www.samajalive.in
Sunday, December 14, 2025
26.1 C
Bhubaneswar

ସମ୍ପାଦକୀୟ: ସୁଡ଼ଙ୍ଗ ଶେଷର ଆଲୋକ!

ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ନିକଟରେ କହିଥିଲେ ଯେ ସେ “ସୁଡ଼ଙ୍ଗର ଶେଷରେ ଆଲୋକ” ଦେଖିପାରୁଛନ୍ତି। ଏହି ଉକ୍ତି ବିଶ୍ବଶାନ୍ତି ଲାଗି ଏକ ସୁନ୍ଦର ଆଶାର ପ୍ରତୀକ ଭଳି ମନେ ହେଉଥିଲେ ମଧ୍ୟ, ଭ୍ଲାଡିଭୋଷ୍ଟକରେ ତାଙ୍କର ସଦ୍ୟତମ ଭାଷଣ ଏବଂ ସେଠାରେ ଉପସ୍ଥିତ ଦର୍ଶକଙ୍କ ପ୍ରତିକ୍ରିୟା ଏକ ଭିନ୍ନ ଚିତ୍ର ପ୍ରଦାନ କରୁଛି। ଏହା ଦର୍ଶାଉଛି ଯେ ପୁଟିନଙ୍କ “ଆଲୋକ”ର ପଥ ଏବଂ ପାଶ୍ଚାତ୍ୟ ତଥା ୟୁକ୍ରେନର “ଆଲୋକ”ର ପଥ ସମ୍ପୂର୍ଣ୍ଣ ଭିନ୍ନ। ବର୍ତ୍ତମାନର ସ୍ଥିତିରେ, ରୁଷ ଏକ ଭିନ୍ନ ସୁଡ଼ଙ୍ଗରେ ଥିବା ବେଳେ, ୟୁକ୍ରେନ, ୟୁରୋପ ଏବଂ କିଛି ମାତ୍ରାରେ ଆମେରିକା ଆଉ ଏକ ସୁଡ଼ଙ୍ଗରେ ଭିନ୍ନ ଗନ୍ତବ୍ୟକୁ ଯାତ୍ରା କରୁଛନ୍ତି। ଭ୍ଲାଡିଭୋଷ୍ଟକରେ ପୁଟିନଙ୍କ ପାଶ୍ଚାତ୍ୟ ଦେଶମାନଙ୍କୁ ଦେଇଥିବା ଦୃଢ଼ ଚେତାବନୀ ହେଲା ଯୁକ୍ରେନକୁ କୌଣସି ସୈନ୍ୟ (ଶାନ୍ତିରକ୍ଷକ ସମେତ) ପଠାଇଲେ ସେମାନେ “ହାଣ ମୁହଁର ଛେଳି” ସଦୃଶ ହେବେ। କହିବା ବାହୂଲ୍ୟ ଏହା କେବଳ ଏକ ଧମକ ନଥିଲା, ବରଂ ଯୁଦ୍ଧକୁ ନେଇ ରୁଷର ଅପରିବର୍ତ୍ତନୀୟ ମନୋଭାବର ପ୍ରତିଫଳନ ଥିଲା। ଆହୁରି ଚିନ୍ତାଜନକ ବିଷୟ ହେଉଛି, ରୁଷୀୟ ଅଧିକାରୀ ଓ ବ୍ୟବସାୟୀ ନେତାମାନେ ଏହି ଧମକକୁ କରତାଳି ଦେଇ ସ୍ୱାଗତ କରିବା, ଯାହା ଏକ ଶୀତଳ ଯୁଦ୍ଧର ବାତାବରଣ ସୃଷ୍ଟି କରୁଛି।

ୟୁକ୍ରେନରେ ପାଶ୍ଚାତ୍ୟ ନିରାପତ୍ତାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରି, ପୁଟିନ ସ୍ପଷ୍ଟ କରିଦେଇଛନ୍ତି ଯେ ରୁଷ ତା’ର ସୀମାରେ କୌଣସି ପାଶ୍ଚାତ୍ୟ ସାମରିକ ଉପସ୍ଥିତିକୁ ବରଦାସ୍ତ କରିବ ନାହିଁ। ଆହୁରି ଏକ ବିଚିତ୍ର ପ୍ରସ୍ତାବରେ, କ୍ରେମଲିନ ନେତା ପ୍ରକାଶ କରିଥିଲେ ଯେ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବାକୁ ପ୍ରସ୍ତୁତ; କିନ୍ତୁ କେବଳ ରୁଷର ରାଜଧାନୀ ମସ୍କୋରେ। ଏହି ପ୍ରସ୍ତାବକୁ ପାଶ୍ଚାତ୍ୟ ଦେଶଗୁଡିକ ଖାରଜ କରିଥିଲେ ମଧ୍ୟ, ଏହା ୟୁକ୍ରେନ ଯୁଦ୍ଧ ଉପରେ କ୍ରେମଲିନର ବର୍ତ୍ତମାନର ମନୋଭାବକୁ ପ୍ରତିଫଳିତ କରେ। ଏହି ମନୋଭାବ ହେଲା- “ହଁ, ଆମେ ଶାନ୍ତି ଚାହୁଁ, କିନ୍ତୁ କେବଳ ଆମ ସର୍ତ୍ତରେ। ଆପଣ ଆମର ସର୍ତ୍ତ ପ୍ରତ୍ୟାଖ୍ୟାନ କରୁଛନ୍ତି ? ତେବେ ଶାନ୍ତି ନାହିଁ।” ଏହି ଅପ୍ରତ୍ୟାଶିତ ମନୋଭାବର କାରଣ କ’ଣ। ଏ ବିଷୟରେ ଆଲୋଚନା କଲେ ଜଣାପଡିବ, ପ୍ରଥମତଃ, କ୍ରେମଲିନ ବିଶ୍ୱାସ କରେ ଯେ ୟୁକ୍ରେନ ଯୁଦ୍ଧକ୍ଷେତ୍ରରେ ରୁଷ ସେନା ପ୍ରାଧାନ୍ୟ ବିସ୍ତାର କରିଛି। ସାମରିକ ଦୃଷ୍ଟିରୁ ସେମାନେ ନିଜକୁ ଏକ ସୁଦୃଢ଼ ସ୍ଥିତିରେ ଦେଖୁଛନ୍ତି, ଯାହା ସେମାନଙ୍କୁ କୌଣସି ପ୍ରକାରର ସାଲିସ କରିବାରୁ ନିବୃତ୍ତ କରୁଛି। ଦ୍ୱିତୀୟତଃ, କୂଟନୈତିକ ସଫଳତା। ଗତ ସପ୍ତାହରେ ଚୀନରେ ପୁଟିନ ଅନେକ ବିଶ୍ୱ ନେତାଙ୍କ ସହ କରମର୍ଦନ କରିଛନ୍ତି ଏବଂ ହାସପରିହାସରେ କିଛି ମଧୁର ମୁହୂର୍ତ୍ତ ବିତାଇଛନ୍ତି। ଏହି ଦୃଶ୍ୟଗୁଡ଼ିକ ସମଗ୍ର ବିଶ୍ବର ଗଣମାଧ୍ୟମରେ ଛାଇ ଯାଇଥିଲା। ଏହା ପ୍ରମାଣିତ କରିଛି ଯେ ରୁଷର ଚୀନ, ଭାରତ ଏବଂ ଉତ୍ତର କୋରିଆ ଭଳି ଶକ୍ତିଶାଳୀ ବନ୍ଧୁ ରାଷ୍ଟ୍ର ଅଛନ୍ତି । ତେଣୁ ରୁଷ ବିପକ୍ଷରେ ପାଶ୍ଚାତ୍ୟ ଦେଶମାନଙ୍କର ଯେ କୌଣସି ପ୍ରୟାସ ଯେ ବିଫଳ ହେବ ଏମିତି ଧାରଣା ଋଷର ଦୃଢ ହୋଇଛି।

- Advertisement -

ତୃତୀୟତଃ, ଆମେରିକାର ଭୂମିକା। ଗତ ମାସରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଟିନଙ୍କୁ ଆଲାସ୍କାରେ ଏକ ଶିଖର ସମ୍ମିଳନୀ ପାଇଁ ନିମନ୍ତ୍ରଣ କରିଥିଲେ। ଋଷରେ ଏହାକୁ ପାଶ୍ଚାତ୍ୟ ଦେଶମାନଙ୍କର ରୁଷକୁ ଏକଘରିକିଆ କରିବାର ପ୍ରୟାସର ବିଫଳତା ଭାବରେ ଗ୍ରହଣ କରାଯାଇଛି । ଟ୍ରମ୍ପ ପୂର୍ବରୁ ରୁଷକୁ ଯୁଦ୍ଧ ବନ୍ଦ କରିବା ପାଇଁ ଚରମବାଣୀ ଶୁଣାଇଥଲେ ଏବଂ ସମୟସୀମା ନିର୍ଦ୍ଧାରଣ କରିଥିଲେ। ଏମିତିକି ଶାନ୍ତି ପ୍ରତିଷ୍ଠା ନକଲେ ଅଧିକ ପ୍ରତିବନ୍ଧକ ଲଗାଇବାକୁ ଧମକ ଦେଇଥିଲେ; କିନ୍ତୁ ଟ୍ରମ୍ପ ତାଙ୍କର ଧମକକୁ କାର୍ଯ୍ୟକାରୀ କରିନାହାନ୍ତି, ଯାହା ରୁଷର ଆତ୍ମବିଶ୍ୱାସ ବଢ଼ାଇଛି। ପୁଟିନ ଟ୍ରମ୍ପଙ୍କ ଶାନ୍ତି ପ୍ରୟାସକୁ ସର୍ବସାଧାରଣରେ ପ୍ରଶଂସା କରୁଥିଲେ ମଧ୍ୟ ତାଙ୍କର ଯୁଦ୍ଧବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ କୌଣସି ନରମ ମନୋଭାବ ପୋଷଣ କରିନାହାନ୍ତି। ଏ ସବୁକୁ ଦେଖିଲେ, ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରକୃତ ଆଶା କେଉଁଠି ? ପୁଟିନ ସୁଡ଼ଙ୍ଗର ଶେଷରେ ଯେଉଁ ଆଲୋକର କଳ୍ପନା କରିଛନ୍ତି ତାହା ହେଉଛି ଋଷର ବିଜୟ ସୂଚକ ମଶାଲର ଆଲୋକ। ପୁଟିନ ବିଶ୍ବଶାନ୍ତି ଅପେକ୍ଷା ରୁଷର ବିଜୟ ପ୍ରତି ଅଧିକ ଆଶାବାଦୀ।

ପୁଟିନଙ୍କ ସୁଡ଼ଙ୍ଗ ଶେଷର ଆଲୋକ ରୁଷକୁ ଲାଭ ଦେବା ଭଳି ଏକ ନୂତନ ବିଶ୍ୱ ବ୍ୟବସ୍ଥାର ନିର୍ମାଣ କରିବା ଦିଗରେ ପଥ ପ୍ରଦର୍ଶିତ କରୁଛି। ଅନ୍ୟ ପକ୍ଷରେ ୟୁକ୍ରେନ ଓ ୟୁରୋପର “ଆଲୋକ” ଯୁଦ୍ଧ ଶେଷ କରିବା, କିଭ୍ ପାଇଁ ନିରାପତ୍ତା ସୁନିଶ୍ଚିତ କରିବା ଏବଂ ଯୁଦ୍ଧ ପରବର୍ତ୍ତୀ ସମୟରେ ୟୁକ୍ରେନ ସେନାକୁ ଏକ ଅନ୍ୟ କୌଣସି ଆକ୍ରମଣରୁ ରକ୍ଷା କରିବା ପାଇଁ ଯଥେଷ୍ଟ ଶକ୍ତିଶାଳୀ କରିବା ଉପରେ କେନ୍ଦ୍ରିତ। ଏହି ଦୁଇଟି ଭିନ୍ନ ଦିଗରେ ଯାଉଥିବା ସୁଡ଼ଙ୍ଗ କେବେ ଏକାଠି ହେବେ, ତାହା କହିବା ମୁସ୍କିଲ। ବର୍ତ୍ତମାନର ପରିସ୍ଥିତି ଏକ ଦୀର୍ଘକାଳୀନ ଅସ୍ଥିରତା ଏବଂ ସଂଘର୍ଷର ସୂଚନା ଦେଉଛି, ଯାହା ବିଶ୍ୱ ଶାନ୍ତି ପାଇଁ ଏକ ବଡ଼ ଆହ୍ୱାନ। ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ ପକ୍ଷରୁ ବାସ୍ତବବାଦୀ ଆଭିମୁଖ୍ୟର ଆବଶ୍ୟକତା ରହିଛି, ଯାହାକି ବର୍ତ୍ତମାନ ଦେଖାଯାଉ ନାହିଁ। ତେଣୁ “ସୁଡ଼ଙ୍ଗ ଶେଷର ଆଲୋକ” ଏବେ ମଧ୍ୟ ଏକ ଦୂର ସ୍ୱପ୍ନ ଭଳି ପ୍ରତୀୟମାନ ହେଉଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories