www.samajalive.in
Friday, December 5, 2025
26.1 C
Bhubaneswar

ନିଉଟନ୍‌ଙ୍କ ନିୟମ ଓ ଶଦ୍ଦ ଜଡତା

ଭୁବନେଶ୍ଵର: ‘ଜଡତ୍ବ’ ଏକ ବୈଜ୍ଞାନିକ ପରିଘଟଣା ଯାହା ନିଉଟନଙ୍କ ଗତି ସମ୍ବନ୍ଧୀୟ ତିନିଟି ପ୍ରସିଦ୍ଧ ନିୟମ ମଧ୍ୟରୁ ପ୍ରଥମ ନିୟମରେ ସଂଜ୍ଞାଭୁକ୍ତ। ସେଥିପାଇଁ ପ୍ରଥମ ଗତି ନିୟମକୁ ଜଡତାର ନିୟମ ବୋଲି କୁହାଯାଏ। ଯେ ପର୍ଯ୍ୟନ୍ତ ଏକ ପଦାର୍ଥ ଉପରେ ବାହ୍ୟ ବଳ ପ୍ରୟୋଗ ନ ହୋଇଛି ସେ ପର୍ଯ୍ୟନ୍ତ ଏକ ଗତିଶୀଳ ପଦାର୍ଥ ତା’ର ସମଗତି ବଜାୟ ରଖିବା ସହିତ ସ୍ଥିର ବସ୍ତୁ ତାର ସ୍ଥିତାବସ୍ଥା ବଜାୟ ରଖିଥାଏ। ପ୍ରତ୍ୟେକ ପଦାର୍ଥର ଏହି ପ୍ରାକୃତିକ ପ୍ରବୃତ୍ତିକୁ ଆମେ ଜଡତ୍ବ ବା ଜଡତା ବୋଲି କହୁ। ନିଉଟନଙ୍କ ଏହି ନିୟମ ଅନୁସାରେ ପୃଥିବୀର ପ୍ରତ୍ୟେକ ପଦାର୍ଥ ଏକ ଜଡତା କ୍ଷେତ୍ର ମଧ୍ୟରେ ରହି କାର୍ଯ୍ୟ କରିଥାଏ। ତେବେ ଏ ଜଡତ୍ବ ସହିତ ଆମ ଶବ୍ଦ, ଆମ ଭାବନାର କ’ଣ ସମ୍ପର୍କ ରହିଛି- ଏହି ସୂକ୍ଷ୍ମ ପ୍ରଶ୍ନର ଉତ୍ତର ହିଁ ଏ ବିଷୟବସ୍ତୁର ଆଧାର। ଅତଏବ ଆମ ଭାବନା ମଧ୍ୟ ଯେ ଏକ ଜଡତ୍ବ କ୍ଷେତ୍ର ମଧ୍ୟରେ ରହି କାର୍ଯ୍ୟ କରିଥାଏ ଏହାକୁ କଦାଚିତ୍ ଅସ୍ବୀକାର କରାଯାଇ ନ ପାରେ।
ଆମ ପୃଥିବୀ ମଧ୍ୟ ଏକ ବ୍ୟାପକ ଜଡତାର କ୍ଷେତ୍ର। ଏହି ବ୍ୟାପକ ପରିଧି ମଧ୍ୟରେ ଶବ୍ଦ ଜଡତ୍ବ କେବଳ ଏକ ପରିକଳ୍ପନା ନୁହେଁ; ଏହାର ବୈଜ୍ଞାନିକ ତଥା ପୌରାଣିକ ଭାବଭିତ୍ତି ବାସ୍ତବ ତଥା ପ୍ରଶସ୍ତ। ଶବ୍ଦଟିଏର ବି ଇଚ୍ଛା ଅଛି; ଶବ୍ଦଟିଏର ବି ପ୍ରତ୍ୟାଶା ରହିଛି। ଯେଉଁ ପ୍ରତ୍ୟାଶା ହିଁ ଶବ୍ଦ ଜଡତ୍ବ ପରି ଏକ ନୂତନ ଅବଧାରଣାକୁ ଜନ୍ମ ଦିଏ। ସେଥିପାଇଁ ପରା ଆମ ପୁରାଣରେ ଶବ୍ଦକୁ ବ୍ରହ୍ମ ରୂପରେ ଆଖ୍ୟାୟିତ କରାଯାଇଛି। ଏହି ଶବ୍ଦ ହିଁ ସୃଷ୍ଟି କରିପାରେ ସର୍ଜନାର ଅମୃତ ସମ୍ଭାର। ତାର ଅନନ୍ତ ଅପ୍ରମିତ ଶକ୍ତିର କ୍ଷେତ୍ର ମଧ୍ୟରେ ପ୍ରତ୍ୟାଶାଟିଏ ସାକାର ରୂପ ନେଇ ପରିପୂର୍ଣ୍ଣତା ଲାଭ କରିଥାଏ। ପୃଥିବୀର