ଭୁବନେଶ୍ବର : ଉତ୍ତର ଓଡ଼ିଶାରେ ସକ୍ରିୟ ଥିବା ଲଘୁଚାପ ଆଗାମୀ ୨୪ଘଣ୍ଟାରେ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ମୁହାଁଇବ। ଆସନ୍ତା ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ସମ୍ବଲପୁର ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଛତିଶଗଡ଼ ଏବଂ ଝାଡ଼ଖଣ୍ଡରେ ବି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଗତ ୨୪ଘଣ୍ଟା ମଧ୍ୟରେ ବଲାଙ୍ଗିର, ନୟାଗଡ଼, କୋରାପୁଟ, କେନ୍ଦୁଝର, କଳାହାଣ୍ଡି, କଟକ, କନ୍ଧମାଳ, ମାଲକାନଗିରି ଏବଂ ଦେବଗଡ଼ ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ବଲାଙ୍ଗିରର ପାଟଣାଗଡ଼ରେ ସର୍ବାଧିକ ୧୨୯ମି.ମି. ବର୍ଷା ହୋଇଥିବାବେଳେ ନୟାଗଡ଼ର ଭାପୁରରେ ୭୫.୩ମି.ମି. ଏବଂ କୋରାପୁଟର ଲମତାପୁଟରେ ୭୨.୪ମି.ମି. ବର୍ଷା ହୋଇଛି। ବୁଧବାର ଉପକୂଳ ଏବଂ ଉତ୍ତର ଓଡ଼ିଶାର ଜିଲାଗୁଡ଼ିକରେ ବର୍ଷା ହୋଇଛି।
ଯାଜପୁରରେ ୧୨୧ମି.ମି. ବର୍ଷା ହୋଇଥିବାବେଳେ ଚାନ୍ଦବାଲି ୮୫.୬, ବାରିପଦା ୩୩.୨, କେନ୍ଦୁଝର ୩୬.୮, ସମ୍ବଲପୁର ୩୫.୨, ଭଦ୍ରକ ୨୩.୨, ପାରଳାଖେମୁଣ୍ଡି ୨୮, ଭୁବନେଶ୍ବର ୧୨.୪ ଏବଂ କଟକରେ ୭.୬ ମି.ମି. ବର୍ଷା ହୋଇଛି।
ପ୍ରବଳ ବର୍ଷା ଯୋଗୁଁ ବୈତରଣୀ, ବ୍ରାହ୍ମଣୀ ଏବଂ ସୁବର୍ଣ୍ଣରେଖା ଜଳସ୍ତର ବଢ଼ୁଥିଲେ ହେଁ ବନ୍ୟା ସମ୍ଭାବନା ନଥିବା ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବୁଧବାର ସନ୍ଧ୍ୟା ୬ଟା ସୁଦ୍ଧା ବୈତରଣୀ ଆଖୁଆପଦା ଓ ଆନନ୍ଦପୁରରେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିଲା। ସୁବର୍ଣ୍ଣରେଖା ଜଳସ୍ତର ବଢ଼ୁଥିଲେ ହେଁ ବିପଦସଙ୍କେତ ତଳେ ରହିଛି। ଜଳକା ସ୍ଥିର ରହିଛି।
ରାତି ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୫.୮୫ଫୁଟ୍ ରହିଛି। ଏହି ସମୟରେ ପ୍ରତି ସେକେଣ୍ଡରେ ଉପରମୁଣ୍ଡରୁ ୧ଲକ୍ଷ ୭ହଜାର ୮୯୮ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ୬ଟି ଫାଟକ, ପାୱାର ଚ୍ୟାନେଲ ଏବଂ କେନାଲ ଦେଇ ପ୍ରତି ସେକେଣ୍ଡରେ ୧ଲକ୍ଷ ୩୩ ହଜାର ୩୧୨ ଘନଫୁଟ ଜଳ ନିଷ୍କାସିତ ହେଉଥିଲା। ମହାନଦୀର ଖଇରମାଳରେ ପ୍ରତି ସେକେଣ୍ଡରେ ୧.୩୮ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେଉଥିବା ବେଳେ ମୁଣ୍ଡଳିରେ ୭୮ ହଜାର ୫ଶହ ଘନଫୁଟ ଜଳ ପ୍ରବାହ କରୁଛି। ୬ଟି ଫାଟକ ଖୋଲିଥିବାରୁ ଆଗକୁ ମୁଣ୍ଡଳିରେ ଜଳସ୍ତର ବଢ଼ିବା ଆଶଙ୍କା ରହିଛି। ରେଙ୍ଗାଲି ଜଳ ଭଣ୍ଡାରରେ ଗୋଟିଏ ଫାଟକ ଖୋଲିଛି। ଏହି ଜଳ ଭଣ୍ଡାରରୁ ପ୍ରତି ସେକେଣ୍ଡରେ ୧୬୦୨.୫୪ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୨୨୦୯.୭୩ ଘନଫୁଟ ଜଳ ନିଷ୍କାସିତ ହେଉଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ବରଗଡ଼, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।
ଝାଡ଼ଖଣ୍ଡ ମୁହାଁଉଛି ଲଘୁଚାପ : ୨୪ ଘଣ୍ଟାରେ ପ୍ରବଳ ବର୍ଷିବ !
Popular Categories



