ଭୁବନେଶ୍ୱର: ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଉ ଦୁଇଟି ବାଟାଲିଅନ ଗଠନ କରାଯିବ। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିଛନ୍ତି। ଏହି ଦୁଇଟି ନୂତନ ବାଟାଲିଅନ ପାଇଁ ସମୁଦାୟ ୨୦୮୦ଟି ପଦବୀ ମଧ୍ୟ ସୃଷ୍ଟି କରାଯାଇଛି। ଏଥିରୁ ୧୯୪୪ଟି ନିୟମିତ ପଦବୀ ଥିବାବେଳେ ୧୩୬ଟି ପଦବୀ ଆଉଟସୋର୍ସିଙ୍ଗ ଭିତ୍ତିରେ ସୃଷ୍ଟି କରାଯାଇଛି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ଓଆଇଏସଏଫରେ ଗୋଟିଏ ବାଟାଲିଅନ କାର୍ଯ୍ୟରତ ଥିଲା। ଏହାର ସମୁଦାୟ ପଦବୀ ସଂଖ୍ୟା ୧୮୦୭। ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଏପ୍ରିଲ ମାସରେ ଗୋଟିଏ ନୂଆ ବାଟାଲିଅନ ସୃଷ୍ଟି କରିଥିଲେ। ଏହାଦ୍ୱାରା ସମୁଦାୟ ୨ଟି ବାଟାଲିଅନ କାର୍ଯ୍ୟ କରୁଥିଲା ଏବଂ ଏହି ୨ଟି ବାଟାଲିଅନର ପଦବୀ ସଂଖ୍ୟା ୨୮୪୭ ଥିଲା। ତୃତୀୟ ଓ ଚତୁର୍ଥ ବାଟାଲିଅନ ସୃଷ୍ଟି ହେବାପରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସରେ ସମୁଦାୟ ପଦବୀ ସଂଖ୍ୟା ୪୯୨୭ ହୋଇଛି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା ହେବା ସହିତ ଆଗାମୀ ଦିନରେ ଏହି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି। ଉତ୍କର୍ଷ ଓଡ଼ିଶା-ମେକ୍ ଇନ ଓଡ଼ିଶା ୨୦୨୫ ପରେ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ତେଣୁ ଶିଳ୍ପ ପ୍ରତିଷ୍ଠାନ ଓ ବାଣିଜ୍ୟିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକର ସୁରକ୍ଷା ଜରୁରୀ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆହୁରି ଦୁଇଟି ବାଟାଲିଅନ ଗଠନକୁ ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି।



