ଆଳି: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅନ୍ତର୍ଗତ ଏକମାଣିଆ ଗ୍ରାମର ୩ଜଣ ଚାଷୀଙ୍କ ଏକକାଳୀନ ୩୦ଟି ମଇଁଷିଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୪୨ଟିଙ୍କର ପତ୍ତା ମିଳୁନାହିଁ। ତେବେ କୁମ୍ଭୀର ଆକ୍ରମଣରେ ଘାଇଲା ହେବା ପରେ ପରସ୍ପର ଛନ୍ଦି ହୋଇ ମଇଁଷିମାନଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବାବେଳେ ଘଟଣାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।
ଏକମାଣିଆ ଗ୍ରାମର ମଇଁଷିପାଳକ ଜଗନ୍ନାଥ ଦାସ, ଗଣେଶ ଦାସ ଓ ପରମାନନ୍ଦ ବିଶ୍ୱାଳଙ୍କ କହିବାନୁଯାୟୀ, ରବିବାର ସେମାନେ ୭୨ ମଇଁଷିଙ୍କୁ ଚରାଇବା ପାଇଁ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀର ଯୋରମୁହଁ ଦେଇ ନଦୀ ପଠାକୁ ନେଉଥିଲେ। ଏହି ସମୟରେ ହଠାତ ଏକ କୁମ୍ଭୀର ଗୋଟିଏ ମଇଁଷିକୁ ଆକ୍ରମଣ କରିଥିଲା। ଏହାଦ୍ୱାରା ମଇଁଷିମାନେ ଜୀବନ ବିକଳରେ ଧାଁଦଉଡ଼ କରିଥିଲେ। ଫଳରେ ନଦୀର ପ୍ରବଳ ସୁଅ ଓ କାଦୁଅରେ ଫଶି ପରସ୍ପର ଛନ୍ଦାଛନ୍ଦି ହୋଇ ପଡ଼ିଯିବାରୁ ଘଟଣାସ୍ଥଳରେ ୩୦ଟି ମଇଁଷିଙ୍କ ଜୀବନ ଚାଲିଯାଇଛି। ନଦୀ ସ୍ରୋତରେ ମଧ୍ୟ କେତେକ ମଇଁଷି ଭାସି ଯାଇଛନ୍ତି। ମଇଁଷି ଚରାଳିଙ୍କ ପାଟିଶୁଣି ଗ୍ରାମବାସୀ ପହଞ୍ଚିଥିଲେ ମଧ୍ୟ ମଇଁଷିମାନଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇନଥିଲେ। ସନ୍ଧ୍ୟା ସୁଦ୍ଧା ୩୦ଟି ମଇଁଷିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ବେଳେ ଅନ୍ୟ ୪୨ ମଇଁଷିଙ୍କ ପତ୍ତା ମିଳିନାହିଁ। ପ୍ରାୟ ଅନ୍ୟମାନଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।
ତେବେ ମୃତକ ମଇଁଷି ପଲ ଭିତରେ ଏକମାଣିଆ ଗ୍ରାମର ଜଗନ୍ନାଥ ଦାସଙ୍କ ୩୦ଟି ମଇଁଷି, ଗଣେଶ ଦାସଙ୍କ ୩୦ଟି ଓ ନଳପାହି ଗ୍ରାମର ପରମାନନ୍ଦ ବିଶ୍ୱାଳଙ୍କ ୧୨ଟି ସୂଚନା ମିଳିଛି। ମଇଁଷି ପାଳକ ଶ୍ରୀ ବିଶ୍ୱାଳ କହିଛନ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଋଣ ଲଗାଣକାରୀ ସଂସ୍ଥା ଠାରୁ ଋଣ ନେଇ ମଇଁଷି ପାଳନ କରୁଥିଲୁ। ଏପରି ଅବସ୍ଥାରେ ଆମେ କିପରି ଋଣ ଟଙ୍କା ପରିଶୋଧ କରିବୁ ଚିନ୍ତାରେ ପଡ଼ିଛୁ। ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ସେମାନେ ଦାବି କରିଛନ୍ତି।
ଅପରପକ୍ଷରେ ନଦୀରେ ମାଛ ଧରିବା ପାଇଁ କେହି ବିଷ ପକାଇ ଥାଇପାରେ। ଫଳରେ ବିଷକ୍ରିୟା ଯୋଗୁଁ ମଇଁଷିମାନଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। କାରଣ ଗୋଟିଏ କୁମ୍ଭୀର ଏତେ ସଂଖ୍ୟକ ମଇଁଷିକୁ ଆକ୍ରମଣ କରିବା ସମ୍ଭବ ନୁହେଁ। ନଦୀରେ ମଧ୍ୟ ଏତେ ଜଳ କି ସ୍ରୋତ ନଥିଲା, ଯାହା ମଇଁଷିମାନଙ୍କୁ ଭସାଇ ନେବ। କାରଣ ମଇଁଷିମାନେ ଗଭୀର ଜଳରେ ବେଶ୍ ଭଲଭାବେ ପହଁରି ପାରନ୍ତି। ମୃତ୍ୟୁର କାରଣ ନେଇ ଏକାଧିକ ଆଶଙ୍କା କରାଯାଉଥିଲେ ମଧ୍ୟ ଏ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଗତବର୍ଷ ଏହି ଯୋରରେ ଜଣେ ମଇଁଷି ପାଳକଙ୍କୁ କୁମ୍ଭୀର ଟାଣି ନେଇଥିଲା।



