ଅଲୱାର: ରାଜସ୍ଥାନର ଅଲୱାର ସହରରେ ଘଟିଥିବା ଏକ ହତ୍ୟାକାଣ୍ଡର ସୁରାକ୍ ପାଇବାରେ ପୁଲିସ ବିଫଳ ହୋଇଥିବାବେଳେ ମୃତ ବ୍ୟକ୍ତିଙ୍କ ୯ ବର୍ଷର ପୁତ୍ର ଏହି ରହସ୍ୟ ଉନ୍ମୋଚନ କରିପାରିଛି। ଜୁନ ୭ରେ ମାନ ସିଂହ ଯାଟଭ୍ ନାମକ ଏହି ବ୍ୟକ୍ତିଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିଲା। ତେବେ ମାନ୍ଙ୍କ ପତ୍ନୀ ଅନିତା ଏହାର ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ପରବର୍ତ୍ତୀ ସମୟରେ ପ୍ରମାଣିତ ହୋଇଛି। ପୁଲିସ ଏହି ଘଟଣାରେ ଅନିତା, ତାଙ୍କ ପ୍ରେମିକ କାଶୀରାମ ଓ ଜଣେ ଭଡାଟିଆ ଗୁଣ୍ଡାକୁ ଗିରଫ କରି କୋର୍ଟଚାଲାଣ କରିଛି। ମାନ୍ଙ୍କ ମୃତ୍ୟୁପରେ ପୁଲିସକୁ ବିଭ୍ରାନ୍ତ କରିବାକୁ ଅନିତା ବୟାନ ଦେଇଥିଲେ ଯେ ହୃଦ୍ଘାତରେ ତାଙ୍କ ସ୍ବାମୀ ପ୍ରାଣ ହରାଇଛନ୍ତି। ଘଟଣାର ୪୮ ଘଣ୍ଟା ପର୍ଯ୍ୟନ୍ତ ପୁଲିସ ଏହାକୁ ବିଶ୍ବାସ କରିଚାଲିଥିଲା। ତେବେ ୯ ବର୍ଷର ପୁଅ ପୁଲିସକୁ ସେହି କାଳରାତିରେ ଚାଞ୍ଚଲ୍ୟକର ବୟାନ ଦେଇଥିବାବେଳେ ଘଟଣାର ସତ୍ୟାସତ୍ୟ ସାମନାକୁ ଆସିଛି।
ବାଳକର ବୟାନ ଅନୁଯାୟୀ ଘଟଣା ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରର ପ୍ରବେଶ ଦ୍ବାରକୁ େଖାଲା ରଖିଥିଲେ। ଖଟ ଉପରେ ବାପା ଓ ପୁଅ ଶୋଇଥିବାବେଳେ ପୁଅ ଶୋଇବାର ବାହାନା କରି ସମସ୍ତ ଘଟଣାବଳୀ ଉପରେ ନଜର ରଖିଥିଲା। କବାଟ ଖୋଲିବା ପରେ କାଶୀରାମ ଓ ୪ ଗୁଣ୍ଡା ଭିତରକୁ ଆସିଥିଲେ। ମାଆଙ୍କ ଉପସ୍ଥିତିରେ କାଶୀରାମ ବାପାଙ୍କ ମୁହଁକୁ ତକିଆରେ ମାଡିବସିଥିବାବେଳେ ଗୁଣ୍ଡାମାନେ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ। କିଛି ସମୟ ମଧ୍ୟରେ ବାପାଙ୍କର ମୃତ୍ୟୁ ଘଟିଥିଲା। ଅତ୍ୟନ୍ତ ଭୟଭୀତ ହୋଇ ଉଠିପଡିବାରୁ କାଶୀରାମ ତାକୁ କୋଳେଇ ନେଇ କହିଥିଲେ, ଏକଥା କାହାରିକୁ କହିବୁ ନାହିଁ। ଅନିତାଙ୍କର ଏକ ମନୋହରି ଦୋକାନ ଥିବାବେଳେ କାଶୀରାମ ସେଠାରେ କଚୁଡି ବିକ୍ରି କରୁଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢିଉଠିବାପରେ ମାନ୍ଙ୍କୁ ରାସ୍ତାରୁ ହଟାଇବାକୁ ଅନିତା ଯୋଜନା କରି ଭଡାଟିଆ ଗୁଣ୍ଡାଙ୍କୁ ୨ ଲକ୍ଷ ଟଙ୍କା ଅଗ୍ରିମ ଦେଇଥିଲେ। ମାନ୍ଙ୍କ ଭାଇ ଥାନାରେ ଦାଏର କରିଥିବା ଏତଲା ଏବଂ ପୁଅର ପ୍ରତ୍ୟକ୍ଷଦର୍ଶୀ ବୟାନକୁ ଆଧାର କରି ପୁଲିସ ଅନିତା, କାଶୀରାମ ଓ ବ୍ରିଜେଗଶ ନାମକ ଜଣେ ଗୁଣ୍ଡାକୁ ଗିରଫ କରିଥିବାବେଳେ ଅନ୍ୟ ତିନିଜଣ ଫେରାର ଅଛନ୍ତି।



