ବ୍ରହ୍ମଗିରି : ବ୍ରହ୍ମଗିରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଓଡ଼ିଶା ଭୂମିହୀନ ଦଳିତ ସଂଗ୍ରାମ ସମିତି ତରଫରୁ ବସୁନ୍ଧରା ଯୋଜନାରେ ଭୂମିହୀନ ପରିବାରକୁ ୪ ଡ଼ିସିମିଲ ଘରପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ସଂଯୋଜକ ଶ୍ୟାମଳେନ୍ଦୁ ପ୍ରଧାନ ଓ ସଭାପତି ରଘୁନାଥ ସାହୁଙ୍କ ନେତୃତ୍ୱରେ ବ୍ରହ୍ମଗିରି ତହସିଲ ଅଧୀନରେ ରହିଥିବା ବ୍ରହ୍ମଗିରି ଏବଂ କୃଷ୍ଣ ପ୍ରସାଦ ବ୍ଲକର ୩୨ ପଞ୍ଚାୟତରୁ ଶତାଧିକ ଭୂମିହୀନ ମହିଳା ଓ ପୁରୁଷ ଆନ୍ଦୋଳନରେ ସାମିଲ ହୋଇଥିଲେ। ସକାଳ ୧୧ ଟାରୁ ଆନ୍ଦୋଳନ ଜାରି ରହିଛି। ଆଇନ ଶୃଙ୍ଖଳା ଦୃଷ୍ଟିରୁ ୨ ପ୍ଲାଟୁନ ପୋଲିସ ଫୋର୍ସ ସଜାଗ ରହିଥିବାବେଳେ ପୁରୀ ସଦର ଏସଡିପିଓ ରବି ନାରାୟଣ ଭଞ୍ଜଏବଂ ବ୍ରହ୍ମଗିରି ଥାନା ଅଧିକାରୀନି ପ୍ରଜ୍ଞା ମହାନ୍ତି ଘଟଣାସ୍ଥଳରେ ରହିଛନ୍ତି। ଆନ୍ଦୋଳନକାରୀଙ୍କ କହିବାନୁସାରେ ପଟ୍ଟା ଦେବେ ବୋଲି ତହସିଲଦାର ବାରମ୍ବାର ଆମକୁ ମିଛ ପ୍ରତିଶ୍ରୁତି ଦେଉଛନ୍ତି। ଆମକୁ ପଟ୍ଟା ପ୍ରଦାନ କରିବେ ବୋଲି ଗତ ଜୁନ ୨ ତାରିଖ ଆନ୍ଦୋଳନ ବେଳେ ପ୍ରତିଶ୍ରୁତି ଦେଇଥିଲେ ବି ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲାନାହିଁ। ସେଥିପାଇଁ ଆମେ ଆଜି ଆନ୍ଦୋଳନ କରୁଛୁ। ଆଜି ବି ଯଦି ଆମ ଦାବି ପୂରଣ ନ ହୁଏ ଏ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ସମିତି ସଭାପତି। ଅନ୍ୟପଟରେ ଆରଆଇ ତଦନ୍ତ କରୁଛନ୍ତି। ଭୂମିହୀନଙ୍କୁ ଚିହ୍ନଟ କରାଯାଇ ପଟ୍ଟା ଦିଆଯିବ ବୋଲି କହିଛନ୍ତି ତହସିଲଦାର ।




