www.samajalive.in
Saturday, December 6, 2025
23.1 C
Bhubaneswar

ଟ୍ରଲି ମାଗି ଝିଅର ମୃତଦେହକୁ ଡାକ୍ତରଖାନା ନେଲେ ଗରିବ ବାପା

ବାଲିଆପାଳ : ପୁଣି  ଥରେ ଶବକୁ ଅସମ୍ମାନ କରାଯାଇଛି। ରଶି ଲଗାଇ ଆତ୍ମହତ୍ୟା କରିଥିବା ଝିଅର ଶବ ବ୍ୟବଚ୍ଛେଦ ପାଇଁ ଟଙ୍କା ନଥିବା ଯୋଗୁଁ ଟ୍ରଲି ସାହାଯ୍ୟରେ ଘରଠାରୁ ୬ କିଲୋମିଟର ଦୂର ଡାକ୍ତରଖାନାକୁ ନେଇଛି ଗରିବ ଆଦିବାସୀ ବାପା । ଏଭଳି ଏକ ଘଟଣା ଘଟିଛି ବାଲିଆପାଳ ବ୍ଲକ ଦେଉଳା  ପଞ୍ଚାୟତ ବିନ୍ଧାଣିସାହି ଗ୍ରାମରେ । ସୂଚନାରୁ ପ୍ରକାଶ ବିନ୍ଧାଣିସାହି ଗ୍ରାମର ମଧୁବିନ୍ଧାଣୀଙ୍କ ଝିଅ ନନ୍ଦିନୀ(୧୮)  କୌଣସି କାରଣରୁ ରାଗିଯାଇ  ଘର ନିକଟରୁ ୫୦୦ମିଟର ଦୂର ଏକ ପରିତ୍ୟକ୍ତ ପୋଖରୀ ହୁଡ଼ାରେ ବେକରେ ନିଜର ଉତ୍ତରି ଲଗାଇ ଆତ୍ମହତ୍ୟା କରିଥିବା  ଦେଖିବାକୁ ମିଳିଥିଲା । ଖବର ପାଇ ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବଦ କରି ବ୍ୟବଚ୍ଛେଦ ପାଇଁ ପରିବାର ଲୋକଙ୍କୁ ଦାୟିତ୍ୱ ଦେଇ ପଳାଇ ଆସିଥିଲେ। ଅନ୍ୟ ପକ୍ଷରେ ଗରିବ ଆଦିବାସୀ ବାପା ପାଖରେ ଆମ୍ବୁଲାନସରେ ଶବ ନେବା ପାଇଁ ଅର୍ଥ ନଥିବାରୁ  ଗାଁରୁ ଏକ ଟ୍ରଲି ରିକ୍ସା ମାଗି ଝିଅର ଶବକୁ ସେଥିରେ ଧରି ଘରଠାରୁ ୬ କିଲୋମିଟର ଦୂର  ବାଲିଆପାଳ ଡାକ୍ତରଖାନା ପର୍ଯ୍ୟନ୍ତ ବୋହି କରି ନେଇଯିବା ଘଟଣା  ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

ତେବେ ମଧୁ ଅତ୍ୟନ୍ତ ଗରିବ ଦିନ ମଜୁରିଆ ହୋଇଥିବାରୁ  ଆମ୍ବୁଲାନସରେ ଶବକୁ ନେବାକୁ ୧୨ଶହ ଟଙ୍କା ବ୍ୟବସ୍ଥା କରିପାରି ନଥିଲେ । ଗ୍ରାମର ଜୈନିକ ବ୍ୟକ୍ତିଙ୍କଠାରୁ ଟ୍ରଲି ମାଗି  ଝିଅର ଶବକୁ ଡାକ୍ତରଖାନାକୁ ନେବାର ବ୍ୟବସ୍ଥା କରିଥିଲେ। ସେହିପରି ଶବ ବ୍ୟବଚ୍ଛେଦ ପାଇଁ କୁଆଡେ ଡାକ୍ତରଖାନାରେ  ୧୫ ଶହରୁ ୨ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ତାଙ୍କୁ ପୋଲିସ କହିଥିବା ବେଳେ  ଝିଅର ବାପା ସ୍ଥାନୀୟ କିଛି ନେତାଙ୍କ ସାହାଯ୍ୟ ଲୋଡିଥିବା  ଜଣାଯାଇଛି । ତେବେ  ଗରିବ ଅସହାୟ ଆଦିବାସୀଙ୍କ ପ୍ରତି ପୋଲିସ ପ୍ରଶାସନର ଅମାନବିକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୋଲିସ ଶବକୁ ନେଇ ବ୍ୟବଚ୍ଛେଦ ନ କରାଇ ପରିବାର ଲୋକଙ୍କୁ ଦାୟିତ୍ୱ ଦେଇଦେବା ଏକ ଅମାନବୀୟ ଘଟଣା ବୋଲି ବହୁ ବୁଦ୍ଧିଜୀବୀ କ୍ଷୋଭର ସହ କହିଛନ୍ତି। ଟ୍ରଲିରେ ଶବକୁ ବୋହି ଶବକୁ ଅସମ୍ମାନ କରିବା ନେଇ ବୁଦ୍ଧିଜୀବି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଘଟଣା ସମ୍ପର୍କରେ ସୂଚନା ପାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବାଲିଆପାଳ ବିଡିଓ ରାଧା ରଞ୍ଜନ ଦାସ ରେଡକ୍ରସ ତରଫରୁ ପାଞ୍ଚ ହଜାର ଟଙ୍କା ସହାୟତା ଦେଇଥିବା ଜଣାପଡିଛି। ତେବେ ବାଲିଆପାଳ ପୋଲିସର ଏଭଳି ଅମାନବୀୟ କାର୍ଯ୍ୟ ପାଇଁ ଥାନା ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories