ସମାଜ ଡିଜିଟାଲ ଡେସ୍କ: ଇ-କମର୍ସ ପ୍ଲାଟଫର୍ମ ଆମାଜନ ନିଜ ଗ୍ରାହକଙ୍କୁ ଏକ ନୂଆ ସେବା ପ୍ରଦାନ କରିବା ଆରମ୍ଭ କରିଛି। ସ୍ଵାସ୍ଥ୍ୟ କ୍ଷେତ୍ରରେ ଆମାଜନ ପ୍ରବେଶ କରି ମେଡିକାଲ ସେବା ପ୍ରଦାନ କରୁଛି। ୧ ଘଣ୍ଟା ମଧ୍ୟରେ ରୋଗୀଙ୍କଠାରୁ ନମୁନା ସଂଗ୍ରହ କରି ୬ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବ। ଦେଶର ୬ଟି ବଡ଼ ସହରରେ ଏହି ସେବା ଆରମ୍ଭ ହୋଇଛି।
ବର୍ତ୍ତମାନ ସମୟରେ ଅନେକ ପ୍ଲାଟଫର୍ମ ମେଡିସିନ ଡେଲିଭରି ଏବଂ ଟେଲି କନସଲଟାନ୍ସି ସେବା ପ୍ରଦାନ କରୁଛନ୍ତି। କିନ୍ତୁ ଆମାଜନ ଏହି ସେବାଠାରୁ ଆଗକୁ ବଢ଼ି ଅଧିକ ଜରୁରୀ ମେଡିକାଲ ସେବା ପ୍ରଦାନ ଆରମ୍ଭ କରିଛି। ଏଥିପାଇଁ କମ୍ପାନୀ ବେଙ୍ଗାଲୁରୁସ୍ଥିତ ଷ୍ଟାର୍ଟଅପ୍ ଅରେଞ୍ଜ ହେଲ୍ଥ ଲ୍ୟାବ୍ସ ସହିତ ସହଭାଗିତା କରିଛି।
ଏହି ସେବା ପ୍ରାରମ୍ଭିକ ଭାବେ ଦିଲ୍ଲୀ, ବେଙ୍ଗାଲୁରୁ, ଗୁରୁଗ୍ରାମ, ନୋଏଡା, ମୁମ୍ବଇ ଏବଂ ହାଇଦ୍ରାବାଦ ଭଳି ସହରର ୪୫୦ ପିନ୍କୋଡ୍ରେ ଆରମ୍ଭ ହୋଇଛି। ଏହି ପିନ୍କୋଡ ଅଞ୍ଚଳରେ ରହୁଥିବା ଲୋକମାନେ ସୁବିଧାରେ ମେଡିକାଲ ପରୀକ୍ଷା ଲାଗି ନମୁନା ସଂଗ୍ରହ ପାଇଁ ଆମାଜନରେ ବୁକିଂ କରିପାରିବେ। ୧ଘଣ୍ଟା ମଧ୍ୟରେ ଲୋକଙ୍କ ଘରେ ପହଞ୍ଚି ନମୁନା ସଂଗ୍ରହ କରାଯିବ। ୬ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରାଯିବ।
ଆମାଜନର ଏହି ନୂଆ ସେବା ଆମାଜନ ମେଡିକାଲର ଏକ ଅଂଶ ହେବ, ଯାହା ଅଧୀନରେ ମେଡିସିନ ଡେଲିଭରି ମଧ୍ୟ କରାଯିବ। ଏଥିପାଇଁ ୩ୟ ପକ୍ଷ ବିକ୍ରେତାଙ୍କ ସହାୟତା ମଧ୍ୟ ନିଆଯିବ। ଅନଲାଇନରେ ଡାକ୍ତରଙ୍କ ସହିତ ପରାମର୍ଶ ସୁବିଧା ପ୍ରଦାନ କରାଯିବ।



