ଡେସ୍କ: ରାଜ୍ୟରେ ନୂଆ ସରକାରଙ୍କ ୧ ବର୍ଷ ମଧ୍ୟରେ ଘଟିଥିବା ଦୁଇଟି ଘଟଣାକୁ ଯଦି ତର୍ଜମା କରାଯାଏ, ତାହେଲେ ଏହା ସ୍ପଷ୍ଟ ଯେ ସିସି ଟିଭି ନ ଥିଲେ ହୁଏତ ବିଏମସି ଅତିରିକ୍ତ କମିଶନରଙ୍କ ଉପରେ ହୋଇଥିବା ଘଟଣାକୁ କେହି, ବିଶେଷ କରି ରାଜ୍ୟ ସରକାର ବିଶ୍ୱାସ କରି ନ ଥାନ୍ତେ। ଏବଂ ଅନ୍ୟଟି ହେଉଛି, ପୁରୀରେ ରାଷ୍ଟ୍ରପତିଙ୍କ ଗସ୍ତ ଦାୟିତ୍ୱରେ ଥିବା ଜଣେ ସରକାରୀ ଅଧିକାରୀଙ୍କୁ ପୂର୍ବତନ ରାଜ୍ୟପାଳଙ୍କ ପୁତ୍ରର ମାଡମାରିବା ଘଟଣା ଓ ସେହି ମାମଲାରେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ନିଦ ବିଷ୍ଣୁ ସାଜିବା।
ପ୍ରଥମ ଘଟଣା ହେଉଛି ଓଡିଶା ପ୍ରଶାସନିକ ସେବାର ଜଣେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିବା ଓ ଗୋଇଠା ମାରିବା। ସିସି ଟିଭିରେ ସେହି ସମୟର ଦୃଶ୍ୟ ରେକର୍ଡିଙ୍ଗ ହୋଇଥିବାରୁ, ପୁଲିସ ସେହି ସବୁ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛ ଓ ସେମାନଙ୍କୁ ମଧ୍ୟ ଦଳରୁ ନିଲମ୍ବନ କରାଯାଇଛି। କିନ୍ତୁ ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଜଗନ୍ନାଥ ପ୍ରଧାନଙ୍କୁ ପୁଲିସ ଗିରଫ କରିବା କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରୁଛି। କେବଳ ସେତିକି ନୁହେଁ, ରାଜ୍ୟ ସରକାର ମଧ୍ୟ ଜଗନ୍ନାଥ ପ୍ରଧାନକୁ ଗିରଫ କରିବା ନେଇ କୌଣସି ମନ୍ତବ୍ୟ ଦେଉନାହାନ୍ତି। କାରଣ ମାଷ୍ଟର ମାଇଣ୍ଡଙ୍କର ସିସି ଟିଭି ଭିଡିଓ ନାହିଁ।
ଡବଲ ଇଂଜିନ ସରକାର ନେଇ କେନ୍ଦ୍ର ଓ ରାଜ୍ୟ ମୁଖିଆ ପ୍ରଶଂସା ସାଉଣ୍ଟୁଥିବା ବେଳେ ମାତ୍ର ୧ ବର୍ଷର ସରକାରଙ୍କ ଶାସନ କାଳରେ ଦଳୀୟ କର୍ମୀଙ୍କ ଗୁଣ୍ଡାରାଜ ଏବେ ଦଳର ନେତୃବୃନ୍ଦଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି।
ଅନ୍ୟ ଏକ ଘଟଣାରେ ରାଜ୍ୟ ସରକାରଙ୍କ ଭୂମିକା ଏବେ ମଧ୍ୟ ପ୍ରଶ୍ନବାଚୀ ହୋଇ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀ ଅତିଥି ଭବନରେ ସଚିବାଳୟର ଜଣେ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ମଦ୍ୟପାନ କରି ସମ୍ପୃକ୍ତ କର୍ମଚାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ସୌଭାଗ୍ୟବଶତଃ ସେ ଆକ୍ରମଣରୁ ବର୍ତ୍ତୀ ଯାଇଥିଲେ କିନ୍ତୁ ସେହି ଘଟଣାରେ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ। ରଘୁବର ଦାସ ଦଳୀୟ ନେତା ହୋଇଥିବାରୁ ତାଙ୍କ ପୁଅକୁ ଗିରଫ କରିବାକୁ ହୁଏତ ରାଜ୍ୟ ସରକାର ସାହସ ଯୁଟାଇ ପାରିନ ଥିଲେ। ତେବେ ଯଦି ସିସିଟିଭିରେ ସେହି ଆକ୍ରମଣର ରେକର୍ଡିଙ୍ଗ ଥାନ୍ତା ତାହେଲେ ହୁଏତ ରାଜ୍ୟ ସରକାର କିଛି କରିଥାନ୍ତେ। ସାମ୍ବିଧାନିକ ପଦବୀରେ ଥାଇ ମଧ୍ୟ ସେହି ଘଟଣାକୁ ଚାପି ଦେବାକୁ ପୂର୍ବତନ ରାଜ୍ୟପାଳ ରଘୁବର ଦାସ କୌଣସି ସୁଯୋଗ ହାତଛଡା କରିନଥିଲେ।
ଉଭୟ ଘଟଣାରେ କିନ୍ତୁ ସିସିଟିଭିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସିସିଟିଭିରେ ରେକର୍ଡ ନ ଥିଲେ ସବୁ ଘଟଣା ମିଛ।



