ଲକ୍ଷ୍ମୌ: ଉତ୍ତରପ୍ରଦେଶ ବିଧାନସଭାରେ ସୋମବାର ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେତେବେଳେ ସମାଜବାଦୀ ପାର୍ଟିର ଜଣେ ବିଧାୟକ ଜୋରରେ କାନ୍ଦିବା ଆରମ୍ଭ କରିଥିଲେ। ଗୃହର ଶୂନ୍ୟ କାଳରେ ବିଧାୟକ କଳ୍ପନାଥ ପାଶ୍ଵନ ହଠାତ ନିଜ ଆସନରେ ଛିଡ଼ା ହୋଇ କାନ୍ଦିଥିଲେ। ବିଧାୟକଙ୍କୁ ଏପରି ଅବସ୍ଥାରେ ଦେଖି ଗୃହର ଅନ୍ୟ ସଦସ୍ୟମାନେ ଆଶ୍ଚର୍ଯ୍ୟଚକିତ ହୋଇଥିଲେ।
ପାଶ୍ଵନ କାନ୍ଦି କାନ୍ଦି କହିଥିଲେ କି ତାଙ୍କର ୧୦ ଲକ୍ଷ ଟଙ୍କା ଚୋରି ହୋଇଯାଇଛି। ଯଦି ତାଙ୍କ ଟଙ୍କା ସେ ଫେରି ନ ପାଆନ୍ତି, ତେବେ ନିଜ ଜୀବନ ହାରିଦେବେ। ଏ ସମ୍ପର୍କରେ ସେ ଥାନାରେ ଏଫଆଇଆର ଦେଇଥିଲେ ମଧ୍ୟ ପୁଲିସ ତାହାକୁ ରଖୁନାହିଁ। ରାଜ୍ୟ ସରକାର ତାଙ୍କ ସମସ୍ୟାକୁ ଗୁରୁତ୍ଵ ଦେଇ ଟଙ୍କା ଉଦ୍ଧାର କରନ୍ତୁ ବୋଲି ସେ ଦାବି କରିଥିଲେ।
ଏପରି କି ସେ ହାତଯୋଡ଼ି କହିଥିଲେ ଯେ, ‘ମୁଁ ଅତ୍ୟନ୍ତ ଗରିବ ଲୋକ। ମୁଁ ମୋ ଜୀବନରେ ଏତେ ଟଙ୍କା କେବେ ଦେଖି ନ ଥିଲି। ଘର କାମ କରିବା ଲାଗି ବ୍ୟାଙ୍କରୁ ୨ଟି କିସ୍ତିରେ ଟଙ୍କା ଉଠାଇଥିଲି। ଟଙ୍କା ଧରି ଘରକୁ ଯିବା ବାଟରେ ଏକ ହୋଟେଲରେ ଅଟକିଥିଲି। ମୁଁ ବାରଣ କରିବା ସତ୍ତେ୍ବ ହୋଟେଲ ମ୍ୟାନେଜର ମୋ ବ୍ରିଫକେସ ରଖିଥିଲେ। କିନ୍ତୁ ପରେ ଦେଖିଲା ବେଳକୁ ସେଥିରେ ଟଙ୍କା ନ ଥିଲା। ମୁଁ ଏବେ କୁଆଡ଼େ ଯିବି’। ଏଠାରୁ ଯଦି ମୁଁ ନ୍ୟାୟ ନ ପାଇବି ଆତ୍ମହତ୍ୟା କରିବି ବୋଲି ପାଶ୍ଵନ କାନ୍ଦି କାନ୍ଦି କହିଥିଲେ। ଅନ୍ୟପଟେ ଘଟଣା ସମ୍ପର୍କରେ ରାଜ୍ୟର ଗୃହ ସଚିବ ଏବଂ ଆଜମଗଡ଼ ଜିଲା ପୋଲିସ ମୁଖ୍ୟଙ୍କୁ ଅବଗତ କରାଯିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ନିର୍ଦେଶ ଦିଆଯାଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେଶ ଖାନା କହିଛନ୍ତି। ସୂଚନାଯୋଗ୍ୟ, ପାଶ୍ଵନ ଆଜମଗଡ଼ର ମେହନଗର ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଛନ୍ତି।



