କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତର ଜିଲୁଣ୍ଡା ଗ୍ରାମରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ମରୁଡି ହୋଇଥିବାରୁ ଆଜି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦେଇଥିବା ଦେଖିବାକୁ ମିଳିଛି। ୧୯୩୧ମସିହାରେ ସ୍ଥାପିତ ହୋଇଥିବା ବିଦ୍ୟାଳୟରେ ବର୍ତ୍ତମାନ ଜଣେ ମାତ୍ର ପ୍ରଧାନ ଶିକ୍ଷୟତ୍ରୀ ହିରଣ୍ମୟୀ ବେହେରା କେବଳ ବିଦ୍ୟାଳୟକୁ ଜଗି ରହିଥାନ୍ତି। ପୂର୍ବରୁ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ହିରଣ୍ମୟୀ ବେହେରା ସମେତ ତିନିଜଣ ଗୁଲସନ ବଚ୍ଛା, ଅଶୋକ ନନ୍ଦ, ମୁନାରାଣୀ ଦାସ ରହିଥିଲେ। ବିଦ୍ୟାଳୟରେ ବାଲବାଟିକା ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ଅଭାବ ଯୋଗୁଁ ଅଭିଭାବକ ମାନେ ପିଲାଙ୍କୁ ଭବିଷ୍ୟତକୁ ଦେଖି ସାର୍ଟିଫିକେଟ ବାହାର କରି ଅନ୍ୟତ୍ର ବିଦ୍ୟାଳୟରେ ପଢ଼ାଉଥିବା ଅଭିଯୋଗ କରିଛନ୍ତି। ଗୁଲସନ ବଚ୍ଛାଙ୍କୁ ୨୦୨୫ଫେବୃଆରୀ ମାସରେ ଆଞ୍ଚଳିକ ସାଧାନ ସଂଯୋଜକ ସିଙ୍ଗାରି ପଞ୍ଚାୟତରେ ନିଯୁକ୍ତି କରାଯାଇଛି। ଅଶୋକ ନନ୍ଦଙ୍କୁ ଡେପୁଟିସନରେ ଚାମରଯୋଡ଼ି ପ୍ରାଥମିକ ବିଦ୍ୟାଳୟକୁ ପଠାଇଦେଇଥିବା ବେଳେ ଅନ୍ୟ ଶିକ୍ଷୟତ୍ରୀ ମୁନାରାଣୀ ଦାସ ପ୍ରସ୍ତୁତି କାଳୀନ ଅବସ୍ଥାରେ ମେ ମାସ ଠାରୁ ଛୁଟିରେ ରହିଛନ୍ତି।
ବର୍ତ୍ତମାନ ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷୟତ୍ରୀ ଅଛନ୍ତି । ସେ ସବୁବେଳେ ଅଫିସ କାମ, ବୈଠକ, ତାଲିମ, ବ୍ୟାଙ୍କ ସମସ୍ତେ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି । ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ହିଁ ଦିନ ଚାଲିଯାଉଛି। ଏହାକୁ ନେଇ ବିଦ୍ୟାଳୟର ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ମୌଖିକରେ କହି ଆସୁଥିଲେ ସୁଦ୍ଧା କୌଣସି କାର୍ଯ୍ୟ ହେଉନଥିଲା। ବିଦ୍ୟାଳୟର ଦୁରାବସ୍ଥା ସାଙ୍ଗକୁ ପିଲାଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଗତିକରୁଥିବା ଜାଣି ବିଦ୍ୟାଳୟ ସଭାପତି ସୁଲିଆ ଅଶୋକ, ୱାର୍ଡ ସଦସ୍ୟ ରାମଚାନ୍ଦ୍ର ଚୌଧୁରି, ପଦ୍ମନାଭ ତ୍ରିପାଠୀ, ଶଶୀଭୁଷଣ ଦୁଗାମୁ, ମନୋଜ ଦିଗାମ ପ୍ରମୁଖ ଏକତ୍ରିତ ହୋଇ ଗୋଷ୍ଠୀ ଶିକ୍ଷାକେନ୍ଦ୍ରକୁ ଆସି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟୀ କୁମାର ସେଠୀ ଲିଖିତ ଅଭିଯୋଗ ପତ୍ର ପ୍ରଧାନ କରିଛନ୍ତି। ଏଥିରେ ବରିଷ୍ଠ କିରାଣୀ ଭିତ୍ତରଞ୍ଜନ ମହାପାତ୍ର ଏକ ସପ୍ତାହ ମଧ୍ୟରେ ଗୋଟିଏ ହେଲେ ଶିକ୍ଷକ ଯୋଗାଇଦେବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସପ୍ତାହ ମଧ୍ୟରେ ଶିକ୍ଷକ ଯୋଗାଇ ଦିଆନ ଗଲେ ଆମେ ବିଦ୍ୟାଳୟରେ ତାଲା ପକାଇବାକୁ ବାଧ୍ୟ ହେବୁ ବୋଲି ଅଭିଭାବକ ମାନେ କହିଛନ୍ତି। ବର୍ତ୍ତମାନ ସରକାର ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପିଲାଙ୍କ ପାସ ଫେଲ ରଖିଛନ୍ତି। ଅନ୍ୟ ପଟେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ନ ଥିବାରୁ ପାଠ ପଢା ଠପ ହୋଇଯାଇଛି ବୋଲି ଅଭିଭାବକ ମାନେ କହିଛନ୍ତି।



