www.samajalive.in
Friday, December 5, 2025
26.1 C
Bhubaneswar

ଭତ୍ତା, ଭାତ ମୋହରେ କୋଟିଆବାସୀ

ପଟାଙ୍ଗି: କୋରାପୁଟ ଜିଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତରେ ଓଡ଼ିଶା ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଓ ଲୋକଙ୍କୁ ଦିଆଯାଉଥିବା ସମସ୍ତ ସୁବିଧାସୁଯୋଗ ଆନ୍ଧ୍ରର ଚାଲ୍ ଆଗରେ ତୁଚ୍ଛ ହୋଇଛି। ସେହିପରି ସୀମା ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇ ପାରୁ ନଥିବାରୁ ଏହାର ସୁଯୋଗ ନେଉଛି ଆନ୍ଧ୍ର ସରକାର। ଦିନକୁ ଦିନ ଏଠାରେ ବଢ଼ି ଚାଲିଛି ଅନୁପ୍ରବେଶ। ଅପରପକ୍ଷେ ସେଠାକାର ବାସିନ୍ଦା ଦୁଇ ରାଜ୍ୟର ସୁବିଧା ସୁଯୋଗର ଲାଭ ଉଠାଇବାରେ ଲାଗିଛନ୍ତି। ଓଡ଼ିଶା ସରକାରଙ୍କ ସମସ୍ତ ପ୍ରକାର ବିକାଶମୂଳକ କାମ ସତ୍ତ୍ବେ କୋଟିଆବାସିନ୍ଦା ଆନ୍ଧ୍ର ସରକାରଙ୍କ ଭତ୍ତା, ଭାତ ମୋହରେ ପଡ଼ି ଯାଇଛନ୍ତି। ଏହା ସହିତ ସେମାନଙ୍କ ମଧ୍ୟରେ ଆନ୍ଧ୍ର ସରକାରଙ୍କ ପ୍ରତି ଭୟ ମଧ୍ୟ ରହୁଛି।
ଆନ୍ଧ୍ର ସରକାରଙ୍କ ବାର୍ଦ୍ଧକ୍ୟ, ବିକଳାଙ୍ଗ, ଶିକ୍ଷା ଓ କୃଷି ଭତ୍ତା, ରାସନ ଏବଂ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା, ମନରେଗା କାମ ବାବଦ ପାଉଣାକୁ ନେଇ କୋଟିଆବାସୀ ବିଶେଷ ପ୍ରଭାବିତ। ଆନ୍ଧ୍ର ସମ୍ପୃକ୍ତ ଅଞ୍ଚଳକୁ ପାହାଡ଼ି ଇଲାକା ଘୋଷଣା କରି ସୁବିଧା ଯୋଗାଇ ଆସୁଛନ୍ତି। ଆନ୍ଧ୍ରର ବାର୍ଦ୍ଧକ୍ୟ ଭତ୍ତା ୪୫୦୦, ବିକଳାଙ୍ଗ ଭତ୍ତା ୬୦୦୦, ପିଲାମାନଙ୍କୁ ପ୍ରଥମରୁ ୧୨ ଶ୍ରେଣୀ ଯାଏଁ ପାଠ ପଢ଼ିବାକୁ ଅଭିଭାବକଙ୍କୁ ବର୍ଷକୁ ୧୫,୦୦୦ ଟଙ୍କା, ଜଙ୍ଗଲ ଜମି ପଟ୍ଟାଧାରୀଙ୍କୁ ଜମି ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ୧୪,୦୦୦ ଟଙ୍କା ଦିଆଯାଉଛି।

