କଠୁଆ ବଳାତ୍କାର ମାମଲା : ପୀଡ଼ିତାର ପରିଚୟ ପ୍ରଘଟ କରିଥିବା ୧୨ ଗଣମାଧ୍ୟମକୁ ଜବାବ ତଲବ

0

ନୂଆଦିଲ୍ଲୀ : କଠୁଆ ବଳାତ୍କାର ଓ ହତ୍ୟା ମାମଲାରେ ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଥିବା ଗଣମାଧ୍ୟମଙ୍କୁ ଦିଲ୍ଲୀ ହାଇକୋର୍ଟ କଡା ଭାଷାରେ ନିନ୍ଦା କରିଛନ୍ତି । ଏହାସହ ପଡ଼ିତାର ଫଟୋ ଓ ନାମ ପ୍ରକାଶ ଉପରେ ରୋକ୍‌ ଲଗାଇଛନ୍ତି । ମହିଳା ଏବଂ ଶିଶୁ ଅଧିକାର ପାଇଁ କାର୍ଯ୍ୟ କରୁଥିବା ନେଇ ଦାବି କରି ଆସୁଥିବା କେତେକ ସଂସ୍ଥାକୁ ବି ହାଇକୋର୍ଟ ସମାଲୋଚନା କରିଛନ୍ତି । ଦିଲ୍ଲୀ ହାଇକୋର୍ଟର ବିଚାରପତି ଗୀତା ମିତ୍ତଲଙ୍କ ଖଣ୍ଡପୀଠ ଜାମ୍ମୁ କାଶ୍ମୀର କଠୁଆ ଗଣବଳାତ୍କାର ପୀଡ଼ିତାର ନାମ ଓ ଫଟୋ ପ୍ରକାଶ କରିଥିବାରୁ ୧୨ଟି ଗଣମାଧ୍ୟମକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି । ପୀଡ଼ିତାର ନାମ, ପରିବାର ପରିଚୟ, ସ୍କୁଲ ନାମ ପ୍ରସାରଣ କରିଥିବା କେତେକ ଟିଭି ଚ୍ୟାନେଲ ଏବଂ ଖବରକାଗଜକୁ କଡ଼ା ନିନ୍ଦା କରିଛନ୍ତି । ପୋସ୍କୋ ଆଇନ୍‌ର ଉଲ୍ଲଙ୍ଘନ କରିଥିବାରୁ କାହିଁକି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ଯିବ ନାହିଁ ତାହା ଦର୍ଶାଇବା ପାଇଁ ଏହି ୧୨ ଗଣମାଧ୍ୟମକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଖଣ୍ଡପୀଠ କହିଛନ୍ତି ଯେ ବଳାତ୍କାର ପୀଡ଼ିତା, ନାବାଳକ କିମ୍ବା ପାଗଳ ବ୍ୟକ୍ତିଙ୍କ ଫଟୋ ଏବଂ ନାମ ପ୍ରକାଶ କରାଯାଇପାରିବ ନାହିଁ; ଏହା ଗଣମାଧ୍ୟମକୁ ଜ୍ଞାତ ହେବା ଆବଶ୍ୟକ । ଏହି ଆଇନକୁ କଡା ଭାବେ ପାଳନ କରାଯିବା ଆବଶ୍ୟକ। ଖଣ୍ଡପୀଠ ଜାତୀୟ ବାଳ ଅଧିକାର ସଂରକ୍ଷଣ ଆୟୋଗ (ଏନ୍‌ସିପିସିଆର), ଦିଲ୍ଲୀ ମହିଳା ଅୟୋଗଙ୍କୁ ବି ପକ୍ଷଭୁକ୍ତ କରି ନୋଟିସ୍‌ ଜାରି କରିଛନ୍ତି । ପୀଡ଼ିତାର ଫଟୋ ଓ ନାମ ପ୍ରକାଶ କରାଯାଇଥିବା ଜାଣି ମଧ୍ୟ କାହିଁକି ଏହି ଦୁଇ ପ୍ରତିଷ୍ଠାନ କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ ତାହା ଜଣାଇବାକୁ କୁହାଯାଇଛି। ଏହି ମାମଲାରେ ଅଦାଲତକୁ ସାହଯ୍ୟ କରିବା ପାଇଁ ଅଧିବକ୍ତା ଅରବିନ୍ଦ ନିଗମ ଏବଂ ଅଧିବକ୍ତା ରାଜଶେଖର ରାଓଙ୍କୁ ନ୍ୟାୟ ମିତ୍ର ଭାବେ ନିଯୁକ୍ତି ଦିଆଯାଇଛି । ଏହାର ଆସନ୍ତା ଶୁଣାଣି ଅପ୍ରେଲ ୧୮ରେ ହେବ ।

Leave A Reply