ରଣପୁରଗଡ଼: ରାଜ୍ୟରେ ଗୋଚର ଚାରଣଭୂମି ଉପରେ ପ୍ରାୟ ସମସ୍ତଙ୍କ ଲୋଲୁପ ଦୃଷ୍ଟି। ଫଳରେ ଖଣି ମାଫିଆଙ୍କଠାରୁ ଆରମ୍ଭ କରି ଜମି ମାଫିଆ ଗୋଚର ଜାଗା ଜବରଦଖଲ କରିବା ଯୋଗୁ ଗାଁ ଗଉଡ଼ ଆଉ ଗାଈ ଜଗୁନାହାନ୍ତି। ଗାଁ ଦାଣ୍ଡ ଗୋଧୂଳି ଦୃଶ୍ୟ ଆଉ ଦେଖିବାକୁ ମିଳୁନାହିଁ। ଗୋପାଳକମାନେ ଗାଈ ଉଦା ଛାଡିବା ଯୋଗୁ ଦିନ ରାତି ସଡ଼କ ଉପରେ ଗାଈ ଶୋଇ ରହୁଛନ୍ତି। ଯାନବାହାନରେ ଯାତାୟତ ସମୟରେ ଅନେକ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି। ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ବୁଲା ଗାଈ ଷଣ୍ଢଙ୍କ ଯୋଗୁ ଦୁର୍ଘଟଣାରେ ବହୁ ମୃତ୍ୟୁ ଘଟିବାପରେ ପ୍ରଶାସନ କାଉନସିଲ ବୈଠକରେ ବୁଲା ଗାଈଙ୍କୁ ବାନ୍ଧିବା ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସୂଚନା ଅନୁଯାୟୀ ଗାଈ ବାନ୍ଧିବା ପାଇଁ ପଘା କିଣା ସରିଛି। ଆଜିଠାରୁ ବୁଲା ଗାଈ ବନ୍ଧାହୋଇ ହରଚଣ୍ଡୀ ଗୋଶାଳାରେ ରହିବେ। ଗାଈ ପିଛା ଦିନକୁ ଖାଦ୍ୟ ପାଇଁ ୫୦ ଟଙ୍କା ଦିଆଯିବ। ଗାଈ ନେବାକୁ ଆସିଲେ ମାଲିକଠାରୁ ଦିନକୁ ୨୦୦ ଟଙ୍କା ଜରିମାନା ଆଦାୟ କରାଯିବ। ବିଜ୍ଞାପିତ ଅଞ୍ଚଳ ପରଷଦର ଏଭଳି ପଦକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି।
Popular Categories



