ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଭେଟଖୋଲ ଘାଟି ପାଣ୍ଡୁଲିସାହି ନିକଟରେ ଦୁଇ ଯୁବକଙ୍କୁ ଛୁରା ମାଡ଼ ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି। ଶନିବାର ଏହି ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ବଲସକୁମ୍ପା ନିକଟରୁ ଉଠେଇ ଆଣି ଗିରଫ କରିଛି ପୁଲିସ୍। ଗିରଫ ଅଭିଯୁକ୍ତଦ୍ଵୟ ହେଲେ ନାନ୍ଦୁ ଭୋଇ(୩୫) ଏବଂ ବୁଟୁ ପ୍ରଧାନ(୨୫)।
ଭେଟଖୋଲ ଘାଟି ପାଣ୍ଡୁଲିସାହି ନିକଟରେ ଦୁଇ ଯୁବକଙ୍କୁ ଛୁରା ମାଡ଼ ହୋଇଥିବା ନେଇ ଖଜୁରୀପଡ଼ା ଥାନାରେ ହାରା ପ୍ରଧାନ ଅଭିଯୋଗ କରିଥିଲେ। ଏ ନେଇ ଥାନାରେ ୯/୨୫ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା ଖଜୁରୀପଡ଼ା ପୁଲିସ। ଶନିବାର ଏହି ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ବଲସକୁମ୍ପା ନିକଟରୁ ଗିରଫ କରିଛି ପୁଲିସ୍। ଘଟଣାରେ ବ୍ୟବହୃତ ହୋଇଥିବା ମାରଣାସ୍ତ୍ର, ମୋବାଇଲ ଫୋନ ସହିତ ବାଇକ୍ ଜବତ ହୋଇଛି। ଏନେଇ ରବିବାର ଏସଡିପିଓ ସୁଭ୍ରଜିତ ବିଶ୍ବାଳ ସାମ୍ବାଦିକ ସମ୍ମିଳନୀରେ ଖୁଲାସା କରିଛନ୍ତି। ଏହି ସମ୍ମିଳନୀରେ ଥାନା ଅଧିକାରୀ ଚାପଧାରୀ ପ୍ରଧାନ, ଏସଆଇ ଦୀନବନ୍ଧୁ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରକାଶ ଯେ, ଦାତପାଜୁ ହନୁମାନ ମନ୍ଦିର ପଛ ପଟେ ୧୩ ଜାନୁଆରୀ ୨୦୨୫ରେ ସଞ୍ଜୟ ପ୍ରଧାନ, ରାଜା ମହାନନ୍ଦିଆ ବସିଥିବା ସମୟରେ ଅଜଣା ୩ ବ୍ୟକ୍ତି ଆସି ସେମାନଙ୍କୁ ଛୁରା ମାଡ଼ କରିଥିଲେ। ସଞ୍ଜୟ ପ୍ରଧାନ ଏବଂ ରାଜା ମହାନନ୍ଦିଆ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିଲେ। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସାମାନ୍ୟ ସୁଧୁରିବାରୁ ପୁଲିସ ତଦନ୍ତରେ ସହାୟକ ହୋଇଛି। ଦୁଇ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଆଉ ଜଣେ ଫେରାର ଅଛି। ଖୁବଶୀଘ୍ର ଆଉ ଜଣଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।



