www.samajalive.in
Saturday, December 6, 2025
26.1 C
Bhubaneswar

ସମ୍ପାଦକୀୟ: ନେପାଳ ହିଂସାକାଣ୍ଡ

ରାଜଧାନୀ କାଠମାଣ୍ଡୁ ସମେତ ନେପାଳର ବିଭିନ୍ନ ସହରାଞ୍ଚଳରେ ପ୍ରବଳ ଗଣବିକ୍ଷୋଭ ଓ ହିଂସାକାଣ୍ଡ ଘଟି ସୋମବାର ୨୦ଜଣଙ୍କର ମୃତ୍ୟୁ ଘଟିବା ସହିତ ଅନେକ ଆହତ ହୋଇଛନ୍ତି। ସେଠାକାର ସରକାର ୨୬ ସୋସିଆଲ ମିଡ଼ିଆ ସାଇଟକୁ ନିଷିଦ୍ଧ କରିବା ଫଳରେ ଏହି ଘଟଣାର ସୂତ୍ରପାତ ହୋଇଛି। ଏପରି କି ସେଠାକାର ପାର୍ଲାମେଣ୍ଟ ଭବନ ଉପରେ ମଧ୍ୟ ବିକ୍ଷୋଭକାରୀ ଆକ୍ରମଣ କରିଥିବା ଜଣାପଡ଼ିଛି। ସବୁ ସୋସିଆଲ ମିଡିଆକୁ ନେପାଳ ସରକାରଙ୍କ ଯୋଗାଯୋଗ ମନ୍ତ୍ରଣାଳୟ ନିକଟରେ ପଞ୍ଜୀକୃତ ହେବାକୁ ପଡ଼ିବ ବୋଲି ଦେଶର ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ଧାର୍ଯ୍ୟ ସମୟ ସୀମା ମଧ୍ୟରେ ପଞ୍ଜୀକୃତ ହୋଇନଥିବା ଏହି ନିଷିଦ୍ଧ ମିଡ଼ିଆ ସାଇଟ ଗୁଡ଼ିକ ମଧ୍ୟରେ ରହିଛି ଫେସବୁକ୍‌, ମେସେଞ୍ଜର, ଇନ୍‌ଷ୍ଟାଗ୍ରାମ, ୟୁଟ୍ୟୁବ, ହ୍ବାଟ୍‌ସଆପ, ଏକ୍ସ(ଟ୍ବିଟର), ଲିଙ୍କଡିନ୍‌, ସ୍ନାପଚାଟ, ରେଡ୍ଡିଟ୍‌ ଭଳି ଲୋକପ୍ରିୟ ସୋସିଆଲ ସାଇଟ୍‌ସ। ନିୟମ ଦୃଷ୍ଟିରୁ ନେପାଳ ସରକାର କିଛି ଭୁଲ କରିନାହାନ୍ତି। ହେଲେ ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ସରକାର ଏ କ୍ଷେତ୍ରରେ ଦେଶର ବାସ୍ତବ ସ୍ଥିତିକୁ ବିଚାରକୁ ନେବାର ଆବଶ୍ୟକତା ଥିଲା। ନେପାଳ ଜନସଂଖ୍ୟାର ୯୦ ପ୍ରତିଶତ ଲୋକ, ଅର୍ଥାତ୍‌ ତିନିକୋଟି ଇଣ୍ଟରନେଟ୍‌ ବ୍ୟବହାର କରିଥାନ୍ତି। ସ୍ମାର୍ଟଫୋନ୍‌ ଓ ଇଣ୍ଟରନେଟ ଏବେ ଏକ ଜରୁରୀ ଆବଶ୍ୟକତା ପାଲଟିଛି। ବିଦେଶରେ କାମ କରୁଥିବା ଲୋକ ଓ ପାଠପଢ଼ୁଥିବା ପିଲାଙ୍କ ସହ ତ୍ବରିତ ଯୋଗାଯୋଗ ପାଇଁ ଏହା ଏକ ସହଜ ମାଧ୍ୟମ। ଦେଶର ଆଭ୍ୟନ୍ତରୀଣ ଆବଶ୍ୟକତାରେ ଏହି ସୋସିଆଲ ମିଡିଆର ଭୂମିକା ମଧ୍ୟ ଅପରିହାର୍ଯ୍ୟ। ତେଣୁ ବିକଳ୍ପ ନ ପାଇଲେ ଲୋକେ ତାତିବା ସ୍ବାଭାବିକ। ବିଶେଷ କରି ଯୁବଛାତ୍ର ବର୍ଗ ଏଥିରେ ଭୀଷଣ କ୍ଷୁବ୍ଧ ହୋଇଛନ୍ତି। ତେବେ ଏହି ଜନ ଅସନ୍ତୋଷ ନେପାଳ ହିଂସାର ଏକମାତ୍ର କାରଣ ନୁହେଁ। ସେଠାକାର ଅସ୍ଥିର ରାଜନୀତିକ ସ୍ଥିତି, ଦେଶର ଅର୍ଥନୀତିକ ଦୁର୍ଦଶା, ବ୍ୟାପକ ବେକାରୀ ଜନ ଅସ‌େ‌ନ୍ତାଷର ଅସଲ କାରଣ। ସରକାରଙ୍କ ଉପରେ ଥିବା ପୁଞ୍ଜୀଭୂତ ଜନଅସ​‌େ​‌ନ୍ତାଷ ବିସ୍ଫୋରିତ ହେବାକୁ କେବଳ ଏକ ସୁଯୋଗର ଅପେକ୍ଷାରେ ଥିଲା ଯାହା ଘଟିଛି। ନେପାଳର ବାମପନ୍ଥୀ ମିଳିତ ସରକାର ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ନେତୃତ୍ବରେ ଗତ ଜୁଲାଇ ୧୫ରେ ଏକବର୍ଷ ପାଳନ କରିଛି। ସେ ଓ ତାଙ୍କ ସରକାର ଭାରତ ବିରୋଧୀ। ହେଲେ ନିଜ ଦେଶର ନାଗରିକଙ୍କ ମୌଳିକ ସମସ୍ୟା ସମାଧାନରେ ଏହା ବିଫଳ। ସେଥିପାଇଁ ସରକାର ଉପରେ ଲୋକେ କ୍ଷୁବ୍ଧ। ପ୍ରଥମ ବଡ଼ ଜନ ଅସନ୍ତୋଷର ସମ୍ମୁଖୀନ ହୋଇଥିବା ଓଲି ତାଙ୍କ ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଏହି ହିଂସାକାଣ୍ଡ ପାଇଁ ଦାୟୀ କରି ବରଖାସ୍ତ କରିଛନ୍ତି। ଏହା ନେପାଳରେ ବୋଧ ହୁଏ ଏକ ବଡ଼ ରାଜନୀତିକ ସଂକଟର ଅୟମାରମ୍ଭ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories