ୱର୍ସେଷ୍ଟର: ପୁଣିଥରେ ବଡ଼ ବିଶ୍ବ କୀର୍ତ୍ତିିମାନ ପ୍ରତିଷ୍ଠା କରିଛନ୍ତି ୧୪ ବର୍ଷ ବୟସ୍କ ବୈଭବ ସୂର୍ଯ୍ୟବଂଶୀ। ୧୯ ବର୍ଷରୁ କମ୍ ଦିନିକିଆରେ ଦ୍ରୁତତମ ଶତକ ହାସଲ କରିଛନ୍ତି ସୂର୍ଯ୍ୟବଂଶୀ। ଶନିବାର ଇଂଲଣ୍ଡ ୧୯ ବର୍ଷରୁ କମ୍ ଦଳ ବିପକ୍ଷରେ ୪ର୍ଥ ଦିନିକିଆ ମ୍ୟାଚ୍ରେ ଭାରତ ୧୯ ବର୍ଷରୁ କମ୍ ଦଳର ଓପ୍ନର ସୂର୍ଯ୍ୟବଂଶୀ ମାତ୍ର ୫୨ ବଲ୍ରୁ ଶତକ ହାସଲ କରିଛନ୍ତି। ବୈଭବ ୭ଟି ଛକା ଓ ୧୦ଟି ଚୌକା ସହ ୫୨ ବଲ୍ରୁ ୧୦୦ ରନ୍ରେ ପହଞ୍ଚିଥିଲେ। ୧୯ ବର୍ଷରୁ କମ୍ ଦିନିକିଆରେ ଦ୍ରୁତତମ ଶତକର ପୂର୍ବ ବିଶ୍ବ କୀର୍ତ୍ତିମାନ ୫୩ ବଲ୍ ଥିଲା। ୨୦୧୩ରେ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ୧୯ ବର୍ଷରୁ କମ୍ ଦଳର କମ୍ରାନ୍ ଗୁଲାମ୍ ୫୩ ବଲ୍ରୁ ଶତକ ହାସଲ କରିଥିଲେ।
ଏହି ଇନିଂସରେ ବାମହାତି ଓପ୍ନର ବୈଭବ ସୂର୍ଯ୍ୟବଂଶୀ ୨୮ତମ ଓଭର ପର୍ଯ୍ୟନ୍ତ ରହି ୭୮ ବଲ୍ରୁ ୧୦ଟି ଛକା ଓ ୧୩ଟି ଚୌକା ସହ ୧୪୩ ରନ୍ କରିଥିଲେ। ବିହାନ୍ ମାଲହୋତ୍ରା ମଧ୍ୟ ଶତକ (୧୨୯) ହାସଲ କରିବାରୁ ୪୦ ଓଭରର ମ୍ୟାଚ୍ରେ ଭାରତୀୟ ୧୯ ବର୍ଷରୁ କମ୍ ଦଳ ବିଶାଳ ୩୪୫ ରନ୍କରି ବିଜୟୀ ହୋଇଥିଲା। ୧୯ ବର୍ଷରୁ କମ୍ ଦିନିକିଆରେ ୩ୟ ଦ୍ରୁତତମ ଶତକ ବାଂଲାଦେଶର ତମିମ୍ ଇକ୍ବାଲ (୬୮ ବଲ୍)ଙ୍କ ନାମରେ ଥିଲା। ଭାରତୀୟ ଭାବେ ଏହି କୀର୍ତ୍ତିମାନ ରାଜ ଅଙ୍ଗଦ ବାୱାଙ୍କ ନାମରେ ଥିଲା। ୧୯୨୧-୨୨ରେ ଉଗାଣ୍ଡା ବିପକ୍ଷ ବିଶ୍ବକପ୍ ମ୍ୟାଚ୍ରେ ବାୱା ମାତ୍ର ୬୯ ବଲ୍ରୁ ଶତକ ପୂରଣ କରିଥିଲେ। ପୁଣି ୧୯ ବର୍ଷରୁ କମ୍ ଦିନିକିଆ ଶତକ ହାସଲ କରିବାରେ ସୂର୍ଯ୍ୟବଂଶୀ ବିଶ୍ବରେ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ। ୨୦୧୩ରେ ବାଂଲାଦେଶର ନଜ୍ମୁଲ ହୋସେନ୍ ଶାନ୍ତ ୧୪ ବର୍ଷ ୨୪୧ ଦିନ ବୟସରେ ୧୯ ବର୍ଷରୁ କମ୍ ଦିନିକିଆ ଶତକ ହାସଲ କରିଥିଲେ। ପୁଣି ଭାରତୀୟ ଭାବେ ଏହି ରେକର୍ଡ ସର୍ଫରାଜ ଖାଁଙ୍କ ନାମରେ ଥିଲା। ୨୦୧୩ରେ ଦକ୍ଷିଣ ଆଫ୍ରିକା କନିଷ୍ଠ ଦଳ ବିପକ୍ଷରେ ୧୫ ବର୍ଷ ୩୩୮ ଦିନ ବୟସରେ ସର୍ଫରାଜ ଶତକ ହାସଲ କରିଥିଲେ। ଗତ ଆଇପିଏଲ୍େର ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା ସୂର୍ଯ୍ୟବଂଶୀ ୩୫ ବଲ୍ରୁ ଶତକ ପୂରଣ କରିଥିଲେ; ଯାହା ଟୁର୍ଣ୍ଣାମେଣ୍ଟରେ ୨ୟ ଦ୍ରୁତତମ ଶତକ ଥିଲା। ଚଳିତ ଶୃଙ୍ଖଳାର ପ୍ରଥମ ୩ଟି ମ୍ୟାଚ୍ରେ ସୂର୍ଯ୍ୟବଂଶୀ ୧୯ ବଲ୍ରୁ ୪୮, ୩୪ ବଲ୍ରୁ ୪୫ ଓ ୩୧ ବଲ୍ରୁ ୮୬ ରନ୍ କରିଥିଲେ। ୧୯ ବର୍ଷରୁ କମ୍ ଟେଷ୍ଟମ୍ୟାଚ୍ରେ ମଧ୍ୟ ଦ୍ରୁତତମ ଶତକର ବିଶ୍ବ କୀର୍ତ୍ତିମାନ ବୈଭବ ସୂର୍ଯ୍ୟବଂଶୀଙ୍କ ନାମରେ ରହିଛି।
ଗତବର୍ଷ ଚେନ୍ନଇରେ ଅଷ୍ଟ୍ରେଲିଆ ୧୯ ବର୍ଷରୁ କମ ଦଳ ବିପକ୍ଷରେ ସୂର୍ଯ୍ୟବଂଶୀ ଶତକ ହାସଲ କରିଥିଲେ। ତାଙ୍କ ପରି ଖେଳାଳିଙ୍କ ଯୋଗୁଁ ଭାରତୀୟ କ୍ରିକେଟ୍ର ଭବିଷ୍ୟତ ଉଜ୍ଜ୍ବଳ ମନେହେଉଛି।
ସୂର୍ଯ୍ୟବଂଶୀଙ୍କ ବିଶ୍ବ କୀର୍ତ୍ତିମାନ
Popular Categories