ବ୍ୟାପକ ଜଡ଼ତାର କ୍ଷେତ୍ର ମଧ୍ୟରେ ରହି ପ୍ରତିଟି ବସ୍ତୁ, ପଦାର୍ଥ ତଥା ସୂକ୍ଷ୍ମାତି ସୂକ୍ଷ୍ମ କଣିକାମାନ ଜଡ଼ତାର ନିୟମ ପାଳନ କରନ୍ତି। ସେହିପରି ଆମ ଭାବନା ସହିତ ଜଡିତ ଶବ୍ଦ ସମୁଦାୟ ଜଡତାର ନିୟମ ମଧ୍ୟ ପାଳନ କରନ୍ତି; ଅର୍ଥାତ୍ ଜଡ଼ତ୍ବର ପ୍ରାକୃତିକ ପ୍ରବୃତ୍ତି ପ୍ରଦର୍ଶନ କରନ୍ତି।
ପ୍ରତିଟି ଶବ୍ଦର ଏକ ଭାବାତ୍ମକ ଦିଗ ରହିଛି; ଯେଉଁ ଭାବନା ସହିତ ଜଡିତ ଆମ ଶରୀରର ଶକ୍ତି। ସେହି ଭାବନାର ଦିଗକୁ ଶରୀର ମଧ୍ୟସ୍ଥ ପ୍ରତିଟି କଣିକା ଧାରଣ କରି ସେହି ଦିଗରେ କାର୍ଯ୍ୟ କରିବାକୁ ଅନବରତ ଚେଷ୍ଟା କରନ୍ତି। ଆମ ଭାବନାର ଭାବଭୂମିରେ ନିତ୍ୟ ନୈମିତ୍ତିକ ଅଙ୍କୁରୋଦ୍‌ଗମ ହେଉଥିବା ଶବ୍ଦଗୁଡ଼ିକର ଶକ୍ତି ଯେଉଁ ଦିଗରେ କାର୍ଯ୍ୟ କରିଥାଏ ସେହି ଦିଗରେ ଏହାର ସୂକ୍ଷ୍ମ ଦୃଶ୍ୟରୂପୀକରଣ ସଂଗଠିତ ହୋଇଥାଏ। ଏହାକୁ ଅଧିକ ବିଧିମାନ୍ୟ କରି ଗଢ଼ିତୋଳେ ଆମର ବୈଦିକ ଯୁଗ ଯେଉଁଠି ଗୋଟିଏ କାର୍ଯ୍ୟର କାର୍ଯ୍ୟାନ୍ବୟନ ତଥା ଦୃଶ୍ୟରୂପୀକରଣ ପାଇଁ ମୁନି ଋଷିଗଣ ବର୍ଷ ବର୍ଷ ଧରି ତପସ୍ୟାରେ ନିମଗ୍ନ ରହୁଥିଲେ। ଆମେ ଭାବୁଥିବା ପ୍ରତ୍ୟେକ ଶବ୍ଦ ସହିତ ଏକ ଆବେଗ ସଂଜଡିତ। ଏହି ଆବେଗ ଆମର ଅନ୍ତର୍ନିହିତ ଶକ୍ତି ଧାରଣ କରିଥାଏ। ଶକ୍ତିର ଆଧାର ରୂପେ ଶବ୍ଦଗୁଡ଼ିକର ଆବେଗ ଯେଉଁ ଦିଗରେ କାର୍ଯ୍ୟ କରିଥାଏ, ସେହି ଦିଗରେ ହିଁ ଏହାର ଦୃଶ୍ୟରୂପୀକରଣ ଆରମ୍ଭ ହୁଏ। ଅବଧାରଣାଟିକୁ ଦୃଢ଼ୀଭୂତ କରିବା ପାଇଁ ଅନ୍ୟ ଏକ ପୌରାଣିକ ଦୃଷ୍ଟାନ୍ତ ଏଠାରେ ନିଆଯାଇପାରେ। ଆମ ମହାଭାରତୀୟ ଦର୍ଶନର ଅନନ୍ୟ ନିଦର୍ଶନ ରୂପେ ଓଡ଼ିଶାର ଘରେ ଘରେ ଉଦ୍ ଘୋଷିତ ଓଡ଼ିଆ ଭାଗବତର ଅମୃତ ବାଣୀଟିଏର ଅବତାରଣା କରାଗଲା-
“ଏ ମନ ଚାହୁଁଥାଏ ଯାହା
କାଳେ ପ୍ରାପତ ହୁଏ ତାହା”।
ଏହି ପଦଟିରେ ଏହି ତତ୍ତ୍ବ ଦିଆଯାଇଛି ଯେ ଆମ ମନ ସର୍ବାନ୍ତଃକରଣରୁ ଭାବୁଥିବା ପ୍ରତିଟି ଘଟଣା ନିଶ୍ଚୟ ଘଟିଥାଏ।
ଅତଏବ ଶବ୍ଦ ଜଡତ୍ବର ଅବଧାରଣା ଏହି ବାଣୀରେ ସ୍ପଷ୍ଟ ଭାବରେ ପ୍ରତିଫଳିତ। ପୁଣି ଅନ୍ୟ ଏକ ପଦଟିଏ-
“ଭାବନା ମୂଳେ ସର୍ବ ସିଦ୍ଧି
ଜାଣିଥା ଏହୁ ମହା ବିଧି”।
ଅର୍ଥାତ୍ ଆମ ଭାବନା ତଥା ଏହାର କାର୍ଯ୍ୟାନ୍ବୟନ ମଧ୍ୟରେ ଏକ ସୂକ୍ଷ୍ମ ସଂପର୍କ ସର୍ବଦା ନିହିତ। ଏହାକୁ ବୈଜ୍ଞାନିକ ଭାଷାରେ ପ୍ରକାଶ କଲେ ‘ଶବ୍ଦ ଜଡତ୍ବ’ର ଅବଧାରଣା ହିଁ ଏ‌ହି ଚିନ୍ତନକୁ ନିଶ୍ଚୟ ବାସ୍ତବତାର ରୂପ ଦେବାରେ ସହାୟକ ହେବ। ଅନ୍ୟ ଏକ ଦୃଷ୍ଟିରୁ ବିଚାର କଲେ ଆମର ପ୍ରତିଟି ପୌରାଣିକ ଚିନ୍ତା, ଚେତନା ମୂଳରେ ଯେ ଏକ ବୈଜ୍ଞାନିକ ଭିତ୍ତି ବିଦ୍ୟମାନ ଏହା କଦାଚିତ୍ ଅସ୍ବୀକାର କରାଯାଇ ନ ପାରେ। ଆମ ଭାବନାର ମୂଳରେ ଯେଉଁ ଶବ୍ଦଗୁଡ଼ିକ ସୃଷ୍ଟି ହୁଅନ୍ତି ସେହି ଶବ୍ଦଗୁଡ଼ିକ ଯଦି ସର୍ବାନ୍ତଃକରଣରୁ ଗୋଟିଏ ସଦିଚ୍ଛା ଦିଗରେ କାର୍ଯ୍ୟ କରନ୍ତି ତେବେ ଶବ୍ଦର ଜଡତ୍ବର କ୍ଷେତ୍ର ସେହି ସଦିଚ୍ଛା ଦିଗରେ କାର୍ଯ୍ୟ କରି ଏହାର ଫଳାଫଳକୁ ନିଶ୍ଚିତ କରେ।
ଏଠାରେ ଅନ୍ୟ ଏକ ବୈଜ୍ଞାନିକ ପରିଘଟଣାର ମଧ୍ୟ ଅବତାରଣା କରାଯାଇପାରେ। ଜଣେ ଅପରାଧୀ ଅପରାଧଟି ଘଟାଇଛି କି ନାହିଁ ଏହାର ସତ୍ୟାସତ୍ୟ ପରୀକ୍ଷଣ ପାଇଁ ମିଛ ଚିହ୍ନଟ ପରୀକ୍ଷଣ କରାଯାଇଥାଏ। ଯଦି ଅପରାଧୀଜଣକ ମିଛ କହୁଥାଏ, ତେବେ ତାର ଅାଭ୍ୟନ୍ତରୀଣ ଅଙ୍ଗଗୁଡ଼ିକର ଶକ୍ତି ସ୍ତର ଠିକ୍ ଭାବରେ କାର୍ଯ୍ୟ କରି ନ ଥାଏ, ଯେପରି ତାର ରକ୍ତଚାପ, ସ୍ପନ୍ଦନର ହାର, ଶ୍ବାସ-ପ୍ରଶ୍ବାସର ହାର ଆଦିରେ ପରିବର୍ତ୍ତନ; ଯାହା ପରଦାରେ ପରୀକ୍ଷଣ କରୁଥିବା ବ୍ୟକ୍ତି ଜଣକ ତରଂଗ ରୂପରେ ଦେଖିପାରନ୍ତି। ଅର୍ଥାତ୍ ତାର ଭାବନା ଯେଉଁ ଜଡତ୍ବ କ୍ଷେତ୍ର ମଧ୍ୟରେ କାର୍ଯ୍ୟ କରୁଥାଏ; ଶକ୍ତି ମଧ୍ୟ ସେହି ଦିଗରେ କାର୍ଯ୍ୟ କରୁଥାଏ। ଏଣୁ ଯଥାର୍ଥରେ ଆମେ ଏହା କହିପାରିବା ଯେ ଶବ୍ଦଗୁଡ଼ିକ ମଧ୍ୟ ଏକ ଜଡତ୍ବ କ୍ଷେତ୍ର ମଧ୍ୟରେ କାର୍ଯ୍ୟ କରନ୍ତି।
ଭୋଗରାଇ, ବାଲେଶ୍ବର

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories