ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୭ : ରବିଶଙ୍କରଙ୍କୁ ଜୟଦେବ ପୁରସ୍କାର
-ପାର୍ଥସାରଥି ଶ୍ରେଷ୍ଠ ଅଭିନେତା, -ସନ୍ମିରା ଶ୍ରେଷ୍ଠ ଅଭିନେତ୍ରୀ, -ହେଲୋ ଆର୍ସି’ ଶ୍ରେଷ୍ଠ ଚଳଚ୍ଚିତ୍ର
ଭୁବନେଶ୍ବର : ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ସମ୍ପନ୍ନ ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଉତ୍କଳ ମଣ୍ଡପରେ ଆୟୋଜିତ ଉତ୍ସବରେ ଚଳଚ୍ଚିତ୍ର ସମ୍ପାଦନା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ରବିଶଙ୍କର ପଟ୍ଟନାୟକଙ୍କୁ ‘ଜୟଦେବ ପୁରସ୍କାର’ ପ୍ରଦାନ କରାଯାଇଛି।
ସେହିପରି ଶ୍ରେଷ୍ଠ ଚଳଚ୍ଚିତ୍ରଭାବେ ‘ହେଲୋ ଆର୍ସି’ର ପ୍ରଯୋଜକ ଅଜୟ ରାଉତରାୟଙ୍କୁ ‘ମୋହନ ସୁନ୍ଦର ଦେବଗୋସ୍ୱାମୀ’ ସମ୍ମାନ ପ୍ରଦାନ କରାଯାଇଥିବାବେଳେ ଏହାର ନିର୍ଦେଶକ ସମ୍ବିତ୍ ମହାନ୍ତିଙ୍କୁ ଶ୍ରେଷ୍ଠ ନିର୍ଦେଶକ, ଅଭିନେତା ପାର୍ଥସାରଥି ରାୟଙ୍କୁ ଶ୍ରେଷ୍ଠ ଅଭିନେତାଭାବେ ପୁରସ୍କୃତ କରାଯାଇଛି। ‘ଲୈଲା ଓ ଲୈଲା’ର ନାୟିକା ସନ୍ମିରା ନାଗେଶଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପରସ୍କୃତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବୈଦ୍ୟନାଥ ଦାଶଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶକ, ‘ଦୃଷ୍ଟାନ୍ତ’ର ଜିତେନ୍ଦ୍ରନାଥ ମହାପାତ୍ରଙ୍କୁ କାହାଣୀକାର, ‘ସପନର ପଥେ ପଥେ’ (ବିତି ଯାଇଛି କେତେଦିନ)ର ସତ୍ୟଜିତ୍ ପ୍ରଧାନଙ୍କୁ ପ୍ରଚ୍ଛଦପଟ୍ଟ ଗାୟକ ଓ ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’ର ଶୀର୍ଷକ ଗୀତ ପାଇଁ ଅସୀମା ପଣ୍ଡାଙ୍କୁ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ପୁରସ୍କୃତ କରାଯାଇଛି। ‘ଶିବା ନଟ୍ ଆଉଟ୍’ର ଧ୍ରୁବାନନ୍ଦ ପଣ୍ଡାଙ୍କୁ ଚିତ୍ରଗ୍ରହଣ (ପ୍ରମୋଦ ପତି ସମ୍ମାନ), ପ୍ରାମାଣିକ ଚିତ୍ର ‘କ୍ଷଣିକା’ର ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କୁ ସମ୍ପାଦନା ପାଇଁ ପୁରସ୍କୃତ କରାଯାଇଛି। ‘ତୁ ମୋ ଲଭ୍ ଷ୍ଟୋରୀ’ର ‘ଟିକେ ଟିକେ ଅଚିହ୍ନା ତୁ’ ଗୀତ ପାଇଁ ଅରୁଣ ମନ୍ତ୍ରୀଙ୍କୁ ଗୀତିକାର ଓ ଦେବୀଦତ୍ତ ମହାନ୍ତିଙ୍କୁ ଚିତ୍ରନାଟ୍ୟ ପାଇଁ ସମ୍ମାନିତ କରାଯାଇଛି। ‘ଖାଣ୍ଟି ଓଡ଼ିଆ ଝିଅ’ର ମନୋଜ ପଟ୍ଟନାୟକଙ୍କୁ ପାର୍ଶ୍ବ ଅଭିନେତା ଓ ମାମୁନି ମିଶ୍ରଙ୍କୁ ପାର୍ଶ୍ବ ଅଭିନେତ୍ରୀ, ‘ହିରୋ ନଂ ୱାନ୍’ର ତ୍ରିଭୁବନ ପଣ୍ଡାଙ୍କୁ ହାସ୍ୟ କଳାକାର, ‘ସପନଟିଏ’ର ମାଗୁଣି ପାତ୍ର(ବବ୍ଲୁ)ଙ୍କୁ ଶିଶୁ କଳାକାରଭାବେ ପୁରସ୍କୃତ କରାଯାଇଛି। ‘ତୁ ମୋ ଲଭ୍ ଷ୍ଟୋରୀ’ର ସୁବାସ ବେହେରାଙ୍କୁ କଳା ନିର୍ଦେଶକ, ‘ହେଲୋ ଆର୍ସି’ର ସୁବାସ ସାହୁଙ୍କୁ ସାଉଣ୍ଡ ରେକର୍ଡିଷ୍ଟ, ‘ଶିବା ନଟ୍ ଆଉଟ’ର ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ‘ସ୍ୱତନ୍ତ୍ର ଜୁରି ଆୱାର୍ଡ’ ମିଳିଛି। ସେହିପରି ‘ଦୃଷ୍ଟାନ୍ତ’ର ବିଭୁଦତ୍ତ ଦୀକ୍ଷିତ ଓ ବିଭାବରୀ ରଥଙ୍କୁ ଶିକ୍ଷାଭିତ୍ତିକ/ଶିଶୁ ଚଳଚ୍ଚିତ୍ର, ‘ହେଲୋ ଆର୍ସି’ର ସମ୍ବିତ୍ ମହାନ୍ତି ସଂଳାପକାର, ‘ଜଷ୍ଟ ମୋହବତ’ ର ଅରୁଣ ପାଟରାଙ୍କୁ ବେଶ ପୋଷାକ ସଜ୍ଜାକାରୀ, ଏସ୍.କେ ମୁରଲୀଧରନଙ୍କୁ କୋରିଓଗ୍ରାଫି ଓ ‘ଜଗନ୍ନାଥ ଧାମ ପୁରୀ’ର ମାନସ ବେହେରାଙ୍କୁ ଶ୍ରେଷ୍ଠ ରୂପ ସଜ୍ଜାକାରୀ ଭାବେ ଉତ୍ସବରେ ପୁରସ୍କୃତ କରାଯାଇଛି।
ଶ୍ରେଷ୍ଠ ନାୟକ ପାର୍ଥସାରଥି ରାୟ, ଶ୍ରେଷ୍ଠ ନାୟିକା ସନ୍ମିରା ନାଗେଶ୨୦୧୭ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ନିମନ୍ତେ ୨୫ଟି ବିଭାଗରେ ଚଳଚ୍ଚିତ୍ର ଆବେଦନ କରାଯାଇଥିଲା। ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ଓ ଶ୍ରେଷ୍ଠ ଆଦିବାସୀ ଭାଷାର ଚଳଚ୍ଚିତ୍ର ପାଇଁ କୌଣସି ଆବେଦନ କରାଯାଇନଥିଲା। ପୁରସ୍କାର ପାଇଁ ସମୁଦାୟ ୨୨ଟି ଚଳଚ୍ଚିତ୍ର ଆସିଥିବାବେଳେ ସେଥିରୁ ୪ଟି ପ୍ରାମାଣିକ ଚଳଚ୍ଚିତ୍ର ଓ ୧୮ଟି ଓଡ଼ିଆ ଚଳଚ୍ଚିତ୍ର ଆସିଥିଲା। ଜୁରି କମିଟିରେ ୬ ସଦସ୍ୟ ଥିବାବେଳେ ଅଧ୍ୟକ୍ଷ ଥିଲେ ସଙ୍ଗୀତକାର ପ୍ରଫୁଲ୍ଲ କର।
