ସୁପ୍ରିମକୋର୍ଟଙ୍କ ରାୟ ଏସ୍‌ସି/ଏସ୍‌ଟି ଆଇନକୁ ଦୁର୍ବଳ କରିଦେଇଛି: ସରକାର

0

ନୂଆଦିଲ୍ଲୀ : ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିରୋଧ ଆଇନ ଉପରେ ସୁପ୍ରିମକୋର୍ଟ ନିକଟରେ ଦେଇଥିବା ରାୟ ଉକ୍ତ ଆଇନର ବ୍ୟବସ୍ଥାକୁ ଦୁର୍ବଳ କରିଦେଇଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ଏପରି କି ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଦେଶକୁ ବହୁତ କ୍ଷତି ପହଞ୍ଚାଇଛି। ଗୁରୁବାର ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ସୁପ୍ରିମକୋର୍ଟରେ ଦେଇଥିବା ଲିଖିତ ଜବାବରେ ଉଲ୍ଲେଖ କରିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଏହି ରାୟ ଅତ୍ୟନ୍ତ ସମ୍ବେଦନଶୀଳ। ଏହା ଦେଶରେ କ୍ରୋଧ, ବିଶୃଙ୍ଖଳା ଓ ବିଭେଦର ବାତାବରଣ ସୃଷ୍ଟି କରିଛି। ସର୍ବୋଚ୍ଚ ନ୍ୟାୟାଳୟ ଏସସି/ଏସଟି ଆଇନରେ ରହିଥିବା ଶୂନ୍ୟସ୍ଥାନ ପୂରଣ କରିବା ପରିବର୍ତ୍ତେ ନ୍ୟାୟିକ ବ୍ୟବସ୍ଥାପକ ମାଧ୍ୟମରେ ଏଥିରେ ସଂଶୋଧନ ଆଣିଛନ୍ତି। ବେଣୁଗୋପାଳ କହିଛନ୍ତି ଯେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ମଧ୍ୟରେ କ୍ଷମତାର ଆବଣ୍ଟନ କରାଯାଇଛି। ତେଣୁ ସମସ୍ତେ ନିଜ ନିଜର କ୍ଷମତା ପରିସରରେ ରହି କାର୍ଯ୍ୟ କରିବା ଦରକାର। ଏସସି/ଏସଟି ଆଇନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ପୂର୍ବରୁ ସରକାର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ରାୟ ଦ୍ୱାରା ଏହି ଆଇନର ପୁନର୍ଲିଖନ କରାଯାଇଛି। ମାର୍ଚ୍ଚ ୨୦ରେ ସୁପ୍ରିମକୋର୍ଟ ଏସସି/ଏସଟି ଆଇନର ଦୁରୁପଯୋଗ ରୋକିବାକୁ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ସର୍ବୋଚ୍ଚ ଅଦାଲତ କହିଥିଲେ ଯେ ଏସସି/ଏସଟି ଆଇନ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ବିରୋଧରେ ଦାୟର ହେଉଥିବା ମାମଲାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇପାରିବ ନାହିଁ। ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ (ଡିଏସପି) ପାହ୍ୟାର ଜଣେ ପୁଲିସ ଅଧିକାରୀ ଅଭିଯୋଗର ତଦନ୍ତ କରିବା ପରେ ଅଭିଯୁକ୍ତ ସରକାରୀ କର୍ମଚାରୀଙ୍କୁ ଗିରଫ କରାଯିବ। ସେହିପରି ଅଭିଯୁକ୍ତ ସରକାରୀ କର୍ମଚାରୀଙ୍କୁ ଗିରଫ କରିବାକୁ ହେଲେ ତାଙ୍କ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେବାକୁ ପଡିବ। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ଆଇନ ଅନୁଯାୟୀ ସରକାରୀ କର୍ମଚାରୀଙ୍କ ବିରୋଧରେ ଦାୟର ହେଉଥିବା ମାମଲାର ଅଭିଯୁକ୍ତଙ୍କୁ ଆଗୁଆ ଜାମିନ ପ୍ରଦାନରେ କୌଣସି ପ୍ରକାର କଟକଣା ରହିବ ନାହିଁ। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଏପ୍ରିଲ ୨ରେ ଦଳିତ ସଂଗଠନ ପକ୍ଷରୁ ଭାରତ ବନ୍ଦ କରାଯାଇଥିଲା। ଏହି ବନ୍ଦ ବେଳେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୧୧ଜଣଙ୍କର ମୃତ୍ୟୁ ହୋଇଥିଲା।

Leave A Reply