ଭୁବନେଶ୍ବର: ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ନିମନ୍ତେ ସାମୂହିକ ଉଦ୍ୟମ ପାଇଁ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଆହ୍ବାନ ଜଣାଇଛନ୍ତି। ଭୁବନେଶ୍ବରରେ ଆୟୋଜିତ ବିଶ୍ବ ବାଣିଜ୍ୟ ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ କହିଥିଲେ ଯେ, ଅନ୍ତର୍ଜାତୀୟ ବାଣିଜ୍ୟ କେବଳ ସାମଗ୍ରୀ ଓ ସେବାର ବିନିମୟ ନୁହେଁ, ଏହା ଏକ ପରିବର୍ତ୍ତନଶୀଳ ଶକ୍ତି। ଭାରତ ଭଳି ଉଦୀୟମାନ ଅର୍ଥନୀତି ପାଇଁ ବାଣିଜ୍ୟ ଏକ ସମାବେଶୀ ଓ ସ୍ଥାୟୀ ଅଭିବୃଦ୍ଧିର ଶକ୍ତିଶାଳୀ ଲିଭର ଭାବେ କାର୍ଯ୍ୟ କରେ। ରାଜ୍ୟପାଳ କହିଥିଲେ ଯେ, ଭାରତ ବିଶ୍ବ ବଜାରରେ ନିଜର ଦୃଢ଼ତାକୁ ମଜଭୁତ କରିଛି। ସମ୍ପ୍ରତି ଭାରତ ଜାପାନକୁ ଅତିକ୍ରମ କରି ବିଶ୍ବର ଚତୁର୍ଥ ବୃହତ୍ ଅର୍ଥନୀତି ହେବାର ମାଇଲଖୁଣ୍ଟ ହାସଲ କରିଛି। ପ୍ରାକୃତିକ ସମ୍ପଦରେ ସମୃଦ୍ଧ, ଉପକୂଳବର୍ତ୍ତୀ ଅବସ୍ଥିତି, ପ୍ରଗତିଶୀଳ ନୀତି ଏବଂ ବିସ୍ତୃତ ଭିତ୍ତିଭୂମି ସହ ଓଡ଼ିଶା ବିଶ୍ବ ବାଣିଜ୍ୟ ନେଟୱର୍କରେ ଏକ ପ୍ରମୁଖ କେନ୍ଦ୍ର ହେବାର ସାମର୍ଥ୍ୟ ରଖିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇ ଓ ଆବୁଧାବିକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବା ଦ୍ୱାରା ଓଡ଼ିଶାର ଅନ୍ତର୍ଜାତୀୟ ବାଣିଜ୍ୟ କ୍ଷମତା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ଓଡ଼ିଶାର ହସ୍ତତନ୍ତ, ହସ୍ତଶିଳ୍ପ ଏବଂ ଜିଆଇ ଟ୍ୟାଗ୍ ପ୍ରାପ୍ତ ଉତ୍ପାଦଗୁଡ଼ିକର ଉପଯୁକ୍ତ ବ୍ରାଣ୍ଡିଂ କରାଯାଇ ବିଶ୍ବ ବଜାରରେ ଚାହିଦା ବୃଦ୍ଧି କରିବା ଦିଗରେ ସହଯୋଗର ହାତ ବଢ଼ାଇବାକୁ ରାଜ୍ୟପାଳ ଆହ୍ବାନ ଜଣାଇଥିଲେ। ଏହି ସମାରୋହରେ କନସୁଲେଟ ଜେନେରାଲ ଅଫ ଇଣ୍ଡିଆ, ଅକଲାଣ୍ଡର କନସୁଲ ଜେନେରାଲ ମଦନ ମୋହନ ସେଠୀ, ଦୁବାଇ ଚାମ୍ବର୍ସ ଏସିଆ ରିଜିଅନର ମୁଖ୍ୟ ପ୍ରତିନିଧି-ଇଣ୍ଡିଆ ଅଭିଜିତ ସିଂ ଜାଡେଜା ବକ୍ତବ୍ୟ ପ୍ରଦାନ କରିଥିବାବେଳେ ପ୍ରାରମ୍ଭରେ ଡବ୍ଲ୍ୟୁଟିସି ମୁମ୍ବଇର ଚେୟାରମ୍ୟାନ ତଥା ଡବ୍ଲ୍ୟୁଟିସି ଭୁବନେଶ୍ବରର ନିର୍ଦେଶକ ବିଜୟ କାଲାନ୍ତ୍ରୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।
Popular Categories



