କିଙ୍ଗ୍ସ ଏକାଦଶକୁ ହରାଇଲା ବାଙ୍ଗାଲୋର
ବାଙ୍ଗାଲୋର : ଆଇପିଏଲ୍-୧୧ରେ ପ୍ରଥମ ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)। ଉମେଶ ଯାଦବଙ୍କ ବୋଲିଂ ସଫଳତା ବଳରେ ଶୁକ୍ରବାର କିଙ୍ଗ୍ସ ଏକାଦଶ ପଞ୍ଜାବକୁ ୪ ୱିକେଟରେ ଆର୍ସିବି ପରାସ୍ତ କରିଛି। କେ.ଏଲ୍. ରାହୁଲ ଓ ଆର୍. ଅଶ୍ୱିନଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି କିଙ୍ଗ୍ସ ୧୯.୨ ଓଭରରେ ୧୫୫ ରନ୍କରି ଅଲ୍ଆଉଟ ହୋଇ ଯାଇଥିଲା। ପରେ ଏବି ଡି’ଭିଲିଅର୍ସଙ୍କ ଅର୍ଦ୍ଧଶତକ ବଳରେ ୩ଟି ବଲ୍ ବାକିଥାଇ ୬ ୱିକେଟ ହରାଇ ଆର୍ସିବି ଜିତିଥିଲା। ୨ୟ ମ୍ୟାଚ୍ରେ ପ୍ରଥମ ପରାଜୟ ବରଣ କରିଛି ପଞ୍ଜାବ।
୧୫୬ ରନ୍ର ବିଜୟଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଓଭରରେ ବ୍ରେଣ୍ଡନ୍ ମ୍ୟାକ୍କଲମ୍ (୦)ଙ୍କ ୱିକେଟ ହରାଇଥିଲା। ଓପ୍ନର କ୍ୱିଣ୍ଟନ୍ ଡି କକ୍ ଓ ଅଧିନାୟକ ବିରାଟ କୋହଲି ୨ୟ ୱିକେଟ ପାଇଁ ୩୨ ରନ୍ ଯୋଡ଼ିଥିଲେ। ଆଫ୍ଗାନିସ୍ତାନର ଅଫ୍ସ୍ପିନର ମୁଜିବ୍ ଉର୍ ରେହ୍ମାନଙ୍କ ବଲ୍ରେ ବୋଲ୍ଡ ହେବା ପୂର୍ବରୁ କୋହଲି ୧୬ ବଲ୍ରୁ ୪ଟି ଚୌକା ସହ ୨୧ ରନ୍ କରିଥିଲେ। ପରେ ଦକ୍ଷିଣ ଆଫ୍ରିକାର ଦୁଇ ଖେଳାଳି ଡି କକ୍ ଓ ଏବି ଡି’ଭିଲିଅର୍ସ ୩ୟ ୱିକେଟ ପାଇଁ ୫୪ ରନ୍ ଯୋଡ଼ିଥିଲେ। ବାମହାତି ଡି କକ୍ ୩୪ ବଲ୍ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୪୫ ରନ୍କରି ଆଉଟ ହୋଇଥିଲେ। ସର୍ଫରାଜ ଖାଁ ପ୍ରଥମ ବଲ୍ରେ ଆଉଟ ହୋଇଥିଲେ। ଶେଷ ୪ ଓଭରରେ ୪୧ ରନ୍ ଆବଶ୍ୟକ ଥିବା ବେଳେ ଡି’ଭିଲିଅର୍ସଙ୍କ ପ୍ରହାର ଯୋଗୁଁ ୨ ଓଭରରୁ ୩୧ ରନ୍ ହେବାରୁ ବାଙ୍ଗାଲୋରର ବିଜୟ ସହଜ ହୋଇ ଯାଇଥିଲା। ପ୍ରଥମ ୩ ଓଭରରେ ୧୦ ରନ୍ ଦେଇଥିବା ମୁଜିବୁର ୪ର୍ଥ ଓଭରରେ ୧୯ ରନ୍ ଦେଇଥିଲେ। ମନଦୀପ ସିଂହଙ୍କ ସହ ୫ମ ୱିକେଟ ପାଇଁ ୬୦ ରନ୍ ଯୋଡ଼ିବା ପରେ ଡି’ଭିଲିଅର୍ସ ୪୦ ବଲ୍ରୁ ୪ଟି ଛକା ଓ ୨ଟି ଚୌକା ସହ ୫୭ ରନ୍କରି ଆଉଟ ହୋଇଥିଲେ। ମନଦୀପ ୧୯ ବଲ୍ରୁ ୨୨ ରନ୍ କରିଥିଲେ। କ୍ରିସ୍ ୱକ୍ସ ଓ ୱାଶିଂଟନ୍ ସୁନ୍ଦର ଦଳକୁ ଜିତାଇଥିଲେ। ଆର୍. ଅଶ୍ୱିନ ୨ଟି ୱିକେଟ ପାଇଥିଲେ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ୍ ଜିତି ଫିଲ୍ଡିଂ ନେବା ପରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୩ ଓଭରରେ ୩୨ ରନ୍ କରିଥିଲା। ୪ର୍ଥ ଓଭରରେ ଉମେଶ ଯାଦବ ୩ଟି ୱିକେଟ ନେବାରୁ ପଞ୍ଜାବର ବିପର୍ଯ୍ୟୟ ଆରମ୍ଭ ହୋଇ ଯାଇଥିଲା। ଇଥିଲେ। ମୟଙ୍କ ଅଗ୍ରୱାଲ ୧୫, ଆରୋନ୍ ଫିଞ୍ଚ୍ ୦ ଓ ଯୁବରାଜ ସିଂହ ୪ ରନ୍କରି ଆଉଟ ହୋଇଥିଲେ। ୪ର୍ଥ ୱିକେଟ ପାଇଁ କର୍ଣ୍ଣାଟକର ଦୁଇ ଖେଳାଳି ଓପ୍ନର କେ.ଏଲ୍. ରାହୁଲ ଓ କରୁଣ ନାୟାର ୫୮ ରନ୍ ଯୋଡ଼ିଥିଲେ। ଏହାପରେ ୨୮ ରନ୍ରେ ପଞ୍ଜାବର ଆଉ ୪ଟି ୱିକେଟ ପଡ଼ିଥିଲା। ରାହୁଲ ୩୦ ବଲ୍ରୁ ୪ଟି ଛକା ଓ ୨ଟି ଚୌକା ସହ ୪୭ ଏବଂ ନାୟାର ୨୬ ବଲ୍ରୁ ୩ଟି ଚୌକା ସହ ୨୯ ରନ୍ କରିଥିଲେ। ମାର୍କସ ଷ୍ଟଇନିସ୍ ୧୧ ଓ ଅକ୍ଷର ପଟେଲ ୨ ରନ୍କରି ଆଉଟ ହୋଇଥିଲେ। ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନଙ୍କ ଲଢ଼ୁଆ ୩୩ ରନ୍ ଯୋଗୁଁ ପଞ୍ଜାବ ଦେଢ଼ଶହ ରନ୍ ଅତିକ୍ରମ କରି ପାରିଥିଲା। ଅଶ୍ୱିନ ୨୧ ବଲ୍ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୩ ରନ୍ କରିଥିଲେ। ଉମେଶ ଯାଦବ ୩ଟି ଏବଂ କ୍ରିସ୍ ୱକ୍ସ, କୁଲୱନ୍ତ ଖେଜ୍ରୋଲିୟା ଓ ୱାଶିଂଟନ ସୁନ୍ଦର ୨ଟି ଲେଖାଏଁ ୱିକେଟ ନେଇଥିଲେ। ଉମେଶ ଯାଦବ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।