୧୦୦୦ରୁ ଅଧିକ ଶିଶୁଙ୍କୁ ଅପହରଣ କରିଛି ବୋକୋହାରାମ : ୟୁନିସେଫ୍ 

0

ନ୍ୟୁୟର୍କ : ବୋକୋହାରାମ ଆତଙ୍କବାଦୀ ଗୋଷ୍ଠୀ ୨୦୧୩ ମସିହାରୁ ନାଇଜେରିଆର ଉତ୍ତର ପୂର୍ବାଞ୍ଚଳରୁ ଏକହଜାରରୁ ଅଧିକ ଶିଶୁଙ୍କୁ ଅପହରଣ କରିଛି ବୋଲି ୟୁନିସେଫ ପକ୍ଷରୁ କୁହାଯାଇଛି। ଚିବୋକ୍‍ ସହରର ବିଦ୍ୟାଳୟରୁ ୨୭୬ ଜଣ ବାଳିକାଙ୍କୁ ଅପହରଣର ଚତୁର୍ଥ ବାର୍ଷିକୀ ଅବ୍ୟବହିତ ପୂର୍ବରୁ ୟୁନିସେଫ ପକ୍ଷରୁ ଏହା କୁହାଯାଇଛି । ଏକହଜାରରୁ ଅଧିକ ଅପହରଣ ମାମଲାର କାଗଜପତ୍ର ଯାଞ୍ଚ କରାଯାଇ ୟୁନିସେଫ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ କରାଯାଇଛି । କିନ୍ତୁ ପ୍ରକୃତରେ ଅପହୃତମାନଙ୍କ ସଂଖ୍ୟା ଆହୁରି ଅଧିକ ହେବ । ଭୟ ପ୍ରଦର୍ଶନ କରିବା ଲକ୍ଷ୍ୟରେ ବୋକୋହାରାମ ଉଗ୍ରବାଦୀ ସଂଗଠନ ନିୟମିତ ଭାବେ ଅଳ୍ପବୟସର ପିଲାଙ୍କୁ ଅପହରଣ କରିଥାଏ । ଅନ୍ୟପକ୍ଷରେ ୨୨୯୫ ଜଣ ଶିକ୍ଷକଙ୍କୁ ହତ୍ୟା କରାଯାଇଛି ଓ ୧୪୦୦ରୁ ଅଧିକ ବିଦ୍ୟାଳୟ ଭାଙ୍ଗି ଦିଆଯାଇଥିବା କୁହାଯାଇଛି । ନାଇଜେରିଆ ପାଇଁ ୟୁନିସେଫ ମୁଖ୍ୟ ମହମ୍ମଦ ମଲ୍ଲିକ ଫଲ୍‍ କହିଛନ୍ତି ନାଇଜେରିଆର ଉତ୍ତର ପୂର୍ବାଞ୍ଚଳରେ ଶିଶୁମାନଙ୍କ ଉପରେ ପ୍ରବଳ ଆକ୍ରମଣ କରାଯାଉଛି । ଚିବୁକ୍‍ ଅପହରଣ ଘଟଣାର ୪ବର୍ଷ ପରେ ମଧ୍ୟ ପ୍ରାୟ ୧୦୦ ଜଣ ବାଳିକାଙ୍କ ବିଷୟରେ କୌଣସି ଖବର ମିଳିପାରି ନାହିଁ ।

Leave A Reply