଗୁଳି ଚଳାଇଥିବା କୁରୁପତି ଭୂୟାଁ ଏବଂ ହତ୍ୟାକାରୀଙ୍କୁ ଯୋଗାଡ଼ କରିଥିବା ଉମା ବିଷୋୟୀ ସମେତ ୩ଜଣ ଏଯାଏଁ ଫେରାର ରହିଥିବା ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡା.ସର୍ବଣା ବିବେକ ଏମ୍ ଏକ ଭରପୁର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ପୀତବାସଙ୍କୁ ହତ୍ୟା ପାଇଁ ଏକ ସୁଚିନ୍ତିତ ଯୋଜନା ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଥିଲା। ଗତ ସେପ୍ଟେମ୍ବର ୧୦ରୁ ୧୪ ତାରିଖ ମଧ୍ୟରେ ପୀତବାସଙ୍କୁ ହତ୍ୟା ପାଇଁ ବିହାରରୁ ଏକ ଟିମ୍ ବ୍ରହ୍ମପୁର ଆସିଥିଲେ। ଉମା ବିଷୋୟୀ ଓ ଯୋଗେନ୍ଦ୍ର ରାଉତଙ୍କ ନିର୍ଦେଶରେ ବିପିନ ସ୍ବାଇଁ ଓ ସୀମାଞ୍ଚଳ ନାୟକ ବିହାରର କିଛି ସୁଟରଙ୍କୁ ଏଠାକୁ ଆଣିଥିଲେ। ସେମାନେ ସମସ୍ତେ ଅଳକାପୁରୀରେ ଏକ ଭଡ଼ା ଘରେ ରହିଥିଲେ। ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା ସହ ଗାଡ଼ି ବ୍ୟବସ୍ଥା ଉମା ଓ ଯୋଗେନ୍ଦ୍ର ବୁଝୁଥିଲେ। ଏହି ୪ଜଣ ସେପ୍ଟେମ୍ବର ୧୪ ତାରିଖରେ ପୀତବାସଙ୍କୁ ହତ୍ୟା ପାଇଁ ଯୋଜନା କରିବା ସହ ପୀତବାସଙ୍କ ଚାମ୍ବର ମଧ୍ୟ ଦେଖିଥିଲେ। ସେମାନେ ଏଥିପାଇଁ ୧୦ ଲକ୍ଷ ଟଙ୍କା ମଧ୍ୟ ଡିଲ୍ କରିଥିଲେ। ଏହି ୪ ଜଣଙ୍କୁ ମଳୟ ବିଷୋୟୀ ଓ ମଦନ ଦଳେଇଙ୍କ ନିର୍ଦେଶରେ ଅଳକାପୁରୀରେ ରଖାଯାଇଥିଲା ବୋଲି ଏସ୍ପି କହିଛନ୍ତି।
ତେବେ ବିହାର ସୁଟରଙ୍କ କିଛି ପାରିବାରିକ ସମସ୍ୟା ଯୋଗୁ ସେମାନେ କାମ କରି ନ ପାରି ଫେରି ଯାଇଥିଲେ। ପରେ ବନ୍ଥପଲ୍ଲୀର ଚିଣ୍ଟୁ ପ୍ରଧାନ ଓ କୁରୁପତି ଭୂୟାଁଙ୍କୁ ଏଥିପାଇଁ ଯୋଗାଯୋଗ କରାଯାଇଥିଲା। ଚିଣ୍ଟୁ ବେଙ୍ଗାଲୁରରୁ ଏଠାରେ ଆସି ପହଞ୍ଚିଥିଲା। ଚିଣ୍ଟୁ ଓ କୁରୁପତି ଏଠାକୁ ଆସି ପୀତବାସଙ୍କ ଘରଠାରୁ ଅଳ୍ପ ଦୂରରେ ରହି ଅଭ୍ୟାସ କରିଥିଲେ। ପରେ ଅକ୍ଟୋବର ୬ତାରିଖରେ ଚିଣ୍ଟୁ ଓ କୁରୁପତି ଏଥିପାଇଁ ନିଜକୁ ପ୍ରସ୍ତୁତ କରି ଅଳକାପୁରୀ ଯାଇ ନୂତନ ପ୍ୟାଣ୍ଟସାର୍ଟ, ଜୋତା ସହ ବନ୍ଧୁକ ଧରି ପୀତବାସଙ୍କ ଘର ନିକଟକୁ ଆସିଥିଲେ। ଚିଣ୍ଟୁ ବାଇକ୍ ଚଳାଉଥିଲା ଓ କୁରୁପତି ବନ୍ଧୁକ ଧରି ଗାଡ଼ିରେ ବସିଥିଲା। ପୀତବାସଙ୍କ ଘର ନିକଟକୁ ଆସିବା ପରେ ନାମ ପଚାରି ଆଜ୍ଞା ନମସ୍କାର କରି କୁରୁପତି ତାଙ୍କ ଉପରକୁ ଗୋଟିଏ ଗୁଳି ଚଳାଇଥିଲା। ପୀତବାସ ତଳେ ପଡିଯିବା ପରେ ଉଭୟେ ସେଠାରୁ ଶୀତଳାପଲ୍ଳୀ ଯାଇ ପ୍ୟାଣ୍ଟସାର୍ଟ ବଦଳାଇ ସେଠାରୁ ରାମେଶ୍ବରକୁ ଯାଇ ବାଇକ୍କୁ ସେଠାରେ ଛାଡ଼ିଦେଇ ଭୁବନେଶ୍ବର ଓ ପୁରୀ ଚାଲି ଯାଇଥିଲେ। ସେମାନେ ଛାଡ଼ି ଯାଇଥିବା ବାଇକ୍କୁ ଜଣେ କବାଡ଼ି ବାଲା ଭାଙ୍ଗି ବିକ୍ରି କରିଦେଇଥିଲେ। ପରେ ଚିଣ୍ଟୁ ଓ କୁରୁପତି ପୁରୀ ଯାଇଥିଲେ। ସେଠାରୁ ଚିଣ୍ଟୁ ଓ କୁରୁପତି ରାଜସ୍ଥାନର ଜୟପୁରକୁ ଯାଇ ବିକ୍ରମ ପଣ୍ଡାଙ୍କ ବନ୍ଧୁ କୁହାଯାଉଥିବା ସୁନୀଲ ହୋତାଙ୍କ ଫାର୍ମ ହାଉସରେ ରହିଥିଲେ। ଏହି ସମୟରେ ମଦନ ଓ ମଳୟ ସେମାନଙ୍କ ସହିତ ଯୋଗାଯୋଗରେ ଥିଲେ।
ଏସ୍ପିଙ୍କ କହିବାନୁସାରେ ତଦନ୍ତ ସମୟରେ ଫୋନ୍ ଟ୍ରାକିଂରୁ ପୂର୍ବତନ ମେୟର ଶିବଶଙ୍କର ଦାଶ ମଦନ ଓ ମଳୟ ସହିତ ମଧ୍ୟ ଯୋଗାଯୋଗରେ ରହିଥିବା ସୂଚନା ମିଳିଥିଲା। ସେହିପରି ପୀତବାସଙ୍କୁ ରାସ୍ତାରୁ ହଟାଇବା ପାଇଁ ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାଶ ଯୋଜନା କରିଥିବା ତଦନ୍ତରୁ ଜଣାପଡିଥିଲା। ପୀତବାସଙ୍କ କାରଣରୁ ହିଁ ପିଣ୍ଟୁ ବିଧାନସଭା ଟିକଟ ପାଇ ନଥିବା ସେ ଅନୁଭବ କରିଥିଲେ। ସେହିପରି ପିଣ୍ଟୁଙ୍କୁ ହୋଇଥିବା ଗୁଳିମାଡ଼ ପଛରେ ପୀତବାସ ରହିଥିବା ସେ ଅନୁମାନ କରିଥିଲେ। ଏଥିପାଇଁ ଉଭୟଙ୍କ ମଧ୍ୟରେ ତିିକ୍ତତା ଲାଗି ରହିଥିଲା। ସେହିପରି ବିକ୍ରମଙ୍କ ଯୋଗୁଁ ୨୦୨୩ରେ ପୀତବାସ ବାର୍ କାଉନସିଲ ଉପାଧ୍ୟକ୍ଷ ପଦ ପାଇପାରି ନ ଥିଲେ। ଏଥିପାଇଁ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ତେଣୁ ବିକ୍ରମଙ୍କୁ ରାଜନୈତିକ ସ୍ତରରେ ବଦନାମ କରିବାକୁ ପୀତବାସ ଉଦ୍ୟମ କରିବେ ବୋଲି ବିକ୍ରମଙ୍କ ନିଜ ଲୋକଙ୍କ ପାଖରେ ସବୁବେଳେ କହୁଥିଲେ। ପୀତବାସଙ୍କ ଯୋଗୁ ବିକ୍ରମ ବିଭିନ୍ନ ଗଣମାଧ୍ୟମରେ ନିନ୍ଦିତ ମଧ୍ୟ ହେଉଥିଲେ। ଏହାସହିତ ପୀତବାସ ମଧ୍ୟ ବିକ୍ରମଙ୍କ ବ୍ୟବସାୟିକ କ୍ଷତି କରିଥିଲେ। ଉଭୟ ବିକ୍ରମ ଓ ପିଣ୍ଟୁ ପୀତବାସଙ୍କୁ ରାସ୍ତାରୁ ହଟାଇବା ପାଇଁ ମଳୟ ଓ ମଦନଙ୍କ ସହାୟତାରେ ଅନ୍ୟମାନଙ୍କୁ ଏଥିପାଇଁ ନିୟୋଜିତ କରିଥିଲେ ବୋଲି ଏସ୍ପି କହିଛନ୍ତି।
ସେହିପରି ୨୦୨୪ରେ ହୋଇଥିବା ନିର୍ବାଚନ ପିଟିସନ ପିଣ୍ଟୁ ଦାଶଙ୍କ ଦ୍ବାରା ଦାଖଲ ହୋଇଥିବା ବେଳେ ଏହାର ଆର୍ଥିକ କାରବାର ବିକ୍ରମ ବୁଝୁଥିଲେ। ପିଟିସନ ଗୃହୀତ ହେଲେ ବ୍ରହ୍ମପୁର ଆସନରେ ହେବାକୁ ଥିବା ବିଧାନସଭା ଉପ ନିର୍ବାଚନରେ ବିକ୍ରମ ଛିଡ଼ା ହୋଇଥାନ୍ତେ ଏବଂ ଆଗାମୀ ଦିନରେ ପିଣ୍ଟୁଙ୍କୁ ମେୟର ପାଇଁ ବିକ୍ରମ ସମର୍ଥନ ଦେବାକୁ ମଧ୍ୟ ଆଲୋଚନା ହୋଇଥିଲା। ଏଥିପାଇଁ ପୀତବାସଙ୍କ ହତ୍ୟା ଷଡଯନ୍ତ୍ର ରଚାଯାଇଥିଲା ବୋଲି ଏସ୍ପି କହିଥିଲେ। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ସାର୍ପସୁଟର କୁରୁପତି, ଅନ୍ୟ ଷଡଯନ୍ତ୍ରକାରୀ ଉମା ବିଷୋୟୀ ସହ ୩ଜଣ ଫେରାର ଥିବା ଏସ୍ପି କହିଛନ୍ତି। ଉକ୍ତ ମାମଲାରେ ଆଉ କାହାରି ସମ୍ପୃକ୍ତି ଆସିଲେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସ୍ପି କହିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ବିଏନ୍ଏସ୍ର ଧାରା ୧୦୩(୧)/୬୧(୨)(ଏ)/୧୧୧(୨)(ଏ)/୨୩୮(ଏ)/୨୪୯(ଏ)/୩(୫) ଅନୁସାରେ ମକଦ୍ଦମା ରୁଜୁ କରାଯାଇଛି। ଅଭିଯୁକ୍ତମାନେ ଲୁଚାଇଥିବା ୨ ବନ୍ଧୁକ, ହେଲମେଟ ଓ ମୋବାଇଲ ଜବତ କରାଯାଇଛି। ସମସ୍ତଙ୍କୁ ପୂର୍ବାହ୍ନରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା।
ବିକ୍ରମଙ୍କ ଗିରଫର ଦୃଢ ପ୍ରତିବାଦ କରିଛି ବିଜେଡି। ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ବରେ ଗଞ୍ଜାମ ଜିଲାର ବହୁ ପୂର୍ବତନ ବିଧାୟକ, ଦଳୀୟ କର୍ମକର୍ତ୍ତା ଓ କର୍ମୀ ଏକ ଶୋଭାଯାତ୍ରାରେ ଯାଇ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜନୈତିକ ଅଭିସନ୍ଧି ରଖି ବିକ୍ରମଙ୍କୁ ଗିରଫ କରାଯାଇଛି ବୋଲି ଅଭିଯୋଗ କରିବା ସହ ସ୍ଥାନୀୟ ଖଣିମନ୍ତ୍ରୀ ଓ ସରକାରଙ୍କ ଉପରେ ନାରାବାଜି ଦେଇଥିଲେ।



