www.samajalive.in
Friday, December 5, 2025
26.1 C
Bhubaneswar

ପୁସ୍ତକ ପତ୍ରିକା ମେଳା ଓ ସାହିତ୍ୟ ସଭା

ଭୁବନେଶ୍ଵର:  ଆଜିକାଲି ପୁସ୍ତକ ପତ୍ରିକା ମେଳା ଚାରିଆଡ଼େ। ବଡ଼ ବଡ଼ ପଡ଼ିଆରେ ମେଳାର ଆୟୋଜନ। ପଡ଼ିଆ ଚାରିପଟେ ଷ୍ଟଲ୍‌‌ଗୁଡ଼ାକ। ଗଦା ହୋଇଛି ପୁସ୍ତକ, ପତ୍ରିକା। ବିକିବା ପାଇଁ ଗୋଟେ ଗୋଟେ ଷ୍ଟଲ୍‌‌ରେ ବସିଛନ୍ତି ଦୁଇତିନି ଜଣ। କ୍ରେତାଙ୍କ ସଂଖ୍ୟା ନଗଣ୍ୟ। ପଡ଼ିଆ ମଝିରେ ବଡ଼ ମଣ୍ଡପ। ମଣ୍ଡପ ଉପରେ ପ୍ରତିଦିନ ସଂଧ୍ୟାବେଳେ ସାହିତ୍ୟ ସଭାର ଆୟୋଜନ। ସଭା ଶେଷରେ ନାଚଗୀତ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ। ଫାଟକରେ ଟଙ୍ଗା ହୋଇଛି ପୁସ୍ତକ ପତ୍ରିକା ମେଳାର ବଡ଼ ବ୍ୟାନର୍‌‌। ଫାଟକ ବାହାରେ ଚାଟ୍‌‌, ଗୁପ୍‌‌ଚୁପ୍‌‌, ପାମ୍ପଡ଼, ସିଝା ମକା ଦୋକାନ। ପ୍ରବଳ ଲୋକ ଭିଡ଼ ସେଠି। ଫାଟକରୁ ସଭାମଣ୍ଡପ ଯାଏ ପଡ଼ିଛି ଲମ୍ବା କାର୍ପେଟ୍‌‌। ପ୍ରତିଦିନ ଉଦ୍‌‌ଘାଟକ, ଅତିଥି, ବକ୍ତାମାନଙ୍କୁ ଫାଟକ ନିକଟରେ ଫୁଲଚନ୍ଦନ ଦେଇ ବାଜା ବଜେଇ ପାଛୋଟି ନିଆଯାଉଛି ସଭାମଣ୍ଡପ ନିକଟକୁ। ପୁସ୍ତକ, ପତ୍ରିକା ସମ୍ବନ୍ଧରେ ଆଲୋଚନା ଚାଲିଛି ଦୀର୍ଘ ସମୟ। ସମସ୍ତେ କହୁଛନ୍ତି ପୁସ୍ତକ, ପତ୍ରିକା ଆଶାନୁରୂପ ବିକ୍ରି ହେଉନାହିଁ। ସଭାରେ ବକ୍ତୃତା ଶୁଣିବା ପାଇଁ ଲୋକ କମ୍‌‌; କିନ୍ତୁ ସଭା ଶେଷରେ ମଣ୍ଡପ ଚାରିପଟେ ଲୋକଙ୍କ ଗହଳି ଲାଗିଛି ନାଚ ଦେଖିବା, ଗୀତ ଶୁଣିବା ପାଇଁ।
କେବଳ କୌଣସି ନା କୌଣସି ସଂଗଠନ, ଅନୁଷ୍ଠାନ ତରଫରୁ ନୁହେଁ, ବ୍ୟକ୍ତିଗତ ପ୍ରଚେଷ୍ଟାରେ ବି କେଉଁଠି କେମିତି ପୁସ୍ତକ ପତ୍ରିକା ମେଳାର ଆୟୋଜନ। ସେଠି ବି ଦେଖିବାକୁ ମିଳୁଛି ବହୁ ପ୍ରଭାବଶାଳୀ, କ୍ଷମତାଧରଙ୍କୁ। ପ୍ରାଦେଶିକ, ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ କିଛି ଲୋକଙ୍କର ସମାବେଶ ସେଠି। ମାଳମାଳ କାର୍‌‌ରେ ଆସୁଛନ୍ତି ଦଳଦଳ ଲୋକ। ନାତିଶୀତୋଷ୍ଣ ଅଡିଟୋରିଅମ୍‌‌ରେ ସଭାର ଆୟୋଜନ। ଗେଣ୍ଡୁମାଳରେ ସଜେଇଦିଆ ହୋଇଛି ଅଡିଟୋରିଅମ୍‌‌ର ବାହାର ଓ ଭିତର। ବୁଟ୍‌‌, ସୁଟ୍‌‌, ସାର୍ଟ୍‌‌, କୋଟ୍‌‌, ଟାଇ, ଜ୍ୟାକେଟ୍‌‌ ପିନ୍ଧା ସାଆନ୍ତମାନେ ବସିଛନ୍ତି ସୋଫା ଉପରେ, ଗୋଡ଼ ଉପରେ ଗୋଡ଼ ପକେଇ। ପୂର୍ବାହ୍ଣରେ ଚା, କଫି, ବେଳେବେଳେ ଦହି ସରବତ, ମଧ୍ୟାହ୍ନରେ ଉଭୟ ନିରାମିଷ, ଆମିଷ ଭୋଜନ, ଅପରାହ୍ଣରେ ପୁନର୍ବାର ଚା, କଫିର ବ୍ୟବସ୍ଥା।
ସଭାର ଚାରିଭାଗ ସମୟରୁ ତିନିଭାଗ ବିତିଯାଉଛି କେବଳ ଆୟୋଜକ ଓ ଅତିଥିମାନଙ୍କ ପାରସ୍ପରିକ ପ୍ରଶସ୍ତିଗାନରେ। ଦଶବାରଜଣଙ୍କୁ ସମ୍ବର୍ଦ୍ଧିତ କରାଯାଉଛି ସାରସ୍ୱତ କୃତି ପାଇଁ। ଶେଷରେ ସ୍ୱଳ୍ପ ସମୟ ରହୁଛି ବକ୍ତବ୍ୟ ପାଇଁ। ଅତିଥି ବକ୍ତାମାନେ ଯେଉଁ ରାଜ୍ୟକୁ ଯାଉଛନ୍ତି ସେହି ରାଜ୍ୟବାସୀଙ୍କ ମାତୃଭାଷାଟିକୁ ଚତୁରତାର ସହିତ ସର୍ବଶ୍ରେଷ୍ଠ ଭାଷା କହି ସର୍ବାଧିକ ପ୍ରଶଂସା କରୁଛନ୍ତି ଓ ସେହି ଭାଷାର ସାହିତ୍ୟକୁ ଅନ୍ୟ ଭାଷାରେ ଅନୁବାଦ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ସେମାନଙ୍କ ବକ୍ତବ୍ୟଗୁଡ଼ିକ କେତେ ଉପରଠାଉରିଆ, ଦୁର୍ବଳ, ବିଶ୍ଳେଷଣ କଲେ ଜଣାପଡ଼ିଯାଉଛି। ବହୁ ସଭାମଣ୍ଡପରେ ସାହିତ୍ୟ ସମ୍ପର୍କିତ ଆଲୋଚନା ଅଗଭୀର, ଅସାର ହେଉଛି।
ସାହିତ୍ୟର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ନପଡ଼ିବାର କାରଣ ସାଧାରଣ ଜୀବନ ସମ୍ବଳିତ ଲେଖା ଅପେକ୍ଷାକୃତ କମ୍‌‌ ସଂଖ୍ୟାରେ ପ୍ରକାଶ ପାଉଛି। କିଛି ସାହିତ୍ୟିକ ପୁରସ୍କାର ପାଇବା ପାଇଁ ସବୁବେଳେ ବ୍ୟାକୁଳଚିତ୍ତ, ଯାହାଦ୍ୱାରା ସେମାନେ ସାଧାରଣ ଲୋକଙ୍କ ବିରାଗଭାଜନ ହେଉଛନ୍ତି। ସେମାନଙ୍କ ମଧ୍ୟରେ ଶୀତଳ ଯୁଦ୍ଧ କିଏ ଅନ୍ୟକୁ ପଛକୁ ଠେଲି ଆଗକୁ ମାଡ଼ିଯିବ ଆଉ ପୁରସ୍କାର ହାତେଇବ। ଅନ୍ୟର ଲେଖାକୁ ଚୋରି କରି ନିଜ ନାଁରେ ଛପାଇବା ଦ୍ୱାରା ଚୋରି କରିଥିବା ଲୋକକୁ ପାଠକମାନେ ବିଶ୍ୱାସ କରୁନାହାନ୍ତି କି ଲେଖକ ଭାବରେ ଗଣୁନାହାନ୍ତି। ଥରେ ଗୋଟିଏ ସଭାରେ ଦୁଇଜଣ ଲେଖକ ଅଭିମାନରେ ମୁହଁ ଫୁଲାଇ ବସିଥିବାର ଲକ୍ଷ୍ୟ କରାଗଲା। ଜଣେ କହୁଥିଲେ, ‘ମୁଁ ଗୋଟେ ପ୍ରାଦେଶିକ ସାହିତ୍ୟ ସମାଜର ଅଧ୍ୟକ୍ଷ। ମୁଁ ସଭାର ଉଦ୍‌‌ଘାଟକ ହେବି।’ ଆରଜଣକ କହୁଥିଲେ, ‘ମୁଁ ପ୍ରାଦେଶିକ ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ। ଉଦ୍‌‌ଘାଟକ ପଦଟା ମୋର।’ ଯାହାହେଉ ସଭାର ଆୟୋଜକମାନେ ଦୁହିଁଙ୍କୁ ବହୁତ ବୁଝାଇ ହାତ ଧରି ମଞ୍ଚକୁ ନେଇଗଲେ। ସେମାନଙ୍କ ମଧ୍ୟରୁ ଜଣେ ଖଣ୍ଡେ କାଗଜରେ କ’ଣ ଗୁଡ଼ାଏ ଲେଖି ଆଣିଥିଲେ, ମଞ୍ଚରେ ବସି ପଢ଼ୁଥିଲେ, କହିଲାବେଳେ କାଗଜକୁ ଟିକେ ଦେଖୁଥିଲେ, ଟିକେ କହୁଥିଲେ। କହିବାରେ ଶୈଳୀ କି ସାରବତ୍ତା କିଛି ନଥିଲା। ସମୁଦାୟ ସାତ ମିନିଟ୍‌‌ ସମୟ ସେ ବକ୍ତବ୍ୟ ରଖିଲେ। ପ୍ରଦେଶର ରାଜଧାନୀରୁ ସଭାସ୍ଥଳକୁ ତାଙ୍କୁ କାର୍‌‌ରେ ଆଣିବାକୁ ଆୟୋଜକମାନେ ଦୁଇ ହଜାର ସାତଶହ ଟଙ୍କା ଡ୍ରାଇଭର୍‌‌କୁ ଦେଲେ। ସଭା ଶେଷରେ ସେ ଗଲାପରେ ଲୋକମାନେ କହିଲେ, ‘ଅଜ୍ଞାନମାନଙ୍କର ଅଭିମାନ, ଅହଂକାର ବେଶି।’
ସାଧାରଣ ଲୋକଙ୍କ ସ୍ତରକୁ ଆଦୌ ସ୍ପର୍ଶ କରିନଥିବା କିଛି ଲେଖକ ଗୋଟେ ଗୋଟେ ବାତାନୁକୂଳ କୋଠରି ଭିତରେ ଆରାମଦାୟକ ଚୌକି ଉପରେ ବସି ସାଧାରଣ ଲୋକଙ୍କ କଥା ଲେଖୁଛନ୍ତି, ସିଏ ପୁଣି ଏମିତି ଶବ୍ଦରେ ଲେଖୁଛନ୍ତି ଯେ ସାଧାରଣ ପାଠକଟିଏ ଆଦୌ ବୁଝିପାରିବ ନାହିଁ। ଇଂରାଜୀ ସାହିତ୍ୟରେ ରୋମାଣ୍ଟିକ୍‌‌ ଯୁଗର କବି ଓ ସାହିତ୍ୟ-ସମାଲୋଚକ ୱଲିୟମ୍‌‌ ୱାର୍ଡ଼୍‌‌ସ୍‌‌ୱାର୍ଥ କହନ୍ତି ଯେ, ସାଧାରଣ ମଣିଷର ଭାଷା ଆଧାରରେ ସାହିତ୍ୟ ସର୍ଜନା କରିବା ତାଙ୍କର ମୂଳ ଲକ୍ଷ୍ୟ, ଯାହା ତାଙ୍କ ଲିଖିତ ‘ପ୍ରିଫେସ୍‌‌ ଟୁ ଲିରିକାଲ୍‌‌ ବାଲାଡ୍‌‌ସ୍‌‌’କୁ ପଢ଼଼ିଲେ ସ୍ପଷ୍ଟ ହୋଇଯାଏ। ଆମେ ଏବେ ଏଭଳି କିଛି ଲେଖକଙ୍କୁ ଭେଟନ୍ତି ଯେଉଁମାନେ କହୁଛନ୍ତି ସେମାନେ ସାଧାରଣ ଲୋକଙ୍କ ପରିସରର କଥା ଲେଖୁଛନ୍ତି, କିନ୍ତୁ ସେମାନଙ୍କ ଲେଖା ପଢ଼଼ି ଆମେ ଜାଣୁଛୁ ସେଥିରେ ସାଧାରଣ ଲୋକଙ୍କର ଚିହ୍ନ ବର୍ଣ୍ଣ ଆଦୌ ନାହିଁ।
ଏମିତି କିଛି ଆୟୋଜକ ଅଛନ୍ତି ଯେଉଁମାନେ ଭାବନ୍ତି ଉଚ୍ଚ ପଦରେ ଥିବା ଲୋକଙ୍କୁ ସାହିତ୍ୟ-ସଭାରେ ଅତିଥି କି ବକ୍ତା ଆସନରେ ବସାଇଲେ ସଭା ସଫଳ ହେବ। ସେମାନେ ବାଜା, ବାଣ ରୋଶଣିରେ, ଦଳେ ଦେହରକ୍ଷୀ, ଚାଟୁକାର ମେଳରେ ଆସି ମଞ୍ଚ ନିକଟରେ ପହଞ୍ଚିବେ, ମଞ୍ଚ ଉପରେ ସାଆନ୍ତିଆ ଠାଣିରେ ବସିବେ, ଯେଉଁ ଦି’ପୃଷ୍ଠାର ଲେଖାଟିକୁ ପଢ଼଼ିବେ ତା’ର ସାହିତ୍ୟ ସହିତ କୌଣସି ସମ୍ବନ୍ଧ ନଥିବ। ତଥାପି ସେମାନଙ୍କ ମହାର୍ଘ ଉପସ୍ଥିତି ପାଇଁ ଆୟୋଜକମାନେ ଆଜୀବନ କୃତଜ୍ଞ ହୋଇ ରହିବେ ବୋଲି ଧନ୍ୟବାଦ ପ୍ରଦାନ ପ୍ରସଙ୍ଗରେ ପ୍ରକାଶ କରିବେ।
ଗୋଟେ ରାଜ୍ୟର ରାଜଧାନୀରେ କିଛି ମାସ ତଳେ ଗୋଟେ ସାହିତ୍ୟ ସଭାରେ ଯୋଗଦେବାର ସୁଯୋଗ ଏହି ସ୍ତମ୍ଭକାରର ହୋଇଥିଲା। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଜଣେ ବ୍ୟଙ୍ଗକବିତାଟିଏ ପଢ଼଼ିଲେ, ଜଣେ କ୍ଷୁଦ୍ର ମୌଳିକ ପ୍ରବନ୍ଧଟିଏ ପଢ଼଼ିଲେ, ମୁଖ୍ୟ ଅତିଥି ସମାଜ ସାହିତ୍ୟ ସମ୍ପର୍କର କଥା କହିଲେ, କିଛି ଶ୍ରୋତା ନିଜ ନିଜର ମନ୍ତବ୍ୟ ଉପସ୍ଥାପନ କରିବା ପରେ ସଭାପତି ସଂକ୍ଷେପରେ ବକ୍ତବ୍ୟ ରଖିଲେ, ତା’ପରେ ଜଣେ ଗୀତଟିଏ ଗାଇଲେ। ସଭା ଶେଷ ହେଲା। ପରିଶେଷରେ ସାମାନ୍ୟ ଟିଫିନ୍‌‌ର ବ୍ୟବସ୍ଥା। ମନୋଜ୍ଞ, ପ୍ରଭାବଶାଳୀ ପରିସରଟିକୁ ଲକ୍ଷ୍ୟ କରି ଯେକେହି ମୁଗ୍ଧ ହେବା ସ୍ୱାଭାବିକ।
