www.samajalive.in
Friday, December 5, 2025
26.1 C
Bhubaneswar

କଳାବଜାର, ରାଜରାସ୍ତାରେ ଚାଷୀ

ଜୟପୁର: ଧାନ ରୁଆ ସମୟରେ ଅବିଭକ୍ତ କୋରାପୁଟ ଜିଲାରେ ସାର ଅଭାବ ଚାଷୀଙ୍କୁ ନାକେଦମ କଲାଣି । ସବୁଠି ୟୁରିଆ କଳାବଜାର । ଚଢ଼ାଦରକୁ ବିରୋଧ କରି ସାର ବିକ୍ରି ସ୍ଥାନରେ ଚାଷୀ ଧାରଣା ଦେଉଛନ୍ତି ଓ ରାସ୍ତାରୋକ ମଧ୍ୟ କରୁଛନ୍ତି। ତଥାପି ସମସ୍ୟାର ସମାଧାନ ହୋଇପାରୁନି। ଚାଷ ଆରମ୍ଭରୁ ବର୍ଷାର ଲୁଚକାଳି ଖେଳ ଚାଷୀଙ୍କୁ ଚିନ୍ତାରେ ପକାଇଥିଲା। ଏବେ ସାର ଅଭାବକୁ ନେଇ ଚାଷୀ ମହାଚିନ୍ତାରେ ପଡିଛନ୍ତି। ଅବିଭକ୍ତ କୋରାପୁଟ ଜିଲାର କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁରରେ ସାର ଅଭାବରୁ ଚାଷୀ ତାତି ଉଠିଛନ୍ତି। ରାସ୍ତାରୋକ ସହ ଲ୍ୟାମ୍ପ୍ସ ଘେରଉ କରିଛନ୍ତି । ଗୋଟିଏ ବସ୍ତା ସାର ପାଇଁ ଚାଷୀ ଚାଷ କାର୍ଯ୍ୟ ଛାଡ଼ି ଲ୍ୟାମ୍ପ୍ସ କାର୍ଯ୍ୟାଳୟରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି। ଚାଷୀଙ୍କୁ କେବଳ ଗୋଟିଏ ପ୍ୟାକେଟ ୟୁରିଆ ସାର ଦିଆଯାଉଥିବାରୁ ଅସନ୍ତୋଷ ତେଜିବାରେ ଲାଗିଛି। କୋରାପୁଟ ଜିଲାରେ ଚଳିତ ବର୍ଷ ୮୬ ହଜାର ୯୩୧ ହେକ୍ଟର ଜମିରେ ଧାନ ଚାଷ ହୋଇଛି। ଅଦ୍ୟାବଧି ୧୭ ହଜାର ୫୨୩ ମେଟ୍ରିକ ଟନ୍‌ ୟୁରିଆ ସାର ଚାଷୀଙ୍କୁ ବଣ୍ଟନ ହୋଇଛି। ଯାହା ଚାଷ କାମ ପାଇଁ ନିଅଣ୍ଟ। ୩୦ ତାରିଖରେ ଇଫକୋରୁ ଆଉ ୪୫୦ ମେଟ୍ରିକ ଟନ୍‌ ସାର ଆସିବ ବୋଲି କୁହାଯାଉଛି। ସାର ଅଭାବକୁ ନେଇ ମଙ୍ଗଳବାର ମୁଖ୍ୟ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଚାଷୀ ଘେରଉ କରିଥିଲେ। ବାଲିମିଶ୍ରିତ ସାର ବିକ୍ରି ଅଭିଯୋଗ ହେବାରୁ କୋରାପୁଟ ଜିଲାପାଳ ତଦନ୍ତ ନିର୍ଦେଶ ଦେଇଥିଲେ।
କୋଟପାଡ଼ ଅଞ୍ଚଳରେ କେତେକ ବ୍ୟବସାୟୀ ପଟାସ ନଁାରେ ମାଟିରେ ରଙ୍ଗ ମିଶାଇ ବିକ୍ରି କରୁଛନ୍ତି। ବୈପାରିଗୁଡ଼ା ବ୍ଲକରେ ମଧ୍ୟ ସାର ଅଭାବକୁ ନେଇ ଚାଷୀ ଅସନ୍ତୋଷ ତେଜିଛି। ବୋରିଗୁମ୍ମାରେ ମଧ୍ୟ ସାର ଅଭାବରୁ ଚାଷୀ ରାସ୍ତା ଅବରୋଧ କରିଥିଲେ। ରାୟଗଡ଼ା ଜିଲାରେ ଚଳିତ ବର୍ଷ ଖରିଫ ଚାଷ ବିଳମ୍ୱରେ ଆରମ୍ଭ ହୋଇଥିଲା। ଲଘୁଚାପ ବର୍ଷା କାରଣରୁ ଏବେ ଜିଲାରେ ଚାଷ କାର୍ଯ୍ୟ ଆଗେଇ ଚାଲିଛି। ଜିଲାରେ ୬୫ ପ୍ରତିଶତ ଧାନ ରୁଆ ଶେଷ ହୋଇଛି। ଚାଷ ସମୟରେ ଚାଷୀଙ୍କ ପାଇଁ ଜିଲାରେ ୩୨ ହଜାର ୨୫୦ ମେଟ୍ରିକ୍ ଟନ୍ ସାର ଆବଶ୍ୟକ ରହିଥିବା ବେଳେ ୨୪ ହଜାର ୩୭୨.୫ ମେଟ୍ରିକ ଟନ୍ ଆସିଛି।
ମାଲକାନଗିରି ଜିଲାରେ ୟୁରିଆ ସାରର ଘୋର ସଙ୍କଟ ଦେଖାଦେଇଛି। ଜିଲାରେ ୧୫ ହଜାର ମାଟ୍ରିକ ଟନ୍‌ ସାର ଆବଶ୍ୟକ ଥିବା ବେଳେ ୮୯୩୦ ମାଟ୍ରିକ ଟନ୍‌ ସାର ଆସିଛି। ଲ୍ୟାମ୍ପ୍ସକୁ ଚାଷୀ ଦୌଡ଼ି ଦୌଡ଼ି ହତାଶ ହେଲେଣି। କିଛିଦିନ ତଳେ ଶିଖପାଲୀ ଛକ ଓ ମାଥିଲି ଲ୍ୟାମ୍ପ୍ସରେ ହଜାର ହଜାର ଚାଷୀ ଏକାଠି ହୋଇ ରାସ୍ତା ଅବରୋଧ କରିଥିଲେ। ଶୁକ୍ରବାର ପୁଣି ମାଥିଲିରେ ଚାଷୀ ତାତି ଉଠିଛନ୍ତି। ଶହଶହ ଚାଷୀ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ମାଥିଲି ପୁଲିସ ପହଞ୍ଚି ରାସ୍ତାରୁ ଚାଷୀଙ୍କୁ ହଟାଇବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା। ଜିଲା ମୁଖ୍ୟ କୃଷି ଅଧିକାରୀ ଦିଲ୍ଲୀରଞ୍ଜନ ମହାଳିକଙ୍କୁ ପଚାରିବାରୁ ଜିଲାରେ ୭୫,୬୬୦ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଜିଲାକୁ ୧୦ ହଜାର ମେଟ୍ରିକ ଟନ୍‌ ୟୁରିଆ ସାର ଯୋଗାଣ ବ୍ୟବସ୍ଥା ହୋଇଛି । ମାଲକାନଗିରି, କାଲିମେଳା, ଶିଖପାଲି, ପଡ଼ିଆ, କୁଡୁମୁଲୁଗୁମ୍ମା, କୋରକୁଣ୍ଡା, ଗୋବିନ୍ଦପାଲ୍ଲୀ ଭଳି ୮ଗୋଟି ଲ୍ୟାମ୍ପ୍ସ ଜରିଆରେ ଚାଷୀଙ୍କୁ ସାର ବିତରଣ କରାଯାଇଛି । ଆସନ୍ତା ଦିନରେ ଆଉ ୫ ମେଟ୍ରିକ ଟନ୍‌ ସାର ଆସିବ ବୋଲି ସେ କହିଛନ୍ତି । ​‌େ​‌ସହିପରି ନବରଙ୍ଗପୁର ଜିଲାରେ ୮୭,୦୦୦ ମାଟ୍ରିକ୍‌ ଟନ୍‌ ସାର ଆବଶ୍ୟକ ରହିଥିବା ବେଳେ ୮୫,୨୩୯ ମାଟ୍ରିକ୍‌ ଟନ୍‌ ଆସିଛି । ସାର ମିଳୁ ନଥିବାରୁ ଶତାଧିକ ଚାଷୀ ଉମରକୋଟ ପୁରୁଣା ବସ୍‌ଷ୍ଟାଣ୍ଡଠାରେ ରାସ୍ତାରୋକ କରିଥିଲେ। ପ୍ରଶାସନର ଉଦ୍ୟମରେ ସାର ବଣ୍ଟନ ହୋଇଥିଲା ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories