ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ ପୁରୁଷ ଜାଭେଲିନ୍ ସ୍ବର୍ଣ୍ଣପଦକ ଜିତିଥିବା ପାକିସ୍ତାନର ଅର୍ସଦ ନଦିମ୍ଙ୍କୁ ସମ୍ପୂର୍ଣ୍ଣ ଫିଟ୍ ଘୋଷଣା କରିଛନ୍ତି ଡାକ୍ତର। ଟୋକିଓରେ ସେପ୍ଟେମ୍ବର ୧୩ରୁ ଆରମ୍ଭ ହେଉଥିବା ବିଶ୍ବ ଦୌଡ଼କୁଦ ଚମ୍ପିଆନ୍ସିପରେ ଅଲିମ୍ପିକ୍ସ ଚମ୍ପିଆନ୍ ନଦିମ୍ ଭାଗନେବେ। ଜୁଲାଇରେ ଇଂଲଣ୍ଡରେ ନଦିମ୍ଙ୍କ ଡାହାଣ ଗୋଡ଼ରେ ଅସ୍ତ୍ରୋପଚାର କରା ଯାଇଥିଲା। ସେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ପ୍ରତିଯୋଗିତାରେ ଭାଗନେବାକୁ ସମର୍ଥ ବୋଲି ଡାକ୍ତର କହିଛନ୍ତି। ଫଳରେ ଟୋକିଓରେ ନଦିମ୍ ଓ ଭାରତୀୟ ଜାଭେଲିନ୍ ତାରକା ନୀରଜ ଚୋପ୍ରାଙ୍କ ମଧ୍ୟରେ ମୁକାବିଲା ହେବା ନିଶ୍ଚିତ। ଏହା ଉଭୟ ଦେଶର କ୍ରୀଡ଼ାପ୍ରେମୀଙ୍କୁ ଉତ୍ସାହିତ କରିଛି। ଗତବର୍ଷ ପ୍ୟାରିସ୍ରେ ନଦିମ୍ ୯୨.୯୭ ଦୂରକୁ ଜାଭେଲିନ୍ ଫିଙ୍ଗି ୩୨ ବର୍ଷ ପରେ ପାକିସ୍ତାନକୁ ଅଲିମ୍ପିକ୍ସ ସ୍ବର୍ଣ୍ଣ ଜିତାଇଥିଲେ। ନୀରଜ ୨ୟ ସ୍ଥାନରେ ରହି ରୌପ୍ୟ ଜିତିଥିଲେ। ୨୦୨୧ ଟୋକିଓ ଅଲିମ୍ପିକ୍ସରେ ନୀରଜ ୮୭.୫୮ ମିଟର ଦୂରକୁ ଫିଙ୍ଗି ସ୍ବର୍ଣ୍ଣ ଜିତି ଇତିହାସ ରଚିଥିଲେ। ୨୦୨୩ ବୁଦାପେଷ୍ଟ ବିଶ୍ବ ଚମ୍ପିଆନ୍ସିପ୍ରେ ନଦିମ୍ଙ୍କୁ ମାତ୍ର ୩୫ ସେଣ୍ଟିମିଟର ପଛରେ ପକାଇ ନୀରଜ ସ୍ବର୍ଣ୍ଣପଦକ ଜିତିଥିଲେ। ନୀରଜ ଉକ୍ତ ସ୍ବର୍ଣ୍ଣ ଟୋକିଓରେ ବଜାୟ ରଖିବାକୁ ପ୍ରୟାସ କରିବେ। ହେଲେ ପ୍ୟାରିସ୍ ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ନଦିମ୍ କଠିନ ଅଭ୍ୟାସ ଚଳାଇଛନ୍ତି।



