ସମାଜ ଡିଜିଟାଲ ଡେସ୍କ: ଶେଷ୍ଠ ଗୁଣବତ୍ତା ଏବଂ ଆବିଷ୍କାର କ୍ଷେତ୍ରରେ ଦକ୍ଷତା ହାସଲ ପାଇଁ ଓଡ଼ିଶା ଖଣି ନିଗମ(ଓଏମସି)ର କ୍ଵାଲିଟି ସର୍କଲ ଟିମ୍ଗୁଡ଼ିକ ପୁରସ୍କୃତ ହୋଇଛନ୍ତି। ଗତ ୧୩ରୁ ୧୪ ତାରିଖ ଯାଏ ଭୁବନେଶ୍ଵରରେ ଆୟୋଜିତ କନଭେନସନ ଅନ କ୍ଵାଲିଟି କନସେପ୍ଟସ(ସିସିକ୍ୟୁଏସ-୨୦୨୫)ର ୭ମ ଚାପ୍ଟରରେ ୧୯ଟି ସ୍ଵର୍ଣ୍ଣ ଏବଂ ୨ଟି ରୌପ୍ୟ ପଦକ ହାସଲ କରିଛନ୍ତି। କ୍ଵାଲିଟି ସର୍କଲ ଫୋରମ ଅଫ ଇଣ୍ଡିଆ(କ୍ୟୁସିଏଫଆଇ) ଭୁବନେଶ୍ଵର ଚାପ୍ଟର ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ‘ଆତ୍ମନିର୍ଭର ବିକଶିତ ଭାରତ ପାଇଁ କ୍ଵାଲିଟି କନସେପ୍ଟସ) ବିଷୟବସ୍ତୁ ଅଧୀନରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶାରେ ଅବସ୍ଥାପିତ ଶିଳ୍ପାନୁଷ୍ଠାନଗୁଡ଼ିକ ବହୁମାତ୍ରାରେ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମରେ ଓଏମସି ପକ୍ଷରୁ ଅଂଶଗ୍ରହଣ କରିଥିବା ଦଳଗୁଡ଼ିକ ନିଜ ନିଜର ନବସୃଜନ ପ୍ରଣାଳୀ, ଦଳଗତ କାର୍ଯ୍ୟ ଏବଂ ସମସ୍ୟା ସମାଧାନ ପଦ୍ଧତି ପ୍ରଦର୍ଶନ କରିଥିଲେ। ସମ୍ମିଳନୀରେ କେସ୍ ଷ୍ଟଡି ଉପସ୍ଥାପନା, ଜ୍ଞାନ ପରୀକ୍ଷା ଏବଂ ମହେଲ ପ୍ରଦର୍ଶନ ମାଧ୍ୟମରେ ପ୍ରତିଯୋଗିତା କରାଯାଇଥିଲା। ଉତ୍ପାଦନ, ବିକ୍ରୟ, ପରିବେଶ ସୁରକ୍ଷା, ବୈଷୟିକ ଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଗୁଣବତ୍ତା ନିୟନ୍ତ୍ରଣ, ସ୍ଵାସ୍ଥ୍ୟସେବା ଆଦି ଆଧାରିତ ବିଭିନ୍ନ ପ୍ରକଳ୍ପ ଉପରେ ଓଏମସିର ୨୨ଟି ଟିମ ଏଥିରେ ଭାଗନେଇଥିଲେ। ସମ୍ପୃକ୍ତ ବର୍ଗରେ ସର୍ବୋଚ୍ଚ ସ୍ଵୀକୃତିପ୍ରାପ୍ତ ସ୍ଵର୍ଣ୍ଣ ବର୍ଗରେ ପୁରସ୍କୃତ ବିଜେତା ଦଳଗୁଡ଼ିକ ଆଗାମୀ ଦିନରେ ଜାତୀୟ ସ୍ତରର ଏନସିକ୍ୟୁସି ୨୦୨୫ରେ ଓଏମସି ତରଫରୁ ପ୍ରତିନିଧିତ୍ଵ କରିବେ।
ସୂଚନାଯୋଗ୍ୟ, ୨୦୨୩ରେ ଚୀନର ବେଜିଂଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଆଇସିକ୍ୟୁସିସିରେ ଓଏମସି ପକ୍ଷରୁ ପ୍ରତିନିଧିତ୍ଵ କରିଥିବା ୨ଟି ଦଳ ସ୍ଵର୍ଣ୍ଣ ପୁରସ୍କାର ପାଇଥିଲେ। ଯାହା ଖଣି କ୍ଷେତ୍ର ମଧ୍ୟରେ ଉତ୍କୃଷ୍ଟ ଗୁଣବତ୍ତା ହାସଲ ପାଇଁ ଓଏମସିର ନେତୃତ୍ଵକୁ ସୁଦୃଢ଼ କରିଛି।
କ୍ୟୁସିଏଫଆଇ ଏକ ବୃହତ ପ୍ରତିଷ୍ଠିତ ସଂଗଠନ, ଯାହା ଗୁଣବତ୍ତା ହାସଲ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ନୂତନ ଆବିଷ୍କାର ଓ ସିଦ୍ଧାନ୍ତଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ସ୍ଵୀକୃତି ପ୍ରଦାନ କରିଥାଏ। ତୃଣମୂଳସ୍ତରରେ ନବସୃଜନ ଏବଂ ଦୀର୍ଘସ୍ଥାୟୀ ଅଭ୍ୟାସଗୁଡ଼ିକ ଭଳି ଉନ୍ନତମାନର ପଦକ୍ଷେପଗୁଡ଼ିକୁ ଏହା ପ୍ରୋତ୍ସାହନ ପ୍ରଦାନ କରିଥାଏ।