ମୁଖ୍ୟ ଅତିଥିଭାବେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ସମ୍ମାନିତ ଅତିଥିଭାବେ ବିଧାୟକ ବିଜୟ କୁମାର ମହାନ୍ତି, ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଭାପତି ଡ. ରାମକୃଷ୍ଣ ସାହୁ, ସଚିବ ବିଜୟ କୁମାର ଜେନା ଉପସ୍ଥିତ ଥିଲେ। ନିର୍ଦେଶକ ବିଜୟ କୁମାର ନାୟକ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ସଂଯୋଜନା କରିଥିଲେ ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଦାୟିତ୍ବବୋଧ ବଢ଼ିଲା: ଜୟଦେବ ପୁରସ୍କାରପ୍ରାପ୍ତ ଶ୍ରୀ ପଟ୍ଟନାୟକ ସମ୍ପାଦନାକୁ ସ୍ବୀକୃତି ମିଳିଥିବାରୁ ସଂସ୍କୃତି ବିଭାଗକୁ କୃତଜ୍ଞତା ଜଣାଇବା ସହ ଦାୟିତ୍ବବୋଧ ବୃଦ୍ଧି ପାଇଥିବା କହିଥିଲେ। ସେହିପରି ଶ୍ରେଷ୍ଠ ନାୟକ ଶ୍ରୀ ରାୟ ରାଜ୍ୟ ପୁରସ୍କାର ତାଙ୍କୁ ପ୍ରୋତ୍ସାହିତ କରିଥିବା କହିଥିବାବେଳେ ଶ୍ରେଷ୍ଠ ନାୟିକା ସନ୍ମିରା କହିଛନ୍ତି ମୁଁ ଉଲ୍ଲସିତ। ଆଗକୁ ଯିବା ନିମନ୍ତେ ଏ ପୁରସ୍କାର ରାସ୍ତା ଦେଖାଇବ।
ଆକର୍ଷଣ ସାଜିଲେ ଶ୍ରୀଧର: ଚଳଚ୍ଚିତ୍ର ପୁରସ୍କାର ଉତ୍ସବର ଆକର୍ଷଣ ସାଜିଥିଲେ ‘କଥା ଦେଲି ମଥା ଛୁଇଁ’ର ପ୍ରଯୋଜକ ଶ୍ରୀଧର ମାର୍ଥା। ପୁରସ୍କାର ନିମନ୍ତେ ଜୁରି କମିଟି ଗଠନ ସମୟରେ ସେ ଅସନ୍ତୋଷ ପ୍ରକାଶ କରି ତାଙ୍କ ଚଳଚ୍ଚିତ୍ର ପ୍ରତ୍ୟାହାର ପାଇଁ ଆବେଦନ କରିଥିଲେ। ପରେ ଗଣମାଧ୍ୟମରେ ମନୋନୟନରେ ପାତର ଅନ୍ତର ହୋଇଥିବା ପରି ଗୁରୁତର ଅଭିଯୋଗ ମଧ୍ୟ ଆଣିଥିଲେ। ତେବେ ଆଜି ତାଙ୍କୁ ଉତ୍ସବରେ ଦର୍ଶକଙ୍କ ଗହଣରେ ଦେଖିବାକୁ ମିଳିଥିଲା। ସେ କହିଥିଲେ, ମୋର କେହି ଶତ୍ରୁ ନାହାନ୍ତି। ଆୟୋଜନରେ ଯେଉଁ ଗୁରୁତର ତ୍ରୁଟି ହେଉଛି ସେଥିରେ ସଂଶୋଧନ ଅଣାଯାଉ ବୋଲି ତାଙ୍କର ଦାବି। ଖୁବ୍ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରି ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଉଦ୍ୟମ କରିବେ ବୋଲି ସେ କହିଛନ୍ତି।