ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକ ଢେପଗୁଡା ଘାଟିରୁ ଆରମ୍ଭ କରି ଲାଞ୍ଜିଗଡ଼ ପର୍ଯ୍ୟନ୍ତ ରାସ୍ତା କଡ଼ରେ ବିପଦ ସଂକୁଳ ଭାବେ ରହିଛି ଅନେକ ଶୁଖିଲା ଗଛ। ଶୁଖିଲା ଗଛଗୁଡ଼ିକ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଯାନବାହନ, ଯାତ୍ରୀଙ୍କ ପାଇଁ କାଳ ସାଜିଛି। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ବନବିଭାଗ ତତ୍ପର ହୋଇଛି ସତ କିନ୍ତୁ ସମସ୍ୟାର ସଂପୂର୍ଣ୍ଣ ସମାଧାନ ହୋଇପାରିନାହିଁ। ଏଥିଯୋଗୁଁ ଜଣେ ବାଇକ ଆରୋହୀଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ଅପରାହ୍ନରେ ବାଇକ ଯୋଗେ ଲାଞ୍ଜିଗଡ଼ରୁ ଅମ୍ବାଦଳା ଯାଉଥିବାବେଳେ ଟାଙ୍ଗନକଣା ନିକଟରେ ହଠାତ ଏକ ଶୁଖିଲା ଡାଳ ବାଇକ ଆରୋହୀ ଜେମେଶ ଚନ୍ଦ୍ର ସାହୁଙ୍କ ଉପରେ ପଡିଯିବାରୁ ସେ ଗୁରୁତର ହୋଇଛନ୍ତି। ସେହିପରି ତାଙ୍କ ବାଇକ ଭାଙ୍ଗି ଚୁରମାର ହୋଇଯାଇଛି। ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଚିନ୍ତାବ୍ୟକ୍ତ କରିବା ସହିତ ବନବିଭାଗ, ପୂର୍ତ୍ତ ବିଭାଗ ତରଫରୁ ପଦକ୍ଷେପ ନିଆଯାଇ ରାସ୍ତାକଡ଼ର ଶୁଖିଲା ଗଛ କାଟିବାକୁ ଦାବି କରାଯାଇଛି।