ସେହିପରି ରାସନ କାର୍ଡରେ ତେଲ, ଡାଲି, ଆଳୁ ଓ ପିଆଜ ସୁଲଭ ମୂଲ୍ୟରେ ଆନ୍ଧ୍ର ଯୋଗାଉଛି। କିନ୍ତୁ ଏ ସବୁ ବ୍ୟବସ୍ଥା ଓଡ଼ିଶା ସରକାରଙ୍କ ପକ୍ଷରୁ କରାଯାଇନି। ଏହି ପଞ୍ଚାୟତର ବିସ୍ତୀର୍ଣ୍ଣ ଅଞ୍ଚଳକୁ ଆନ୍ଧ୍ର ୩ଟି ପଞ୍ଚାୟତରେ ବିଭକ୍ତ କରି ରଣକୌଶଳ ପ୍ରସ୍ତୁତି କରୁଛି। ଆନ୍ଧ୍ର ସରକାରଙ୍କ ସମସ୍ତ ନିର୍ମାଣ କାମ ସେଠାକାର ବାସିନ୍ଦାଙ୍କ ଦ୍ବାରା ହେଉଛି। ଅଞ୍ଚଳବାସୀ ଆନ୍ଧ୍ର ପ୍ରଶାସନିକ ଅଧିକାରୀଙ୍କ ସହ ସମ୍ପର୍କରେ ରହୁଛନ୍ତି। ଓଡ଼ିଶା ସରକାର ଶହଶହ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଅଞ୍ଚଳରେ ରାସ୍ତାଘାଟ, ଆବାସିକ ଗୃହ, ବିଦ୍ୟାଳୟ କୋଠା, ଶିକ୍ଷକ ନିଯୁକ୍ତି, ସ୍ବାବଲମ୍ବନଶୀଳ ପାଇଁ କୃଷି, ଉଦ୍ୟାନ, ଫଳ, ପନିପରିବା, ଷ୍ଟ୍ରବେରୀ ଚାଷ, କଦଳୀ, ପଶୁପାଳନ, କୁକୁଡ଼ା, ଛେଳି, ଅଦା ଚାଷ କ୍ଷେତ୍ରରେ ବିଶେଷ ସରକାରୀ ପ୍ରୋତ୍ସାହନ ରହୁଛି। ଏହାସହ ଏଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସୁବିଧା ସୁଯୋଗ ସ୍ବତନ୍ତ୍ର ଭାବେ ଯୋଗାଇ ଦିଆଯାଉଛି। ରାଜ୍ୟ ସରକାରଙ୍କ ଏହିସବୁ ସୁବିଧାକୁ କୋଟିଆବାସୀ ଯେତିକି ଗୁରୁତ୍ବ ଦେଉଛନ୍ତି ତା ଠାରୁ ଅଧିକ ଆନ୍ଧ୍ର ସୁବିଧାକୁ ପ୍ରାଧାନ୍ୟ ଦେଉଛନ୍ତି।

- Advertisement -

ସ୍ବାଧୀନତା ପରଠାରୁ ଲାଗି ରହିଥିବା ସୀମାନ୍ତ ବିବାଦର ସମାଧାନ ନହେବା ଉଭୟ ରାଜ୍ୟ ପାଇଁ ଅଡ଼ୁଆ କରିଛି। କୋଟିଆରେ ଓଡ଼ିଆ ଅସ୍ମିତା ବିପଦରେ ପଡ଼ିଛି। ରାଜ୍ୟ ସରକାର ପ୍ରଥମେ ଏହି ବୃହତ୍ ଅଞ୍ଚଳକୁ ଦୁଇ ଗୋଟି ପଞ୍ଚାୟତରେ ବିଭକ୍ତ କରି ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିବାର ଆବଶ୍ୟକତା ରହିଛି। ଏଠାରେ କାର୍ଯ୍ୟକାରୀ ହେଉଥିବା ସରକାରୀ କାର୍ଯ୍ୟ ସ୍ଥାନୀୟ ବାସିନ୍ଦାଙ୍କ ଦ୍ବାରା ସମ୍ପାଦନ କରିବାକୁ ଦାବି ହେଉଛି। କୋଟିଆରେ ଥାନା, ଡାକ୍ତରଖାନା, ଆବାସିକ ବିଦ୍ୟାଳୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ସ୍ବତନ୍ତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରହିଛି। ଏତେସବୁ ସତ୍ତ୍ବେ ଅନୁପ୍ରବେଶରେ ରୋକ ଲାଗୁନାହିଁ। ବିଦ୍ୟାଳୟ, ଉଚ୍ଚବିଦ୍ୟାଳୟ ଥାଇ ସଠିକ ମାର୍ଗରେ ପିଲାମାନଙ୍କୁ ଶିକ୍ଷାଦାନ କରାଯାଇ ପାରୁନାହିଁ। ଯାହାର ଫାଇଦା ଆନ୍ଧ୍ର ଉଠାଇବାରେ ଲାଗିଛି।
ଅନ୍ୟପକ୍ଷରେ କୋଟିଆ ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ମହିଳା ଓ ଶିଶୁ ବିକାଶ ଯୋଜନା, ମିଶନ ଶକ୍ତି, ଦେଓମାଳି ପର୍ଯ୍ୟଟନ ସ୍ଥଳୀର ବିକାଶ କାର୍ଯ୍ୟକ୍ରମର ସମୀକ୍ଷା ସାଙ୍ଗକୁ ଲକ୍ଷପତି ଦିଦି ଓ ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ସହ ଭାବର ଆଦାନପ୍ରଦାନ ପାଇଁ ଶୁକ୍ରବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କୋଟିଆ ଆସୁଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories