ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ଵର ମହାନଗର ନିଗମ(ବିଏମସି)ର ୪୫ ନମ୍ବର ଓ୍ବାର୍ଡ କାର୍ଯ୍ୟାଳୟରେ ଶନିବାର ରାତିରେ ଭଙ୍ଗାରୁଜା ହୋଇଛି। କିଛି ଦୁର୍ବୃତ୍ତ କାର୍ଯ୍ୟାଳୟକୁ ଆସି ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ଖବର ମିଳିବା ପରେ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଏହି ଓ୍ବାର୍ଡର କର୍ପୋରେଟର ହେଉଛନ୍ତି ବିଜେଡି ନେତା ଅମରେଶ ଜେନା ଓରଫ ବାୟାଁ। ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅମରେଶ ଜେଲରେ ଅଛନ୍ତି। ଉକ୍ତ ନାବାଳିକାଙ୍କୁ ଅମରେଶ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ଅମରେଶ ଫେରାର ହୋଇଯାଇଥିଲେ। ଗତ ଜୁଲାଇ ୨୭ ତାରିଖରେ କମିଶନରେଟ ପୁଲିସ ତାଙ୍କୁ ବାଲେଶ୍ଵର ଜିଲା ନୀଳଗିରି ଅଞ୍ଚଳରୁ ଗିରଫ କରିଥିଲା।



