ମୁମ୍ବାଇ: ଉଡ଼ାଣ ଭରିବା ପରେ ସ୍ପାଇସ୍ ଜେଟ୍ ବିମାନରୁ ଖସି ପଡ଼ିଲା ଚକ। ଏଥିପାଇଁ ଶୁକ୍ରବାର ଅପରାହ୍ଣ ୫ଟା ପର୍ଯ୍ୟନ୍ତ ମୁମ୍ବାଇ ବିମାନ ବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ପରବର୍ତ୍ତୀ ସମୟରେ ବିମାନଟି ସ୍ବାଭାବିକ ଭାବେ ଅବତରଣ କରିଥିଲା। ବିମାନରେ ଥିବା ସମସ୍ତ ୭୫ ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ବିମାନଟି ଗୁଜରାଟର କାଣ୍ଡଲାରୁ ମୁମ୍ବାଇ ଆସୁଥିଲା। ଉଡ଼ାଣ ଭରିବା ପରେ ବିମାନର ଚକ ଭାଙ୍ଗି ତଳେ ଖସି ପଡ଼ିଥିଲା। ବିମାନଟି ଗନ୍ତବ୍ୟସ୍ଥଳ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ପାଇଲଟ ଚତୁରତାର ସହିତ ବିମାନକୁ ଅବତରଣ କରାଇଥିଲେ। ବିମାନକୁ କିଭଳି ସୁରକ୍ଷିତ ଭାବେ ଅବରତରଣ କରାଯିବ ସେଥିପାଇଁ ମୁମ୍ବାଇ ବିମାନବନ୍ଦରରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା।
ଏ ନେଇ ସ୍ପାଇସ ଜେଟର ମୁଖପାତ୍ର କହିଛନ୍ତି, କାଣ୍ଡଲାରୁ ମୁମ୍ବାଇ ଯାଉଥିବା କ୍ୟୁ-୪୦୦ ବିମାନର ବାହାର ଚକ ଉଡ଼ାଣ ଭରିବା ପରେ ରନଓ୍ବେରେ ଖସିପଡ଼ିଥିଲା। ବିମାନ ମୁମ୍ବାଇ ପର୍ଯ୍ୟନ୍ତ ଯାତ୍ରା କରି ସୁରକ୍ଷିତ ଭାବେ ପହଞ୍ଚିଥିଲା। ଅବତରଣ ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇଥିଲେ। ସେହିପରି ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ଅଧିକାରୀ କହିଛନ୍ତି, ଉଡାଣ ଭରିବା ପରେ କାଣ୍ଡଲା ଏଟିସି ବିମାନରୁ କିଛି ଖସୁଥିବା ଦେଖି ପାଇଲଟଙ୍କୁ ଅବଗତ କରାଇଥିଲା। ଏହା ପରେ ଏଟିସି କର୍ମଚାରୀ ନିଜେ ଘଟଣାସ୍ଥଳକୁ ଯିବାରୁ ସେଠାରେ କିଛି ଧାତବ ପଦାର୍ଥ ଓ ଚକ ପଡ଼ିଥିବା ଦେଖିବାକୁ ପାଇଥିଲେ। ବିମାନରୁ ଖସିଥିବା ଧାତବ ପଦାର୍ଥ ଓ ଚକର ଫଟୋ ମଧ୍ୟ ସାମ୍ନାକୁ ଆସିଛି।



