ଆଠଗଡ: ଆଠଗଡ ସ୍ଵତନ୍ତ୍ର ଅଦାଲତରେ ବିଚାର ହେଉଥିବା ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ସଂପୃକ୍ତ ଅଭିଯୁକ୍ତକୁ ସ୍ଵତନ୍ତ୍ର ବିଚାରପତି ରାଜକୁମାର ଦାସ ୧୦ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି।
ମାମଲା ବିବରଣୀରୁ ପ୍ରକାଶ ଯେ, ୨୦୨୩ ଜୁଲାଇ ୩୦ ତାରିଖରେ ଆଠଗଡ ଅବକାରୀ ବିଭାଗ ପକ୍ଷରୁ ପାଟ୍ରୋଲିଂ ବେଳେ ଏକ ସନ୍ଦିଗ୍ଧ ସ୍କର୍ପିଓ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ । ସେହି ଗାଡିରେ ଚୋରା ଚାଲାଣ ହେଉଥିବା ୭୫ଟି ପ୍ୟାକେଟରେ ଥିବା ମୋଟ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଥିଲେ । ଏଥିରେ ସଂପୃକ୍ତ ବୌଦ୍ଧ ଜିଲ୍ଲାର ସିନୁ ବିରୁ ଓ ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣାର ମୋହନ ବେହେରାଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲେ। ଉଭୟ ମୁଦାଲା ପରବର୍ତ୍ତୀ ସମୟରେ ଜାମିନରେ ଯାଇଥିଲେ। ମାମଲାର ବିଚାର ବେଳେ ଅଭିଯୁକ୍ତ ସିନୁ ଅଦାଲତରେ ଉପସ୍ଥିତ ରହୁଥିବା ବେଳେ ମନୋଜ ଫେରାର ହୋଇଯାଇଥିଲା। ଫଳରେ ମନୋଜ ନାମରେ ଗିରଫ ବିହୀନ ୱାରେଣ୍ଟ ଜାରି ହୋଇଛି । ଉକ୍ତ ମାମଲାର ବିଚାର ବେଳେ ଅବକାରୀ ବିଭାଗର ଅଭିଯୋଗ ଫର୍ଦ୍ଦ ଓ ସମସ୍ତ ସାକ୍ଷ୍ୟ ପ୍ରମାଣ ଏବଂ ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତିକୁ ଗ୍ରହଣ କରି ସ୍ଵତନ୍ତ୍ର ଅଦାଲତ ବିଚାରପତି ଅଭିଯୁକ୍ତ ସିନୁ ବିରୁକୁ ଦୋଷୀ ସାବ୍ୟସ୍ତ କରିଥିଲେ। ବିଚାରପତି ଗୁରୁବାର ତାଙ୍କ ରାୟ ପ୍ରକାଶ କରି ମୁଖ୍ୟ ଅଭିଯୁକ୍ତ ସିନୁକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜରିମାନା ଏବଂ ଅନାଦେୟ ଅଧିକ ୬ମାସ କାରାଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି। ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ପ୍ରସନ୍ନ କୁମାର ରାଉତ ପରିଚାଳନା କରିଥିଲେ।