ଏହିଭଳି ସାହିତ୍ୟସଭା ସବୁଠି ଆୟୋଜନ ହେଲେ ଭଲ। ସାହିତ୍ୟ ପଢ଼ୁନଥିବା ସାଆନ୍ତମାନଙ୍କୁ ସାହିତ୍ୟ ଆଲୋଚନା ପାଇଁ ଆମନ୍ତ୍ରଣ କରିବାର ଆବଶ୍ୟକତା ନାହିଁ, କେବଳ ସାହିତ୍ୟ ପଢ଼ୁଥିବା ସାଧାରଣ ପାଠକକୁ ଆମନ୍ତ୍ରଣ କରିବା କଥା। ଲେଖକ ପାଠକ ସମ୍ବନ୍ଧରେ ଏତିକି କୁହାଯାଇପାରେ ଯେ ଜଣେ ଲେଖକର ଲେଖାରେ ସାଧାରଣ ଜନଜୀବନର ଚିତ୍ର ଓ ଚରିତ୍ର ଫୁଟିଉଠିଲେ ପାଠକୀୟ ଆଦର ଲାଭ କରିବ। ଲେଖକ ଯେତେ ଅହଂମୁକ୍ତ ହେବେ, ବ୍ୟକ୍ତିତ୍ୱ ସେତେ ଆଭାଯୁକ୍ତ ହେବ। ଲେଖକ ତାଙ୍କ ଲେଖାରେ ଯେଉଁ ମୂଲ୍ୟବୋଧର ଅବତାରଣା କରିବେ, ତାହା ତାଙ୍କ ବ୍ୟକ୍ତି-ଜୀବନରେ ପ୍ରକଟିତ ହୋଇଥିବ, ତେବେ ଯାଇ ଲେଖା ପାଠକର ଚିତ୍ତଛୁଅାଁ ହେବ। ପୁସ୍ତକ ପତ୍ରିକା ମେଳା, ସାହିତ୍ୟ ସଭାଗୁଡ଼ାକ ବାହ୍ୟ ଆଡ଼ମ୍ବର, ଚାକଚକ୍ୟମୟ ପରିବେଶରୁ ମୁକ୍ତ ହେବାର କଥା। ସରଳ ନିରାଡ଼ମ୍ବର ପରିବେଶରେ ପୁସ୍ତକ ପତ୍ରିକା ବିକାକିଣା, ସାହିତ୍ୟାଲୋଚନା ହେଲେ ତା’ର ପ୍ରଭାବ ଦୀର୍ଘସ୍ଥାୟୀ ହେବ। କେବଳ ଦଳେ ଛଳନାମୟ ଲୋକଙ୍କୁ ମଞ୍ଚରେ ବସାଇବା ଓ ସେମାନଙ୍କ ଚରିତ୍ରକୁ ମଧୁର ଶବ୍ଦରେ ଚିତ୍ରଣ କରି ପ୍ରଶଂସା କରିବା ଅର୍ଥାତ୍‌‌ ଉଦ୍‌‌ଭ୍ରାନ୍ତମାନଙ୍କୁ ସମ୍ଭ୍ରାନ୍ତ ପ୍ରମାଣ କରିବାର ଅପଚେଷ୍ଟା କରିବା ସହିତ ସେମାନଙ୍କ ଫଟୋଚିତ୍ର ହ୍ୱାଟ୍ସ୍‌‌ଆପ୍‌‌, ଫେସ୍‌‌ବୁକ୍‌‌, ୟୁଟ୍ୟୁବ୍‌‌, ଖବରକାଗଜ, ଟି.ଭି. ଚ୍ୟାନେଲ୍‌‌ରେ ପ୍ରସାର କରିବା ଦ୍ୱାରା ପୁସ୍ତକ ପତ୍ରିକା ମେଳା ବା ସାହିତ୍ୟସଭାଗୁଡ଼ିକର ଅସଲ ଉଦ୍ଦେଶ୍ୟ ସାଧନ ହୁଏ ନାହିଁ। ଅସଲ ଉଦ୍ଦେଶ୍ୟ ସାଧନ ହୁଏ ସେତିକିବେଳେ ଯେତେବେଳେ ସେଗୁଡ଼ିକ ପ୍ରକୃତ ଛଳନାହୀନ, ସାହିତ୍ୟାନୁରାଗୀ ଲେଖକ, ପ୍ରକାଶକ, ପାଠକଙ୍କ ମିଳନପୀଠରେ ପରିଣତ ହୁଏ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories