www.samajalive.in
Thursday, December 11, 2025
14.1 C
Bhubaneswar

ବଳଙ୍ଗା ପୀଡ଼ିତାଙ୍କୁ ପୋଡ଼ିବା ଘଟଣା, ଭିଡିଓ ପ୍ରଘଟକାରୀଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ

ପୁରୀ: ଡାକ୍ତରଖାନାରେ ଯନ୍ତ୍ରଣାରେ ଛଟପଟ ହୋଇ ୧୯ ଦିନ ପରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ହେଲା କିନ୍ତୁ ତାଙ୍କ ଦେହରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିବା ଅଭିଯୁକ୍ତଙ୍କୁ ଗିରଫ କରିପାରିଲାନି ପୁଲିସ। ଘଟଣାରେ କାହାର ସମ୍ପୃକ୍ତି ନ ଥିବା ଦର୍ଶାଇ ପୁଲିସ ନିଜ ଦାୟିତ୍ବ ସାରି ଦେଇଥିବା ବେଳେ ମୃତ୍ୟୁର ସାତଦିନ ପରେ ପ୍ରଘଟ ହୋଇଥିବା ଭିଡ଼ିଓ ପ୍ରକୃତ ରହସ୍ୟ ଲୋକଲୋଚନକୁ ଆଣିଛି। ଘଟଣାରେ କିଛି ଦୁର୍ବୃତ୍ତ ସମ୍ପୃକ୍ତ ଥିବା ନାବାଳିକାଙ୍କ ବୟାନରୁ ସ୍ପଷ୍ଟ ହୋଇଛି। ନାବାଳିକା ଭୁବନେଶ୍ବର ଓ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ପୁଲିସ ଚାରିଥର ତାଙ୍କ ବୟାନ ରେକର୍ଡ କରିଥିଲା। ତିନିଥର ଦିଲ୍ଲୀ ଏମ୍ସରେ ଏବଂ ଥରେ ଭୁବନେଶ୍ବର ଏମ୍ସରେ ତାଙ୍କ ବୟାନ ରେକର୍ଡ ହୋଇଥିବା ଜଣାପଡ଼ିଛି। ସେତେବେଳେ ମାଜିଷ୍ଟ୍ରେଟ୍‌ ଓ ଡାକ୍ତର ଉପସ୍ଥିତ ଥିଲେ। ଜଣେ ମହିଳା ପୁଲିସ ଅଧିକାରୀଙ୍କ ପ୍ରଶ୍ନର ଗୋଟି ଗୋଟି କରି ଉତ୍ତର ନାବାଳିକା ଦେଇଥିଲେ। ଏହାସତ୍ତ୍ୱେ ଅଭିଯୁକ୍ତଙ୍କୁ ଖୋଜି ବାହାର କରିବାରେ କ୍ରାଇମବ୍ରାଞ୍ଚ ଓ ପୁଲିସ ସକ୍ଷମ ହୋଇପାରିଲେ ନାହିଁ। ନ୍ୟାୟ ଯୁଦ୍ଧରେ ଜଣେ ୧୬ ବର୍ଷର ନାବାଳିକା ହାରିଗଲେ। ରାଜ୍ୟ ସରକାରଙ୍କ ଉପରୁ ତାଙ୍କ ଭରସା ତୁଟିଗଲା। ଶେଷରେ ତାଙ୍କ ବାପା ମଧ୍ୟ ବୟାନ ବଦଳାଇ ଦେଲେ। ଗୋଟିଏ ଶନିବାର ତାଙ୍କ ଉପରେ ନିଆଁ ଲଗାଇ ଦିଆଯାଇଥିଲା। ଆଉ ଏକ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଅକାଳ ମୃତ୍ୟୁ ହୋଇଥିଲା। ଏବେ ଆଉ ଏକ ଶନିବାର ତିନିଦିନ ତଳେ ତାଙ୍କ ବୟାନ ରେକର୍ଡ ସମୟର ଭିଡିଓ ପ୍ରଘଟ ହୋଇଛି। ଏହାସତ୍ତ୍ୱେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା କିମ୍ବା ତଦନ୍ତକୁ ପୁଣିଥରେ ଆଗେଇ ନେବା ପରିବର୍ତ୍ତେ ଭିଡିଓ ପ୍ରଘଟ କରିଥିବା ବ୍ୟକ୍ତିଙ୍କୁ ଖୋଜୁଛି। ତଦନ୍ତ ଦାୟିତ୍ବରେ ଥିବା ପୁଲିସ ଓ କ୍ରାଇମ୍ ବ୍ରାଞ୍ଚ ଅଧିକାରୀଙ୍କ ଭୂମିକା ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସକୁ ପୀଡ଼ିତା ଦେଇଥିବା ବୟାନ ଅତ୍ୟନ୍ତ ସ୍ପଷ୍ଟ ଏବଂ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଯଥେଷ୍ଟ। କିନ୍ତୁ କେଉଁ ପରିସ୍ଥିତିରେ ତଦନ୍ତ ହଠାତ୍ ବନ୍ଦ କରି ଦିଆଗଲା ଜଣା ପଡୁନାହିଁ।
ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର କହିଛନ୍ତି ପ୍ରଘଟ ଭିଡିଓକୁ ଭିତ୍ତିକରି କ୍ରାଇମବ୍ରାଞ୍ଚ ଓ ପୁଲିସ ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ବୟାନ ସମେତ ମାମଲା ସମ୍ପର୍କିତ ସମସ୍ତ କାଗଜପତ୍ର କୋର୍ଟରେ ଖୁବ୍‌ଶୀଘ୍ର ଦାଖଲ କରାଯିବ। ନାବାଳିକା ପୀଡ଼ିତାଙ୍କ ପରିଚୟ ସର୍ବସାଧାରଣରେ ପ୍ରକାଶ କରିବା ଦଣ୍ଡନୀୟ ଅପରାଧ। ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ଆଇନ ଅନୁଯାୟୀ ଦଣ୍ଡିତ ହେବେ। ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଭିଡ଼ିଓ କ୍ଲିପ୍‌ର ସତ୍ୟତା ଜାଣିବା ପାଇଁ କ୍ରାଇମବ୍ରାଞ୍ଚର ସାଇବର୍ ସେଲ୍ ତଦନ୍ତ କରୁଥିବା ସେ କହିଛନ୍ତି। କିନ୍ତୁ ପୀଡ଼ିତାଙ୍କ ମୃତ୍ୟୁ ପରେ ବନ୍ଦ ହୋଇଥିବା ତଦନ୍ତ ଆଗକୁ ବଢ଼ିବ କି ନାହିଁ ସେ ବିଷୟରେ ଆରକ୍ଷୀ ଅଧୀକ୍ଷକ କୌଣସି ଉତ୍ତର ରଖି ନାହାନ୍ତି।

Hot this week

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

ସମ୍ପାଦକୀୟ : ବିଯୋଗ ଅଧିକାର

ଶାନ୍ତି ଛଡ଼ାଇ ନ ନେଉ କର୍ପୋରେଟ ଜଗତ ଭାରତୀୟ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ...

ସମ୍ପାଦକୀୟ : ମାଲକାନଗିରି ହିଂସା

ଭୂମିପୁତ୍ରଙ୍କ ଦୁଃଖ ଦୂରହେଉ ମାଲକାନଗିରି ଜିଲାର ଏମ୍‌ଭି -୨୬ ଗାଁରେ ଘଟିଥିବା ହିଂସାକାଣ୍ଡ...

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

Related Articles

Popular Categories