ଆରଡ଼ି: ପବିତ୍ର ମହାବିଷୁବ(ପଣା) ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷର ପ୍ରଥମ ଦିନରେ ରାଜ୍ୟର ପ୍ରସିଦ୍ଧ ଶୈ÷ବପୀଠ ଆରଡ଼ିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ବୈଶାଖୀ ବ୍ରତ ଆରମ୍ଭ ହୋଇଛି। ପରମ୍ପରା ଓ ରୀତିନୀତି ଅନୁଯାୟୀ ଆଜିଠାରୁ ଏକମାସ ଧରି ଅନୁଷ୍ଠିତ ହେବାକୁ ଥିବା ଶୀତଳ ଉପଚାର ନୀତିରେ ଦୂରଦୁରାନ୍ତରୁ ଗୋପାଳ ଭକ୍ତମାନେ ନଦୀରୁ ଜଳ ଆଣି ମଣିବାବାଙ୍କୁ ଲାଗି କରିଥାନ୍ତି। ଗୋପାଳଭକ୍ତମାନଙ୍କ ‘ହରହର ମହାଦେବ’, ‘ଓଁ ନମଃ ଶିବାୟ’ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ଆରଡ଼ିପୀଠ। ସେହିପରି ମନ୍ଦିରର ପ୍ରଚଳିତ ବିରଜା ପାଞ୍ଜି ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷମାନଙ୍କ ପକ୍ଷରୁ ମନ୍ଦିର ବେଢ଼ାରେ ପାଞ୍ଜି ପଠନ କରାଯାଇଥିବା ବେଳେ ବହୁ ସକୀର୍ତ୍ତର୍ନ ମଣ୍ଡଳୀଙ୍କ ପକ୍ଷରୁ ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଭକ୍ତମାନଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ମନ୍ଦିରର ଦୈନନ୍ଦିନ ନୀତି ନିର୍ଘଣ୍ଟର ଏକ ଘଣ୍ଟା ପୂର୍ବରୁ ଅର୍ଥାତ ଭୋର ୪ଟାରେ ମନ୍ଦିରର ମୁଖ୍ୟଦ୍ୱାର ଫିଟାଯାଇଥିଲା। ମନ୍ଦିର ମାର୍ଜନା ସହ ବାବାଙ୍କର ମଙ୍ଗଳ ଆଳତି, ମହୁ, ଘର୍ଷଣ ସ୍ନାନ, ଜଳାଭିଷେକ ସରିବା ପରେ ବାବାଙ୍କୁ ଦିଗମ୍ବର ବେଶରେ ସୁସଜ୍ଜିତ କରାଯାଇ ବାଲ୍ୟଭୋଗ ଲାଗି କରାଯାଇଥିଲା। ପରେ ଗୋପାଳ ଭକ୍ତମାନେ ମଣିବାବାଙ୍କୁ ୫ଟା ଠାରୁ ଦିବା ୧ଟା ପର୍ଯ୍ୟନ୍ତ ଶୀତଳଉପଚାର ନିମନ୍ତେ ଜଳଛାୟା କରିବା ସହିତ ପଣାଭୋଗ ଲାଗି କରିଥିଲେ। ଏଥିସହିତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମାନସିକ ଧାରୀ ଭକ୍ତମାନେ ମନ୍ଦିର ଭିତରକୁ ଧାଡ଼ିରେ ଯାଇ ବାବାଙ୍କ ପାଖରେ ଦୀପ ଜାଳିବା ସହିତ ମାନସିକ ସ୍ୱରୁପ ପ୍ରସିଦ୍ଧ ଘର୍ଷଣ ଓ ପଣା ଲାଗି କରିଥିଲେ।
Popular Categories



