www.samajalive.in
Monday, December 8, 2025
14.1 C
Bhubaneswar

ନୈତିକ ଶିକ୍ଷାର ଗୁରୁତ୍ଵ

ଭୁବନେଶ୍ଵର: ଗତ କିଛିଦିନ ଧରି ରାଜ୍ୟରେ ଘଟିଥିବା ଘଟଣାଗୁଡିକ ସମସ୍ତଙ୍କୁ ଚକିତ କରିଛି। ନୂଆ ନୂଆ ଚାକିରିରେ ଯୋଗଦାନ କରିଥିବା କିଛି ସରକାରୀ ଚାକିରିଆ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଏମିତି କି ଜଣେ ଯୁବ ଆଇଏଏସ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହାନ୍ତି। ତାଙ୍କ ନିକଟରୁ ଲକ୍ଷଲକ୍ଷ ଟଙ୍କା ଜବତ ହୋଇଛି। ଲୋକସେବା ଅପେକ୍ଷା ଅବାଟରେ ଅର୍ଥ ଅର୍ଜନକୁ ଅଧିକା ଗୁରୁତ୍ୱ ଦେଉଥିଲେ ସେମାନେ। ଚାକିରି ଜୀବନ ପ୍ରଥମରୁ ବ୍ୟକ୍ତି ଚରିତ୍ରର ଅବମୂଲ୍ୟାୟନ ଜାତୀୟ ମୂଲ୍ୟବୋଧକୁ ନଷ୍ଟ କରୁଛି। ଏମିତି ଆହୁରି ଅନେକ ଅନ୍ଧାର ଭିତରେ ଅନୀତିର ରାସ୍ତା ଧରିଥିବେ ଏଥିରେ ସନ୍ଦେହ ନାହିଁ। ଅପରପକ୍ଷେ ଏବେ ସମାଜରେ ଯୁବପିଢିଙ୍କ ଅବସ୍ଥା ବଡ ସଂଗିନ। ବ୍ୟକ୍ତିଚରିତ୍ର ପ୍ରତି କାହାରି ଖାତିର ନାହିଁ। ନିଶା, ଚୋରି, ଡକାୟତି, ଚୋରା ଚାଲାଣ ଓ ଦୁଷ୍କର୍ମ ଭଳି ବହୁ ଅାପରାଧିକ ମାମଲାରେ ଜଡିତ ଆଜିର ଯୁବପିଢି। ବିଶେଷ କରି ଅନେକ ନାବାଳକ ଏଭଳି ଘଟଣାରେ ଧରା ପଡୁଛନ୍ତି। ଏଭଳି ଚରିତ୍ରଙ୍କ ଆଉ ଏକ ପାଖ ହେଲା ଅନ୍ୟମାନଙ୍କ ପ୍ରତି ସମ୍ମାନବୋଧର ଅଭାବ। ବଡ଼ଙ୍କୁ ବଡ଼ ଭଳି ବ୍ୟବହାର ଓ ସାନଙ୍କୁ ସାନ ଭଳି ଆଦର ଆଉ ଦେଖିବାକୁ ମିଳୁନି। ସାମାନ୍ୟ ସମ୍ପତ୍ତି ଓ ସ୍ୱାର୍ଥ ପାଇଁ ନିଜର ପ୍ରିୟଜନଙ୍କୁ ହତ୍ୟା ମଧ୍ୟ କରୁଛନ୍ତି। ଏଥିପାଇଁ ଅଧୋଗତ ସମାଜର ଦାୟିତ୍ୱବୋଧ ଯେତିକି ଦାୟୀ ତା’ ଠାରୁ ଅଧିକ ଦାୟୀ ଆମର ଶିକ୍ଷା ବ୍ୟବସ୍ଥା। ଆମ ଶିକ୍ଷାରେ ନୈତିକ ଶିକ୍ଷାର ଘୋର ଅଭାବ ଦେଖାଦେଇଛି। ଆମ ଶିକ୍ଷା ପ୍ରଣାଳୀ ପିଲାଙ୍କ ଭିତରେ ଜାତୀୟତାବୋଧ, ନୈତିକତା, ସ୍ୱଚ୍ଛତା, ଶୃଙ୍ଖଳା, ଦାୟିତ୍ୱବୋଧ ଓ କର୍ତ୍ତବ୍ୟ ପରାୟଣତା ଭଳି ଭାବ ଉଦ୍ରେକ କରିବାରେ ବିଫଳ ହୋଇଛି। ଏହି କାରଣରୁ ସମାଜରେ ଉଚ୍ଛୃଙ୍ଖଳତା ଓ ବ୍ୟଭିଚାର ବୃଦ୍ଧି ପାଇବାରେ ଲାଗିଛି। ଏବେ ସମସ୍ତେ ନିଜ ଅଧିକାର ହାସଲ ପାଇଁ ବ୍ୟଗ୍ର ଅଥଚ ନିଜର କର୍ତ୍ତବ୍ୟ ପ୍ରତି ଉଦାସୀନ। ଏହି କ୍ରମରେ କିଛି ବର୍ଷ ପୂର୍ବେ ଗଣମାଧ୍ୟମରୁ ପଢ଼ିଥିବା ଏକ ରୋଚକ ଖବର ଏଠାରେ ଉପସ୍ଥାପନା କରିବା ଅଧିକ ଠିକ ହେବ। ଜାପାନ ସୁନାମିର ପ୍ରଳୟରେ ଛାରଖାର ହୋଇଥାଏ। ପୀଡିତ ଲୋକଙ୍କ ପାଇଁ ବିଶ୍ୱର କୋଣ ଅନୁକୋଣରୁ ରିଲିଫ ଆସି ପହଞ୍ଚୁଥାଏ। ଭାରତରୁ ମଧ୍ୟ ରିଲିଫ ସାମଗ୍ରୀ ଗଲା। ରିଲିଫ ବଣ୍ଟନବେଳେ ଲମ୍ବା ଧାଡିର ଶେଷମୁଣ୍ଡରେ ଠିଆହୋଇଥିଲା ଜଣେ ଦଶ ବର୍ଷର ବାଳକ। ରିଲିଫ ବଣ୍ଟନକାରୀମାନେ ଛୋଟ ପିଲାଟି ଭାବି ତାକୁ ଡାକି ରିଲିଫ ସାମଗ୍ରୀ ଆଗୁଆ ଦେଲେ। ସେ ତାକୁ ଗ୍ରହଣ କଲା ଏବଂ ତୁରନ୍ତ ଫେରାଇ ଦେଇ ପୁଣି ନିଜ ସ୍ଥାନରେ ଯାଇ ଠିଆହେଲା। କାବା ହୋଇଗଲେ ଭାରତୀୟ ସେବାଦଳ। ଏପରି କରିବାର କାରଣ ପଚାରିବାରେ ପିଲାଟିର ଉତ୍ତର ଶୁଣି ତଟସ୍ଥ ହୋଇଗଲେ ସମସ୍ତେ। ପିଲାଟି କହିଲା– “ମୋର ଯେତେବେଳେ ପାଳି ଆସିବ ସେତେବେଳେ ମୁଁ ନେବି। ଅନ୍ୟମାନଙ୍କ ସ୍ୱାର୍ଥରେ ପ୍ରତିବନ୍ଧକ ହେବି ନାହିଁ। ଏହା ଜାତୀୟ ଚରିତ୍ରର ବିରୋଧାଚରଣ। ମୋ ଭାଗକୁ କିଛି ନ ମିଳିଲେ ବି ମୁଁ ଖୁସିହେବି। କିନ୍ତୁ ମୁଁ ମୋ ଧାଡିରେ ଶୃଙ୍ଖଳାର ସହ ଠିଆ ରହିବି।”
ପିଲାଟି ଭିତରେ ଏଇ ଜାତୀୟତାଭାବ ସାଙ୍ଗେସାଙ୍ଗେ ସୃଷ୍ଟି ହୋଇନି; ବରଂ କୁହାଯାଉ ପିଲାଟି ଦିନରୁ ତା’ ଭିତରେ ଏଇ ଭାବକୁ ଅଭ୍ୟାସରେ ପରିଣତ କରାଯାଇଛି। ଜାପାନରେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ କେବଳ ନୈତିକ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଏ। ସ୍ୱଚ୍ଛତା, ଶୃଙ୍ଖଳା, ଦାୟିତ୍ୱବୋଧ, ଦେଶାତ୍ମବୋଧ, ସାମାଜିକ ଦାୟିତ୍ୱବୋଧ ଭଳି ଗୁଣଗୁଡିକ ପିଲାଙ୍କ ନିକଟରେ ବିକଶିତ କରାଯାଏ। ଏଥିପାଇଁ ଜାପାନୀଙ୍କ ଜାତୀୟତା ନିକଟରେ ଅନ୍ୟ ଦେଶଗୁଡିକ ପଛରେ ପଡ଼ିଯାଆନ୍ତି। ଆମେରିକା ପରମାଣୁ ବୋମା ନିକ୍ଷେପ କଲା ଏବଂ ପରେ ରିଲିଫ ପଠାଇଲା ଜାପାନକୁ। ଜାପାନ ଲୋକ ରିଲିଫକୁ ଛୁଇଁଲେନି ଏବଂ ସସମ୍ମାନ ଫେରାଇ ଦେଲେ। ସେଥିପାଇଁ ଫିନିକ୍ସ ପକ୍ଷୀଭଳି ଆଜି ପରମାଣୁର ଧ୍ୱଂସସ୍ତୂପରୁ ଜାଗ୍ରତ ହୋଇ ବିଶ୍ୱର ଅନ୍ୟତମ ଅଗ୍ରଣୀ ବିକଶିତ ରାଷ୍ଟ୍ର ହୋଇପାରିଛି ଜାପାନ। ଏଥିପାଇଁ ଲୋକଚରିତ୍ର ଓ ସେମାନଙ୍କ ଶିକ୍ଷା ବ୍ୟବସ୍ଥା ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆମ ଦେଶ ଏହି ଦୃଷ୍ଟିରୁ ବହୁ ପଛରେ ରହିଛି ବୋଲି ଅନୁଭବ କରିହୁଏ। ନୈତିକ ଶିକ୍ଷା ଜରିଆରେ ଅସଲି ବ୍ୟକ୍ତି ଚରିତ୍ର ଗଠନ ଦିଗରେ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲେ ସମାଜରେ ଏଭଳି ନୈତିକ ସ୍ଖଳନ ଘଟି ନଥାନ୍ତା।
ନିକଟ ଅତୀତରେ ଛତିଶଗଡ଼ ବିଲାସପୁରରେ ଅଷ୍ଟମ ଶ୍ରେଣୀର କିଛି ଛାତ୍ରଛାତ୍ରୀ ମିଳିତଭାବେ ଜଣେ ଶିକ୍ଷୟିତ୍ରୀଙ୍କୁ କ୍ଷତି ପହଞ୍ଚାଇବା ପାଇଁ ପରିସ୍ରାଗାରରେ ବିସ୍ଫୋରକ ଖଞ୍ଜିଥିଲେ। ଦୁର୍ଭାଗ୍ୟବଶତଃ ଏହାର ଶିକାର ହେଲା ଜଣେ ନଅ ବର୍ଷର ବାଳିକା। ଗୁରୁଙ୍କ ପ୍ରତି ଛାତ୍ରଛାତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ପ୍ରତି ଗୁରୁଙ୍କ ବଦଳୁଥିବା ମାନସିକତା ହିଁ ପ୍ରମାଣ କରୁଛି ଆମର ଅସଲି ଶିକ୍ଷାର ସ୍ୱରୂପକୁ। ସୁତରାଂ ପ୍ରଥମେ ନୈତିକ ଶିକ୍ଷା, ପରେ ବାକି ଯାହା। ହୁଏତ ଏହା ବିଗିଡି ଥିବା ସମାଜକୁ ସୁଧାରି ପାରିବ !

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories